କରୋନା କବଳରରୁ ସମାଜକୁ ରକ୍ଷା କରିବାର ବେଳ

ଶରତ କୁମାର ରାଉତ
ଆମ ଦେଶରେ କରୋନାର ତାଣ୍ଡବ ଯୋଗୁ ମୃତୁ୍ୟ ସଂଖ୍ୟା ୨୬,୮୧୬ ଅତିକ୍ରମ କରି ଗଲାଣି । ବାସ୍ତବରେ ଏହି ସଂଖ୍ୟା ମନରେ ଦୁଃଖ ଓ ଭୟ ସୃଷ୍ଟି କରୁଛି । କିନ୍ତୁ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ମୃତୁ୍ୟ ସଂଖ୍ୟାର ଅନୁପାତ ଦୃଷ୍ଟିରୁ ଭାରତର ସ୍ଥିତି ବିଶ୍ୱରେ ଭଲ ଅଛି ବୋଲି କୁହା ଯାଇପାରେ । ତେବେ ପ୍ରତ୍ୟେକ ମୃତୁ୍ୟ ଗୋଟିଏ ପରିବାର ପାଇଁ ବହୁତ ବଡ଼ ଦୁର୍ଘଟଣା । ଆମେ କେବଳ କାଗଜ କଲମରେ ହିସାବ କରି ବିଶ୍ୱରେ ଆମର ମୃତୁ୍ୟ ସଂଖ୍ୟାର ଅନୁପାତ ବହୁ କମ୍ ଅଛି କହି ନିଜକୁ ଆଶ୍ୱସନା ଦେଇପାର । ଅବଶ୍ୟ ଆମ ସରକାର ମୃତୁ୍ୟ ସଂଖ୍ୟା ହ୍ରାସ କରାଇବା ଦିଗରେ ଜୋରଦାର ଉଦ୍ୟମ କରୁଥିବା ଆମେ ଦେଖୁଛେ । ଜୁନ୍ ମାସ ଆରମ୍ଭରୁ ଅଧିକାଂଶ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢି ଜୁଲାଇ ମାସରୁ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି । ସବୁ ରାଜ୍ୟରେ ରାଜ୍ୟ ସରକାର ମାନେ ଘନଘନ ବୈଠକ କରି କରୋନାର ମୁକାବିଲା ପାଇଁ ଚେଷ୍ଟା କରୁଥିବାବେଳେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାର ମାନଙ୍କ ସହିତ ସ୍ଥିତି ସଂପର୍କରେ ଲଗାତାର ଆଲୋଚନା ଜାରି ରଖିଛନ୍ତି ଓ ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ୀ କର୍ମୀ ଓ ଆଶା କର୍ମୀଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ତଥାପି ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡ଼ୁ, ଓଡ଼ିଶା ଭଳି କେତେକ ରାଜ୍ୟରେ କରୋନା ଭୂତାଣୁ ଅଣାୟତ ହେବା ଭଳି ଲାଗୁଛି । ଏହି ଅବସ୍ଥାରେ ଆମକୁ ମୃତୁ୍ୟ ସଂଖ୍ୟା ହ୍ରାସ କରାଇବାର ଆବଶ୍ୟକତା ରହିଛି । କରୋନା ପରିକ୍ଷା ସଂଖ୍ୟା ବଢାଇବା ସହ ରୋଗୀ ମାନଙ୍କ ପାଇଁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ହେବା ଉଚିତ । ଅବଶ୍ୟ ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରିନାହିଁ । ହେଲେ ଏହାର ଅର୍ଥ ନୁହେଁ ଯେ ରୋଗୀ ମାନଙ୍କୁ ବଂଚାଇବା ପାଇଁ କେବଳ ରୋଗୀଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ନିର୍ଭର କରେ । ଆମର ସୁଦକ୍ଷ ଡ଼ାକ୍ତର ମାନେ ମଧ୍ୟ ବୟସ୍କ ଓ ବିଭିନ୍ନ ରୋଗ ଗ୍ରସ୍ତ କରୋନା ରୋଗୀ ମାନଙ୍କୁ ବହୁ ସଂଖ୍ୟାରେ ସଫଳ ଚିକିତ୍ସା କରି ଆୋଗ୍ୟ କରୁଛନ୍ତି । ବାସ୍ତବତା ହେଲା, ରୋଗୀ ମାନଙ୍କୁ ବଂଚାଇବା ପାଇଁ ଆମ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ପ୍ରାଣପଣେ ଚେଷ୍ଟା କରୁଛନ୍ତି ଓ ସଫଳ ବି ହେଉଛନ୍ତି ।
ତଥାପି ଓଡ଼ିଶା ସମେତ ଆମ ଦେଶରେ ମହାମାରୀ କରୋନା ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି । ମାତ୍ର ସୁଖର କଥା ହେଲା, ସଂକ୍ରମିତ ସଂଖ୍ୟା ସହ ତାଳ ଦେଇ ଏହି ରୋଗରୁ ଆରେଗ୍ୟ(ସୁସ୍ଥ) ସଂଖ୍ୟା ମଧ୍ୟ ବଢୁଛି । ତଥାପି କରୋନାର ଦ୍ରୂତ ସଂକ୍ରମଣ ଆମ ପାଇଁ ଘୋର ଚିନ୍ତାର ବିଷୟ ହୋଇଛି । ଆମ ଦେଶରେ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ୧୭୩ ଜଣ ସଂକ୍ରମିତ ରୋଗୀ ଥିଲା ବେଳେ ମୃତୁ୍ୟ ସଂଖ୍ୟା ମାତ୍ର ୪ ଥିଲା । ଏପି୍ରଲ୍ ୧ ତାରିଖରେ ଦେଶରେ ୧୭୫୧ ଜଣ ସଂକ୍ରମିତ ରୋଗୀ ଥିଲା ବେଳେ ମୃତୁ୍ୟ ସଂଖ୍ୟା ୫୩ ଥିଲା । ମାତ୍ର ମଇ ୧ ତାରିଖରେ ଦେଶରେ ୩୩,୬୧୦ ଜଣ ସଂକ୍ରମିତ ରୋଗୀ ହୋଇ ଯାଇଥିଲେ ଓ ମୃତୁ୍ୟ ସଂଖ୍ୟା ୧,୦୭୫ ରେ ପହଂଚି ଯାଇଥିଲା । ଆଉ ମଇ ୧୫ ତାରିଖରେ ଦେଶରେ ୭୮,୦୦୩ ଜଣ ସଂକ୍ରମିତ ରୋଗୀ ଥିଲା ବେଳେ ମୃତୁ୍ୟ ସଂଖ୍ୟା ୨,୫୪୯ ଥିଲା । ସେହିପରି ଜୁନ୍ ୧ ତାରିଖରେ ଦେଶରେ ୧,୯୨,୭୮୨ ଜଣ ସଂକ୍ରମିତ ରୋଗୀ ଥିଲା ବେଳେ ମୃତୁ୍ୟ ସଂଖ୍ୟା ୫,୪୧୫ ଥିଲା । ମାତ୍ର ଜୁନ୍ ୧୫ ତାରିଖରେ ୩,୩୬,୧୮୫ ଜଣ ସଂକ୍ରମିତ ରୋଗୀ ଥିଲା ବେଳେ ମୃତୁ୍ୟ ସଂଖ୍ୟା ୯,୫୯୦ ଥିଲା । ସେହିପରି ଜୁଳାଇ ୧ ତାରିଖରେ ୫,୭୪,୯୨୬ ଜଣ ସଂକ୍ରମିତ ରୋଗୀ ଥିଲା ବେଳେ ମୃତୁ୍ୟ ସଂଖ୍ୟା ୧୭,୦୩୮ଥିଲା । ଆଉ ଜୁଲାଇ ୧୦ ତାରିଖରେ ୭,୯୮,୧୬୧ ଜଣ ସଂକ୍ରମିତ ରୋଗୀ ଥିଲା ବେଳେ ମୃତୁ୍ୟ ସଂଖ୍ୟା ୨୧,୬୫୬ ଥିଲା । ହେଲେ ଆଜି ପର୍ଯ୍ୟନ୍ତ ୧୦,୭୭,୮୧୮ ଜଣ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୬,୭୭,୪୨୩ ଜଣ ଆରୋଗ୍ୟ (ସୁସ୍ଥ) ଲାଭ କରିଛନ୍ତି ଓ ୨୬,୮୧୬ ଜଣ ମୃତୁ୍ୟ ବରଣ କରିଛନ୍ତି । ଏଥିରୁ କରୋନାର ଭୟାବହତା ସଂପର୍କରେ ଅନୁଭବ କରାଯାଇପାରେ ।
ତେବେ ଓଡ଼ିଶାର କେତେକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁ ଥିବାରୁ ସାଧାରଣରେ ଚିନ୍ତାର ବିଷୟ ହୋଇଛି । ଏପ୍ରିଲ ୧ ତାରିଖରେ ଓଡ଼ିଶାରେ ମାତ୍ର ୫ ଜଣ କରୋନା ରୋଗୀ ସଂକ୍ରମିତ ହୋଇଥିବା ବେଳେ ମଇ ୧ ତାରିଖ ପର୍ଯ୍ୟନ୍ତ ୧୪୨ ଜଣ, ମଇ ୧୫ ତାରିଖ ପର୍ଯ୍ୟନ୍ତ ୬୨୪ ଜଣ, ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ୨,୧୦୪, ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ୪,୦୫୫ ଜଣ, ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ୭,୩୧୬ ଜଣ, ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ୧୧,୯୫୬ ଜଣ ଓ ଆଜି ପର୍ଯ୍ୟନ୍ତ୧୬,୭୦୧ ଜଣ ସଂକ୍ରମିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୯୧ ଜଣ ମୃତୁ୍ୟ ବରଣ କରିଛନ୍ତି ଏବଂ ୧୧,୯୩୭ ଜଣ ଆରୋଗ୍ୟ(ସୁସ୍ଥ) ହୋଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କରୋନା ଭୂତାଣୁ କ୍ରମେ ଭୟଙ୍କର ରୂପ ନେଉଛି । ଗଞ୍ଜାମ ଜିଲ୍ଲାର ସ୍ଥିତି ରାଜ୍ୟ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ସମସ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ପ୍ରଶାସନ ଉଦ୍ୟମ ଜାରି ରଖିଛି । ତଥାପି ତୀବ୍ର ଗତିରେ ସଂକ୍ରମଣ ସଂଖ୍ୟା ବଢୁଛି । ଏଠାରେ ସର୍ବାଧିକ ୫,୨୮୩ କରୋନା ରୋଗୀଙ୍କ ମଧ୍ୟରୁ ୩,୨୭୫ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୫୩ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୫୪ ଜଣଙ୍କର ମୃତୁ୍ୟ ହୋଇଛି । ସେହିପରି ଖୋର୍ଦ୍ଦା ଜିଲ୍ଲାରେ ୧,୮୬୫ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୧,୦୪୦ ଜଣ ସୁସ୍ଥ ହୋଇଥିବାବେଳେ ୧୩ ଜଣଙ୍କର ମୃତୁ୍ୟ ଘଟିଛି ।
ଏହା ନିଶ୍ଚୟ ଆମ ପାଇଁ ସତର୍କର ଘଂଟି! ଏହି ଅବସ୍ଥାରେ ଆମକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଆମେ ସମସ୍ତେ ପ୍ରଶାସନର କରୋନା ସତର୍କତା ମାନି ଚଳିଲେ, ଆମେ ନିଜ ସହିତ ଆମ ସମାଜକୁ ମଧ୍ୟ ରକ୍ଷା କରି ପାରିବା ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published.