ରାମଗିରି ଶକ୍ତିପୀଠ, ମଧ୍ୟପ୍ରଦେଶ

ଶରତ କୁମାର ରାଉତ
ରାମଗିରି ଶକ୍ତିପୀଠ ହିନ୍ଦୁ ମାନଙ୍କ ପାଇଁ ପ୍ରମୁଖ ଧାର୍ମିକ ସ୍ଥଳୀ ଭାବେ ପରିଚିତ । ଏହି ଶକ୍ତିପୀଠରେ ମାତା ସତୀଙ୍କ ଡ଼ାହାଣ ସ୍ତନ ଖଣ୍ଡ ପଡ଼ିଥିଲା । ଅବଶ୍ୟ ରାମଗିରି ଶକ୍ତିପୀଠକୁ ନେଇ ଆଜି ପର୍ଯ୍ୟନ୍ତ ମତଭେଦ ଲାଗି ରହିଛି । କେତେକ ଭକ୍ତ ଓ ଶ୍ରଦ୍ଧାଳୁ ଶାରଦା ଦେବୀ ମନ୍ଦିରକୁ ଶକ୍ତିପୀଠ ମାନୁଛନ୍ତ, ଯାହା ମଧ୍ୟପ୍ରଦେଶ ରଜ୍ୟର ମୈହରରେ ଅବସ୍ଥିତ । ସେହିପରି ଆଉ କେତେକ ଭକ୍ତ ଓ ଶ୍ରଦ୍ଧାଳୁ ଶାରଦା ମନ୍ଦିରକୁ ଶକ୍ତିପୀଠ ଭାବେ ମାନୁଛନ୍ତି, ଯାହା ମଧ୍ୟପ୍ରଦେଶର ଚିତ୍ରକୁଟରେ ଅବସ୍ଥିତ । ଏହି ଦୁଇ ପ୍ରସିଦ୍ଧ ମନ୍ଦିର ହିଁ ମଧ୍ୟପ୍ରଦେଶରେ ଅବସ୍ଥିତ । ମାତ୍ର ଏହି ଦୁଇ ସ୍ଥାନ ମଧ୍ୟରୁ ବାସ୍ତବ ଶକ୍ତିପୀଠ କିଏ, ତାହା ଆଜି ପର୍ଯ୍ୟନ୍ତ କାହାକୁ ଜଣାନାହିଁ ।
ଶାରଦା ଦେବୀ ମନ୍ଦିର ମଧ୍ୟପ୍ରଦେଶ ରାଜ୍ୟର ସତନା ଜିଲ୍ଲାର ମୈହର ସହରରେ ଅବସ୍ଥିତ । ପ୍ରାୟ ୬ଶହ ଫୁଟ ଉଚ୍ଚ ତି୍ରକୁଟା ପାହାଡ଼ ଉପରେ ଶାରଦୀୟ ମନ୍ଦିର ରହିଛି, ଯାହାର ଦେବୀ ହେଉଛନ୍ତି, ମା’ଶ୍ରଦେ୍ଧୟ ଦେବୀ । ଏହି ମନ୍ଦିର ‘ମୈହରଦେବୀ ମାତା’ଙ୍କ ନାମରେ ମଧ୍ୟ ସୁପ୍ରସିଦ୍ଧ ।
ତେବେ ମାତା ସତୀଙ୍କ ଶକ୍ତିପୀଠ ମାନଙ୍କ ମଧ୍ୟରେ ଏହି ଶକ୍ତିପୀଠ ଅନ୍ୟତମ ଓ ଏହି ସ୍ଥାନରେ ମାତା ସତୀଙ୍କ ଡ଼ାହାଣ ସ୍ତନ ଖଣ୍ଡ ପଡ଼ିଥିଲା । ଏଠାରେ ଶକ୍ତିଙ୍କ ପୂଜା ‘ଶିବାନୀ’ ରୂପରେ କରା ଯାଇଥାଏ ଓ ଭଗବାନ ଭୈରବ(ଯାହା ଭଗବାନ ଶିବଙ୍କ ଏକ ରୂପ)ଙ୍କୁ ‘ଚଣ୍ଡ’ରୂପରେ ପୂଜା କରାଯାଏ ।
ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଭରତୀୟ ଉପମହାଦେଶରେ ୪ଟି ଆଦି ଶକ୍ତିପୀଠ, ୧୮ଟି ମହା ଶକ୍ତିପୀଠ ଓ ୫୧ ଟି ଶକ୍ତିପୀଠ ରହିଛି । ତେବେ ଏହି ଶକ୍ତିପୀଠ ମାନଙ୍କ ମଧ୍ୟରେ “ରାମଗିରି ଶକ୍ତିପୀଠ” ଅନ୍ୟତମ । ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ପୁରାଣ ବର୍ଣ୍ଣିତ ଏକ ଚମକପ୍ରଦ କାହାଣୀ ରହିଛି । ଭଗବାନ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ନିଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ନିଜର ଆତ୍ମଦାହ କରିଦେଲେ ।
ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ପାଖରେ ପହଞ୍ଚିଲେ ଓ ରାଗରେ ଜର୍ଜ୍ଜରିତ ହୋଇ ନିଜ ହାତରେ ସତୀଙ୍କ ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ମଣିଷ, ପଶୁ ଓ ଦେବୀ ଦେବତା ସମସ୍ତେ ଭୟରେ ଥରି ଉଠିଲେ । ଏହାର ସମାଧାନ ପାଇଁ ଦେବୀ ଦେବତା ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଏବେ ଭଗବାନ ବିଷ୍ଣୁ ଏହି ଧ୍ୱଂସରୁ ସାରା ବ୍ରହ୍ମାଣ୍ଡକୁ ରକ୍ଷା କରିବା ପାଇଁ ଉପାୟ ଖୋଜିଲେ ।
ଶେଷରେ ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ସତୀଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଞ୍ଚି ହୋଇ ପଡ଼ିଲା ।
ସର୍ବ ଶେଷରେ ମାତା ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ ।
ସେଦିନ ଠାରୁ ଭାରତୀୟ ଉପମହାଦେଶରେ ଶକ୍ତିପୀଠ ଗୁଡ଼ିକ ଅତ୍ୟନ୍ତ ପବିତ୍ର ତୀର୍ଥସ୍ଥାନ ଭାବେ ପରିଚିତ ହେଲେ । ରାମଗିରି ଶକ୍ତିପୀଠ, ଯାହା ଦୁଇ ସ୍ଥାନକୁ ବୁଝାଉଛି, ସେଠାରେ ମାତାଙ୍କ ସମସ୍ତ ପର୍ବ ପର୍ବାଣୀ ମହା ସମାରୋହରେ ପାଳନ କରାଯାଏ ।
ବିଷେଶତଃ ପବିତ୍ର ଦୁର୍ଗାପୂଜା ଓ ନବରାତ୍ର ଉତ୍ସବ ଅବସରରେ ମାତାଙ୍କର ବିଶେଷ ପୂଜାର ଆୟୋଜନ କରା ଯାଇଥାଏ । ଏହି ଉତ୍ସବ ଉପଲକ୍ଷେ କେତେକ ଭକ୍ତ ଓ ଶ୍ରଦ୍ଧାଳୁ ଭଗବାନଙ୍କ ପ୍ରତି ସମ୍ମାନ ଓ ସମର୍ପଣ ସ୍ୱରୂପ ବ୍ରତ(ଉପବାସ) ରଖିଥାନ୍ତି । ଉତ୍ସବ ସମୟରେ ମନ୍ଦିରକୁ ଫୁଲ ଓ ଆଲୋକ ମାଳାରେ ସଜା ଯାଇଥାଏ । ଶକ୍ତିପୀଠ ବା ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଶ୍ରଦ୍ଧାଳୁ ମାନଙ୍କ ମନ, ମସ୍ତିଷ୍କକୁ ଅପାର ଶାନ୍ତି ପ୍ରଦାନ କରିଥାଏ ।

ଭୁବନେଶ୍ୱର, ମୋ:୯୪୩୭୪୪୧୦୭୨

 

Leave a Reply

Your email address will not be published.