କୋଭିଡ୍ ଗାଇଡ ଲାଇନକୁ ଟ୍ରକ ମାଲିକ ସଂଘର ବେଖାତିର!
ପାରାଦୀପ ଗଡ, (ଓଏନ୍ଏସ୍): ପାରାଦୀପ ଅଂଚଳରେ ସର୍ବ ପୂରାତନ ଏବଂ ସର୍ବ ବୃହତ କୁହାଯାଉଥିବା ଏକ ଗାଡିମାଲିକ ସଂଘ ମାହାମାରୀ କରୋନା ଗାଇଡ ଲାଇନକୁ ଖୋଲା ଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳିଛି । ଯାହା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଜଣାପଡ଼ିଛି ଯେ, ପାରାଦୀପ ନିକଟସ୍ଥ ତାରିଣୀ ଗଡା ନିକଟରେ ଏହି ସଂଘର କାର୍ଯ୍ୟାଳୟ ରହିଛି । କିଛି ଦିନ ତଳେ ଉକ୍ତ ଅଂଚଳରେ କରୋନା ପଜେଟିଭ୍ ବାହାରିଥିବା ଘଟଣା ପ୍ରଚାରିତ ହେବା ପରେ ଉକ୍ତ ସ୍ଥାନରେ ଗଠିତ ନାଗରିକ ପରିଷଦ ସ୍ଥାନୀୟ ଅଂଚଳ ପାଇଁ ବିଭିନ୍ନ କଟକଣା ଜାରି କରିଥିଲା । ଲୋକଙ୍କ ମନରୁ ସେହି ଭୟ ନ ଯାଉଣୁ ସଂପୃକ୍ତ କାର୍ଯ୍ୟାଳୟରେ ଉକ୍ତ ଟ୍ରକ ସଂଘର ପ୍ରାୟ ସିଂହଭାଗ ସଦସ୍ୟ ଏକାଠି ହେବା ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏତେ ସଂଖ୍ୟକ ଲୋକ ଗୋଟିଏ ସ୍ଥାନରେ ଦୀର୍ଘ ସମୟ କିଭଳି ଭାବେ ଏକାଠି ହୋଇ ଆଲୋଚନା ଚକ୍ରରେ ଭାଗ ନେଲେ, ତାହା ପ୍ରଶାସନ ଜାଣି ପାରିଲା ନାହିଁ କେମିତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶେଷ ମୁହୂର୍ତରେ ଲୋକ ଦେଖାଣିଆ ଭାବେ ସେଠାରେ କୁଆଡ଼େ ପୋଲିସ ପହଁଚି ଥିଲା ବୋଲି ଚର୍ଚ୍ଚା ହେଉଛି । ଘଟଣା କ୍ରମରୁ ଯାହା ଜାଣିବାକୁ ମିଳିଛି ଯେ, କୌଣସି କାରଣ ନେଇ ଉକ୍ତ ସଂଘର ସଂପାଦକ ନୋଟିସ ଦ୍ୱାରା ସଂଘର ସଦସ୍ୟ ମାନଙ୍କୁ ସଂଘ କାର୍ଯ୍ୟାଳୟରେ ତୁରନ୍ତ ପହଁଚିବା ପାଇଁ ଜଣାଇଥିଲେ । ମାତ୍ର ଏହି ଡ଼ାକରା ସଦସ୍ୟମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିବା ଦେଖା ଯାଇଥିଲା । ଗୋଟିଏ ପଟରେ ମହାମାରୀ କରୋନା ଭୟ ଓ ଅନ୍ୟ ପଟରେ ନ ପହଁଚିଲେ ମାସେ ପାଇଁ ଗାଡି ଭଡା ପାଇବାରୁ ବଂଚିତ ହେବାର ଭୟ । ଏଣୁ ବାଧ୍ୟ ହୋଇ ସଦସ୍ୟ ମାନେ ସଂଘ କାର୍ଯ୍ୟାଳୟ ନିକଟରେ ଶହଶହ ସଂଖ୍ୟାରେ ଜମା ହୋଇ ଥିଲେ । ଏହି ସଂଘରେ ପ୍ରାୟ ଏକ ହଜାରରୁ ଉର୍ଧ ସଦସ୍ୟ ରହି ଗାଡି ଚଳାଚଳ କରୁଥିବା ଜାଣିବାକୁ ମିଳିଛି । ଅନେକ ସଦସ୍ୟ (ଗାଡି ମାଲିକ) ଏହି ନୋଟିସ ପାଇ ଆସିବାକୁ ଅନିଛା ପ୍ରକାଶ କରୁଥିଲେ ବି ପରିସ୍ଥିତିରେ ପଡି ସେଠାକୁ ଆସିଛନ୍ତି ବୋଲି ନିଜ ନାମ ଲୁଚାଇ କହିଛନ୍ତି । ସୂଚନାଯୋଗ୍ୟ ଯେ, ସରକାର ଜରୁରୀ ସାମଗ୍ରୀ ପରିବହନ ପାଇଁ ଟ୍ରକ ଗୁଡିକ ନିୟୋଜନରେ କିଛି ବ୍ୟତିକ୍ରମ ନ ହେବାକୁ ନିର୍ଦେଶନାମା ଜାରି କରିଛନ୍ତି । ଏଥିସହିତ ପ୍ରତ୍ୟେକ ସଂସ୍ଥା ଶତକଡା ୩୦ ଭାଗ କର୍ମଚାରୀଙ୍କ ଦ୍ୱାରା ନିଜର କାର୍ଯ୍ୟ ସଂପାଦନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ସେହିପରି ଗୋଟିଏ ସ୍ଥାନରେ ଶତାଧିକ ଲୋକେ ଏକତ୍ରିତ ନ ହେବାକୁ ମଧ୍ୟ ଘୋଷଣା ନାମା ଜାରି ହୋଇଛି । ତେବେ ସରକାରଙ୍କ କୋଭିଡ଼୍ ଆଇନ୍ କୁ ସାଧାରଣରେ କାର୍ଯ୍ୟକାରୀ କରାଯାଉଥିବା ବେଳେ ପରିବହନରେ ସାମିଲ ଥିବା ସଂଘ କିଭଳି ବେଖାତିର ଭାବେ କୋଭିଡ୍ ଗାଇଡ ଲାଇନକୁ ଉଲ୍ଲଙ୍ଘନ କରୁଛି, ତାହା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ଅନ୍ୟ ଏକ ଅଭିଯୋଗରୁ ଜଣା ପଡ଼ିଛି, ଉକ୍ତ ସଂଘ କାର୍ଯ୍ୟାଳୟ ନିକଟସ୍ଥ ଜନ ଗହଳି ପୂର୍ଣ୍ଣ ରାସ୍ତା ଉପରେ ଅଧିକାଂଶ ସଦସ୍ୟ ନିଜର ଭାରି ଯାନ ଗୁଡିକୁ ଦୀର୍ଘ ସମୟ ରାସ୍ତା ଉପରେ ଛିଡା କରୁ ଥିବାରୁ ସେହି ସ୍ଥାନରେ ବାରମ୍ବାର ଦୂର୍ଘଟଣା ଘଟୁଛି । ଏଥିଯୋଗୁ ସ୍ଥାନୀୟ ପୁଲିସ ପ୍ରଶାସନ କେତବେଳେ ତାରିଣୀଗଡା ଡିଭାଇଡର କଟକୁ ସିଲ କରୁଛି ତ କେତବେଳେ ଖୋଲା ରଖୁଛି । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି । ଭାରି ଯାନଗୁଡିକୁ ବେଫିକର ଭାବେ ରାସ୍ତା କଡରେ ରଖି ଦେବା ଫଳରେ ମଟର ସାଇକେଲ ଆରୋହୀ, କାର ଚାଳକ ଏବଂ ପଥଚାରୀ ମାନେ ବିପରୀତ ରାସ୍ତାରେ ଯାତାୟତ କରୁଛନ୍ତି । ଫଳତଃ ରାସ୍ତା ଯାମ୍ ହେବା ସହ ଦୂର୍ଘଟଣା ଘଟୁଛି । ଏଥିପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।