କରୋନା ଯୋଗୁ ବଦଳି ଯିବ କି ମଣିଷର ଅଭ୍ୟାସ?

ଶରତ କୁମାର ରାଉତ
ମହାମାରୀ କରୋନା ଭୂତାଣୁ ସାରା ପୃଥିବୀରେ ଏକ ପ୍ରକାର ଜରୁରୀ ପରିସ୍ଥିତି ସୃଷ୍ଟି କରି ଦେଇଛି । ଲଗାତାର ଲକ୍ ଡ଼ାଉନ୍ ଓ ସର୍ଟ ଡ଼ାଉନ୍ ଯୋଗୁ କୋଟି କୋଟି ଲୋକେ ଭୋକ ଉପାସରେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । କିଏ କେଉଁଠି ଓ କିପରି ଅଛନ୍ତି ଜାଣିବା ମୁସ୍କିଲ । ଅନେକ ନିଜ ନିଜ ପରିବାର ଓ ଘର ଠାରୁ ବିଛିନ୍ନ ହୋଇ ରହିଛନ୍ତି । ସେମାନେ ନିଜ ଘରକୁ ଫେରିବା ପାଇଁ କେଉଁଠି ସୁଯୋଗ ମିଳୁଛି ତ କେଉଁଠି ନାହିଁ । ସେମାନେ ଘୋର ମାନସିକ ଯନ୍ତ୍ରଣାରେ ଅଛନ୍ତି ।
ସମସ୍ତଙ୍କର ରୋଜଗାରରେ ଓ ସାମାଜିକ ସଂପର୍କରେ ପୂର୍ଣ୍ଣଛେଦ ଟାଣିଛି ମହାମାରୀ କରୋନା । ଭାରତ ସମେତ ସାରା ବିଶ୍ୱର ସରକାର ମାନେ ଏହି ମାରାତ୍ମକ ଭୂତାଣୁକୁ ନିୟନ୍ତ୍ରଣ କରିବାକୁ ଅତି ଅସମ୍ଭବ ପଦକ୍ଷେପ ମାନ ନେଉଛନ୍ତି । ସାରା ଫୃଥିବୀରେ ଆର୍ଥିକ କାରବାର ବନ୍ଦ ହୋଇଯାଇଛି । ପ୍ରାୟ ସବୁ ଦେଶରେ ଅର୍ଥନୈତିକ ବ୍ୟବସ୍ଥା କୋମାକୁ ଚାଲି ଯାଇଥିବା କୁହାଯାଇପାରେ । ସେଇଭଳି କୋଟିକୋଟି ଲୋକଙ୍କ ରୋଜଗାର ଓ ଆର୍ଥିକ ଅବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ବିଶେଷତଃ ଲକ୍ ଡ଼ାଉନ୍ ଜନିତ କାମଧନ୍ଦା ବନ୍ଦ ଯୋଗୁ ଗରିବ ଓ ଖଟିଖିଆ ମାନେ ଦୟନୀୟ ଅବସ୍ଥାକୁ ଚାଲି ଯାଇଛନ୍ତି । ସେମାନଙ୍କ ଅବସ୍ଥା ଭାରି ସାଂଘାତିକ ରହିଛି ।
ବହୁ ଶିଳ୍ପସଂସ୍ଥା, ବିଭିନ୍ନ କମ୍ପାନୀ ଓ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ଝୁଲୁଛି । ସେଥିରେ କାମ କରୁଥିବା କର୍ମଚାରୀ ମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କହିବାକୁ ଗଲେ, କମ୍ପାନୀ ଓ କର୍ମଚାରୀ ଉଭୟ ସମସ୍ୟା ଭିତରେ ସଢୁଛନ୍ତି । କାମ ବନ୍ଦ ଯୋଗୁ ଦେଶ ବିଦେଶରୁ କେତେକ ଅଧିକାରୀ ଓ କର୍ମଚାରୀ ନିଜ ନିଜ ଘରକୁ ଫେରି ଆସୁଛନ୍ତି ଓ ଆଉ କେତେକ ଭବିଷ୍ୟତକୁ ଆଦରି ସେଠାରେ ପଡ଼ି ରହିଛନ୍ତି । ସାରା ପୃଥିବୀରେ ଗାଡ଼ି ମଟର ପାଖରୁ ଆରମ୍ଭ କରି ରେଳ, ବସ୍ ଓ ଉଡ଼ାଜାହାଜ ସେବା ପ୍ରଭାବିତ ହୋଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ଶିଳ୍ପପତି, ବିଭିନ୍ନ କମ୍ପାନୀ, ବ୍ୟବସାୟିକ ପ୍ରତିଷ୍ଠାନ ଏକ ପ୍ରକାର ଅଚଳ ହୋଇ ପଡ଼ିଛି । ଅନେକ ଦେଶ ମାସ ମାସ ତଳୁ ଆନ୍ତର୍ଜାତୀୟ ଗମନାଗମନ ବନ୍ଦ କରିଦେଇଛନ୍ତି । ହୋଟେଲ୍ ଶିଳ୍ପ ଓ ପର୍ଯ୍ୟଟନ ଶିଳ୍ପ ବିଷେଶ ଭାବେ ପ୍ରଭାବିତ ହୋଇଛି । ସହର ବଜାର ସବୁ ବନ୍ଦ ହୋଇ ରହିଛି ।
ଅଧିକାଂଶ ବଡ଼ ବଡ଼ କମ୍ପାନୀ କାର୍ଯ୍ୟ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି । କରୋନାର ତାଣ୍ଡବ ଯୋଗୁ କମ୍ପାନୀ ଗୁଡ଼ିକର କାର୍ଯ୍ୟ ମୁଖ୍ୟତଃ କେତେକ ଇନ୍ଫରମେସନ୍ ଓ ଟେକ୍ନୋଲାଜି(ଆଇଟି)କମ୍ପାନୀ ନିଜ ଘରେ ବସି କାମ କରିବାକୁ ନିଜ କର୍ମଚାରୀଙ୍କୁ ସୁବିଧା ଦେଇଛନ୍ତି । ଅନ୍ୟପକ୍ଷରେ କେତେକ କମ୍ପାନୀ ନିଜ କର୍ମଚାରୀଙ୍କ ଦରମାର କିଛି ଭାଗ କାଟ୍ କରିଥିବା ଓ କିଛି କର୍ମଚାରୀଙ୍କୁ ଅବସ୍ଥା ସ୍ୱଭାବିକ ହେବା ପର୍ଯ୍ୟନ୍ତ ଛୁଟି ଦେଇଥିବା କୁହାଯାଉଛି । ଅବସ୍ଥା କେତେ ଯେ ସାଂଘାତିକ, ଏଥିରୁ ଜଣା ପଡ଼ୁଛି । ଦେଶ ବିଦେଶରେ କାମ କରୁଥିବା ଉକ୍ତ କର୍ମଚାରୀ ମାନଙ୍କ ଭବିଷ୍ୟତ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆମ ଦେଶ ଆର୍ଥିକ ଉନ୍ନତିରେ ଅଗ୍ରସର ହେଉଥିବାବେଳେ କରୋନାର ତାଣ୍ଡବ ଆମ ଅର୍ଥ ବ୍ୟବସ୍ଥାକୁ ସମସ୍ୟାରେ ପକାଇ ଦେଇଛି । ଗତ ଚାରି ମାସ ତଳୁ ସରକାରଙ୍କର ଆୟ ତ ଦୂରର କଥା, ବରଂ କୋଭିଡ଼୍-୧୯ର ମୁକାବିଲା ପାଇଁ ହଜାର ହଜାର କୋଟି ଟଙ୍କା ପ୍ରତିଦିନ ରାଜକୋଷରୁ ଖର୍ଚ୍ଚ ହେଉଛି । ଅତିଶୀଘ୍ର ଏହି ସମସ୍ୟାର ଅନ୍ତ ନହେଲେ, କେବଳ ଭାରତ କାହିଁକି, ସାରା ବିଶ୍ୱବାସୀ ମଧ୍ୟ ଗୁରୁତର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ନିଶ୍ଚିତ ମନେ ହେଉଛି । ଏହି ଦୃଷ୍ଟିରୁ ଆଗାମି ଦିନରେ ଖାଦ୍ୟପେୟ, ବୁଲାବୁଲି, ସାମାଜିକ ବନ୍ଧନ, ବିଭିନ୍ନ ଉତ୍ସବ ଆଦି ଦୈନନ୍ଦିନ କାର୍ଯ୍ୟରେ ଘୋର ପରିବର୍ତନ ଆସିବାର ସମ୍ଭାବନା ଦେଖା ଦେଇଛି ।
ବିଭିନ୍ନ କମ୍ପାନୀ କ୍ଷେତ୍ର ଓ ଅର୍ଥ ବ୍ୟବସ୍ଥାର ଅନ୍ୟାନ୍ୟ କ୍ଷେତ୍ର ପାଇଁ ମଧ୍ୟ ଅନେକ କିଛି ବଦଳି ଯିବାର ସମ୍ଭାବନା ରହିଛି । ସମସ୍ୟା ଦୂର ହେଲା ପରେ ହୁଏତ ସ୍ୱଭାବିକ ବ୍ୟବସ୍ଥା ଫେରି ଆସିପାରେ । କରୋନାର ଭୟାବହତା ଯୋଗୁ ସାମାଜିକ ଦୂରତ୍ୱ ମାନିବା ଦୃଷ୍ଟିରୁ କମ୍ପାନୀ ଅଫିସ କିମ୍ବା କର୍ମକ୍ଷେତ୍ରରେ କାମ କରିବା କର୍ମଚାରୀଙ୍କ ପାଇଁ ପ୍ରାୟ ଅସମ୍ଭବ । ତେବେ କମ୍ପାନୀ ମାନେ କରିବେ କ’ଣ? ବିନା କର୍ମଚାରୀରେ ଅଫିସ୍ କାମ ବା ଉତ୍ପାଦନ ସମ୍ଭବ ନୁହେଁ । ଏଣୁ କମ୍ପାନୀ ଓ କର୍ମଚାରୀ ଉଭୟ କ୍ଷତିଗ୍ରସ୍ତ ହେବେ ନିଶ୍ଚୟ । ଅବଶ୍ୟ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଛି । ହୁଏତ ଖୁବ୍ ଶିଘ୍ର କମ୍ପାନୀ ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ସୂତ୍ର ବାହାରି ଯିବ ।
ବର୍ତମାନ ସୁଦ୍ଧା ଆଇଟି କ୍ଷେତ୍ରକୁ ଛାଡ଼ି ବାକି କ୍ଷେତ୍ରରେ ନିଜ ଘରେ ବସି କାମ କରିବାର ଅନୁମତି ନଥିଲା । କମ୍ପାନୀ ଦ୍ୱାରା କେବଳ ଅଫିସ୍ରେ ହିଁ କାମ କରିବାର ଅନୁମତି ଥିଲା । ମାତ୍ର କରୋନା ଭୂତାଣୁ ସଂକ୍ରମଣ ପର ଠାରୁ ଏବେ କମ୍ପାନୀ ଓ କର୍ମଚାରୀ ମାନେ ବେଶ୍ ସତର୍କ ହୋଇଛନ୍ତି । ଯଦ୍ୱାରା ଆଇଟି ସହିତ ଅନ୍ୟାନ୍ୟ କମ୍ପାନୀ ମଧ୍ୟ ନିଜ କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ଅନୁମତି ଦେବାରେ ଲାଗିଛନ୍ତି । ପୂର୍ବରୁ ଯେଉଁ କ୍ଷେତ୍ରରେ ଘରେ ବସି କାମ କରିବାର ସୁଯୋଗ ନଥିଲା, ଏବେ ତାହା ଉପଲବ୍ଧ ହେଉଛି । ମାତ୍ର ନିର୍ମାଣ ଭଳି କ୍ଷେତ୍ରରେ ଏବେ ଏହା କାର୍ଯ୍ୟକାରୀ ହେବା ଅସମ୍ଭବ ବୋଲି କୁହାଯାଉଛି ।
ବାସ୍ତବରେ ଆମ ଦେଶରେ ଘରେ ବସି କମ୍ପାନୀ ପାଇଁ କାମ କରିବା ଏତେ ସହଜ ହେବ ନାହିଁ । କାରଣ ଭାରତ ଏବେ ଏଥିପାଇଁ ପ୍ରସ୍ତୁତ ଭଳି ଲାଗୁନାହିଁ । ଭିତିଭୂମି ସଜାଡ଼ିବାକୁ ନିଶ୍ଚୟ ସମୟ ଲାଗିବ । ଅବଶ୍ୟ କେତେକ ଭାରତୀୟ କମ୍ପାନୀ ଟେକ୍ନୋଲାଜି ଓ ଟୁଲ୍ସ ହିସାବରେ ଖୁବ୍ ଭଲ ସ୍ଥିତିରେ ଅଛନ୍ତି । କିନ୍ତୁ ଭାରତରେ ଅଧିକାଂଶ କମ୍ପାନୀ ଏବେ ମଧ୍ୟ କର୍ମଚାରୀ ଅଫିସରେ ବସି କାମ କରନ୍ତୁ ବୋଲି ଚାହାନ୍ତି । ଯାହା ଜଣାପଡ଼ୁଛି, କରୋନା ନହଟିବା ଯାଏ ବିଭିନ୍ନ କ୍ଷେତ୍ରରେ ବଦଳି ଯିବ ମଣିଷର ଅଭ୍ୟାସ!
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published.