ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ପାର୍ବଣ ପୂଜା ଆରମ୍ଭ
ନୟହାଟ, (ଆଇଏନ୍ଏସ୍): ଗୋପ ବ୍ଲକ ଅନ୍ତର୍ଗତ ନୟାହାଟସ୍ଥିତ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ଅଧିଷ୍ଠାତ୍ରୀ ଦେବୀ ମା’ ଶ୍ୟାମାକାଳୀଙ୍କ ପାର୍ବଣ ପୂଜା ଆଶ୍ୱିନ କୁଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି । ଏହା ଆଶ୍ୱିନ ଶୁକ୍ଳ ପକ୍ଷ ଅକ୍ଟୋବର ୨୩ ତାରିଖ ଦିନ ଚାଲୁ ରହିବ ବୋଲି ଆଶ୍ରମର ମୁଖ୍ୟ ପରିଚାଳକ ବାବାଜୀ ଦାମୋଦର ଦାସ ପ୍ରକାଶ କରିଛନ୍ତି । ମହାମାରୀ କରୋନା ଯୋଗୁ ରାଜ୍ୟ ସରକାରଙ୍କ କଟକଣା ହେତୁ ବିଭିନ୍ନ ପ୍ରାନ୍ତରୁ ଭକ୍ତମାନଙ୍କ ଏଠାେରେ ପହଂଚିବାକୁ ଆଗ୍ରହ ଥିଲେ ସୁଦ୍ଧା ବାରଣ କରାଯାଇଛି । ଚଳିତବର୍ଷ ମଳମାସ ପଡୁଥିବାରୁ ଏହା ୪୪ ଦିନ ଯାଏ ମା’ଙ୍କର ପୂଜାର୍ଚ୍ଚନା ଚାଲୁ ରହିବ । ପ୍ରଥମ ଦିନ ଅର୍ଥାତ ମୂଳାଷ୍ଟମୀ ଦିନ ମା’ଙ୍କ ମହାସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା । ପରେ ସୂର୍ଯ୍ୟ ପୂଜା, କଳସ ପୂଜା ଓ ଦ୍ୱାରପାଳ ପୂଜା ପରେ ପ୍ରତ୍ୟେକ ଦିନ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହିତ ଚଣ୍ଡି ପାଠ କରାଯାଇଥାଏ । ଏଠାରେ ଗୋଟିଏ ଛାତ ତଳେ ମା’ ଶ୍ୟାମାକାଳୀ ଓ ଦକ୍ଷିଣକାଳୀ ସମନ୍ୱୟରେ ପୂଜା ପାଇଥାନ୍ତି । ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ମାତୃ ଉପାସକ ଥିଲେ । ଶ୍ରୀ ଶ୍ରୀ ଗୁରୁଦେବଙ୍କ ନିର୍ଦେଶ ଅନୁଯାୟୀ ୧୯୪୧ ମସିହାରୁ ଏଠାରେ ଶକ୍ତିପୀଠ ସ୍ଥାପନ କରାଯାଇଥିଲା । ଏହି ପାର୍ବଣ ପୂଜାରେ ପ୍ରତିଦିନ ପହିଲି ଭୋଗ, ରାଜଭୋଗ ଓ ପଣା ଭୋଗ କରାଯାଇଥାଏ । ପରମ୍ପରା ଅନୁଯାୟୀ ମହାଷ୍ଟମୀ ଦିନ ମା’ଙ୍କ ନିକଟରେ ପାଣି କଖାରୁ ବଳି ଦିଆଯାଇଥାଏ ।