ବାପିଙ୍କୁ ଛାଡି ସମ୍ପଦଙ୍କ ୟୁନିୟନରେ ସାମିଲ ହେଲେ

ପୂର୍ବତନ ଟ୍ରଷ୍ଟି ପରେଶ ମୁର୍ମୁ ଓ ବନ୍ଦର କର୍ମଚାରୀ

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପରେ ଶ୍ରମିକ ସଂଗଠନର ଚିତ୍ର ଦିନକୁ ଦିନ ବଦଳିବାରେ ଲାଗିଛି । କାଲି ଯିଏ ଥିଲା ଶତୃ୍ର ଆଜି ସେ ମିତ୍ର ପାଲଟିଛି । ଏହିଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ରବିବାର ଦିନ । ପାରାଦ୍ୱୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘର ବରିଷ୍ଠ ସଦସ୍ୟ ତଥା ପାରାଦ୍ୱୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ପରେଶ ମୁର୍ମୁ ରବିବାର ଦିନ ପାରାଦ୍ୱୀପ ପୋର୍ଟ ମଜଦୁର ସଂଘରେ ସାମିଲ ହୋଇଛନ୍ତି । ଗତ ସାଧାରଣ ନିର୍ବାଚନରେ ଶ୍ରମିକ ମାନଙ୍କ ମଙ୍ଗ ଧରି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅରିନ୍ଦମ ସାର୍ଖେଲ(ବାପି)ଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ପରେଶ । ବାପି ସାର୍ଖେଲଙ୍କ ୟୁନିୟନରୁ ପାରାଦ୍ୱୀପ ବନ୍ଦର ଟ୍ରଷ୍ଟ ବୋର୍ଡ କୁ ନିର୍ବାଚିତ ହୋଇ ଯାଇଥିଲେ ଶ୍ରୀ ମୁର୍ମୁ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା, ପାରାଦ୍ୱୀପ ବନ୍ଦରକୁ ପ୍ରଦୂଷଣ ମୁକ୍ତ କରିବା, ବନ୍ଦର ଅନ୍ତେବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଆଦି ବହୁ ଲୋକଭୀମୂଖୀ କାର୍ଯ୍ୟ କରିଥିବା ରବିବାର ଦିନ କହିଛନ୍ତି । ତାଙ୍କର ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶକୁ ସାର୍ଖେଲ ଗ୍ରହଣ ନ କରି ଓଲଟି ପ୍ରଶାସନ ସହ ସାଲିସ କରିବାରୁ କ୍ଷୁବ୍ଧ ହୋଇ ସେ ବାପି ସାର୍ଖେଲଙ୍କ ଶ୍ରମିକ ସଂଗଠନ ଛାଡି ପାରାଦ୍ୱୀପ ପୋର୍ଟ ମଜଦୁର ସଂଘରେ ସାମିଲ ହୋଇଛନ୍ତି । ରବିବାର ଦିନ ପାରାଦ୍ୱୀପ ନୂଆବଜାର ସ୍ଥିତ ଅଟଳବିହାରୀ ବାଜପେୟୀ ଟ୍ରଷ୍ଟ ପରିସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ପାରାଦ୍ୱୀପ ପୋର୍ଟ ମଜଦୁର ସଂଘର ମୁଖ୍ୟ ଉପଦେଷ୍ଟା ତଥା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସମ୍ପଦ ଚରଣ ସ୍ୱାଇଁ ଯୋଗ ଦେଇଥିଲେ । ପରେଶ ମୁର୍ମୁ ଙ୍କ ସହିତ ଶତାଧିକ ବନ୍ଦର କର୍ମଚାରୀ ସମ୍ପଦକଙ୍କ ଉପରେ ଆସ୍ଥା ପ୍ରକଟ କରି ମଜଦୁର ସଂଘରେ ଯୋଗ ଦେଇଥିଲେ । ମଜଦୁର ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ସ୍ୱାଇଁ ଶ୍ରମିକ ନେତା ପରେଶଙ୍କ ସମେତ ଉପସ୍ଥିତ ବନ୍ଦର କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଥିଲେ । ପାରାଦ୍ୱୀପ ବନ୍ଦର ଦିନକୁ ଦିନ ଉନ୍ନତି ପଥରେ ଆଗକୁ ବଢୁ ଏହା ମୋର ଏକମାତ୍ର ଚିନ୍ତା ।
ଏଥିପାଇଁ ଯାହାବି ବଳିଦାନ ଦେବାକୁ ହେବ ସେ ପ୍ରସ୍ତୁତ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ବଡ ବଡ ଶିଳ୍ପପତିଙ୍କୁ ଖୁସ କରିବା ପାଇଁ ଯେଉଁମାନେ ହତ୍ୟାଭଳି ଜଘନ୍ୟ ଷଡଯନ୍ତ୍ର କରି ପାରନ୍ତି, ସେଭଳି ବ୍ୟକ୍ତିମାନେ କେବେ ମଧ୍ୟ ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ଲଢେଇ କରିପାରିବେ ନାହିଁ । ସେହିଭଳି ନକଲି ଶ୍ରମିକ ନେତାମାନେ ସବୁବେଳେ ନୀରିହ ଶ୍ରମିକ ମାନଙ୍କ ଶୋଷଣ ଏବଂ ସେମାନଙ୍କୁ ନିଜ ସ୍ୱାର୍ଥରେ ବ୍ୟବହାର କରନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ବାପି ସାର୍ଖେଲଙ୍କ ଶ୍ରମିକ ସଂଗଠନ ଛାଡି ପରେଶଙ୍କ ନେତୃତ୍ୱରେ ଏହି ନୂତନ ସଂଗଠନରେ ଯୋଗ ଦେଇଥିବା ବନ୍ଦର କର୍ମଚାରୀ ଚନ୍ଦ୍ରକାନ୍ତ ସାମଲଙ୍କ ସମେତ ଅନ୍ୟ କର୍ମଚାରୀମାନେ କହିଥିଲେ । ଆଗାମୀ ଦିନରେ ଶ୍ରମିକମାନଙ୍କର ନାର୍ଯ୍ୟ ଦାବୀ ପାଇଁ ସଂଗଠନ କାର୍ଯ୍ୟ କରିବ ବୋଲି ଶ୍ରୀ ସ୍ୱାଇଁ ଓ ମୁର୍ମୁ ଘୋଷଣା କରିଥିଲେ । ଏହି ମିଶ୍ରଣ ପର୍ବରେ ପାରାଦ୍ୱୀପ ପୋର୍ଟ ମଜଦୁର ସଂଘର ସାଧାରଣ ସଂପାଦକ ଅରୁଣ ସ୍ୱାଇଁ, ଆଇନ୍ ପରାମର୍ଶଦାତା କୈଳାଶ ଚନ୍ଦ୍ର ସାହୁ, ହଟ୍ଟ କିଶୋର ସେଠୀ ପ୍ରମୁଖ ଯୋଗଦେଇ ବନ୍ଦର କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave a Reply

Your email address will not be published.