ପାରାଦୀପ ଅନ୍ତେବାସୀଙ୍କ କୋଭିଡ୍ ଟେଷ୍ଟ ପାଇଁ ନିବେଦନ କଲା ପାରାଦୀପ ଯୁବକ ସଂଘ
ପାରାଦୀପ, (ଆଇଏନ୍ଏସ୍): ପାରାଦୀପ ଅଂଚଳରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବନ୍ଦର ସହର ପାରାଦୀପକୁ କୋରନା ସଂକ୍ରମଣ ରୋକିବାରେ ଜିଲ୍ଲା ପ୍ରଶାସନ, ବନ୍ଦର ପ୍ରଶାସନ ଓ ପୋଲିସ ପ୍ରଶାସନ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି ତଥାପି ସଂକ୍ରମଣ ବଢିବାରେ ଲାଗିଛି । ବନ୍ଦରାଂଚଳର ଲୋକମାନଙ୍କୁ କୋରନା ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ପାରାଦୀପ ଅନ୍ତେବାସୀଙ୍କର ଟେଷ୍ଟ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛି ପାରାଦୀପର ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଂଗଠନ ପାରାଦୀପ ଯୁବକ ସଂଘ । ପାରାଦୀପ ଯୁବକ ସଂଘର ସଭାପତି ଇଂ ମନୋଜ କୁମାର ନାୟକଙ୍କ ନେତୃତ୍ୱରେ ସଂଘର କିଛି ସଦସ୍ୟ କୋଭିଡ୍ ନିୟମ ପାଳନ କରି ଏକ ଅନୁରୋଧ ପତ୍ର ପାରାଦୀପର ଅତିରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉ କି ବିଶ୍ୱମହାମାରୀ କୋରନା ଆରମ୍ଭରୁ ପାରାଦୀପ ଯୁବକ ସଂଘର ସଦସ୍ୟମାନେ ସଚେତନତା କରିବା ସହ ମାନସିକ ବିକାରଗ୍ରସ୍ତଙ୍କୁ ଖାଦ୍ୟ ବଂଟନ କରି ଆସୁଛନ୍ତି । ଗତ ଅମ୍ଫାନ ବାତ୍ୟା ଓ ବର୍ତମାନର ବନ୍ୟାରେ ଯୁବକ ସଂଘର ସଦସ୍ୟମାନେ ବନ୍ୟା ପ୍ରଭାବିତଙ୍କୁ ରିଲଫ୍ ପ୍ରଦାନ କରି ପ୍ରଶଂସିତ ହୋଇଛନ୍ତି । ପାରାଦୀପରେ ବହୁ ତଥାକଥିତ ସମାଜସେବୀ ଓ ସ୍ୱେଚ୍ଛାସେବୀ ସଂଗଠନ ଆତ୍ମ ପ୍ରଚାରରେ ବ୍ୟସ୍ତ ଥିବାବେଳେ ପାରାଦୀପବାସୀଙ୍କ କଥା କେହି ବି ଚିନ୍ତା କରୁ ନାହାଁନ୍ତି । ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଯୁବକ ସଂଘ ପ୍ରଥମ ସଂଗଠନ ଭାବେ ପାରାଦୀପର କଲୋନୀ ଓ ବସ୍ତିବାସିନ୍ଦାଙ୍କର କୋଭିଡ୍ ଟେଷ୍ଟ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିବା ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି ।