ଇଡ଼ାଣା ମାତାଙ୍କ ଶକ୍ତିପୀଠ, ରାଜସ୍ତାନ

ଇଡ଼ାଣା ମାତାଙ୍କ ଶକ୍ତିପୀଠ, ରାଜସ୍ତାନ

ଶରତ କୁମାର ରାଉତ
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାଜସ୍ତାନର ଉଦୟପୁର ଜିଲ୍ଲାର ବମ୍ବୋରା ଗାଁରେ ଇଡ଼ାଣା ମାତାଙ୍କ ବିଶାଳ ପ୍ରାକୃତିକ ପ୍ରତିମା ସ୍ୱୟଂ ନିଅାଁରେ ସ୍ନାନ କରିଥାନ୍ତି । ଯେଉଁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାତାଙ୍କ ଅଗ୍ନି ସ୍ନାନର ଦର୍ଶନ କରି ନିଅନ୍ତି, ସେମାନେ ନିଜକୁ ଧନ୍ୟ ମନେ କରନ୍ତି । ଅବଶ୍ୟ ଏହା ଅନ୍ଧ ବିଶ୍ୱାସ କି ଚମକ୍ରାର, ତାହା କାହାକୁ ଜଣାନାହିଁ ।
ରାଜସ୍ତାନର ଉଦୟପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୬୦ କିଲୋମିଟର ଦୂରରେ ଅବସ୍ଥିତ “ମାତା ଇଡ଼ାଣା”ଙ୍କ ମନ୍ଦିର ବା ମାତା “ଇଡ଼ାଣା ପ୍ରସିଦ୍ଧ ଶକ୍ତିପୀଠ” । ଏହି ମନ୍ଦିର ମଧ୍ୟ “ମାତା ଇଡ଼ାଣା ଧାମ” ନାମରେ ବେଶ୍ ପରିଚିତ । କୁହାଯାଏ ଯେ, ହଜାର ହଜାର ବର୍ଷ ପୁରୁଣା “ଶ୍ରୀ ଶକ୍ତିପୀଠ ଇଡ଼ାଣା ମାତା ମନ୍ଦିର”ରେ ଅଗ୍ନି ସ୍ନାନର ପରମ୍ପରା ରହି ଆସିଛି । ଏହି ମନ୍ଦିରରେ କୌଣସି ସମୟରେ ବି ହଠାତ୍ ନିଅାଁ ଲାଗି ଯାଇଥାଏ ଓ ଆପେ ଆପେ ନିଅାଁ ଲିଭି ଯାଇଥାଏ ।
ବହୁ ପୁରୁଣା କାଳରେ ରାଜତନ୍ତ୍ର ବେଳେ ରାଜା ମହାରାଜାଙ୍କର କୂଳ ଦେବତା ଭାବେ ମାତା ଇଡ଼ାଣା ପୂଜା ପାଉଥିବା କୁହାଯାଏ । ମାତାଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ “ମାତା ଇଡ଼ାଣା”ଙ୍କୁ ଗୋଡ଼ର କୌଣସି ଗହଣା, ଛାପାଶାଢୀ ଓ ତି୍ରଶୂଳ ଭେଟ କରନ୍ତି ।
ଆଶ୍ଚର୍ଯ୍ୟର କଥା ଯେ, ମାତାଙ୍କ ମନ୍ଦିରରେ କୌଣସି ପୂଜାରୀ ନଥାନ୍ତି । ଏଠାରେ ସମସ୍ତେ ଦେବୀ ମାତାଙ୍କ ସେବକ ଅଟନ୍ତି । ଏହି ଶକ୍ତିପୀଠକୁ ସବୁ ଧର୍ମର ଲୋକେ ଆସନ୍ତି । ଯେଉଁମାନେ ଏଠାକୁ ଆସନ୍ତି, ସମସ୍ତେ ମାତା ଇଡ଼ାଣାଙ୍କ ସେବକ ପାଲଟି ଯାଆନ୍ତି ।
ମାତାଙ୍କ ମନ୍ଦିରରେ ପକ୍ଷାଘାତ ରୋଗୀଙ୍କର ଚିକିତ୍ସା କରାଯାଏ । କୁହାଯାଏ ଯେ, ଯଦି କୌଣସି ପକ୍ଷାଘାତ ରୋଗୀ ମାତାଙ୍କ ମନ୍ଦିରକୁ ଆସନ୍ତି ତ ସେ ନିଶ୍ଚିନ୍ତ ଆରୋଗ୍ୟ ହୋଇ ଏଠାରୁ ଫେରନ୍ତି ।
“ମାତା ଇଡ଼ାଣା” ଙ୍କ ଏହି ମନ୍ଦିରର ଅଲୌକିକ ଅଗ୍ନି ସ୍ନାନ ପାଇଁ ସାରା ଦେଶରେ ପ୍ରସିଦ୍ଧ ହୋଇ ରହିଛି । ଦେବୀଙ୍କ ଏହି ଅଗ୍ନି ସ୍ନାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଏଠାରେ ଯେତେବେଳେ ଦେବୀ ପ୍ରସନ୍ନ ହୋଇ ଯାଆନ୍ତି ତ ସ୍ୱତଃ ଅଗ୍ନୀର ଚମକ ପ୍ରଜ୍ୱଳିତ ହୋଇ ଉଠେ । ପ୍ରତିମା ଓ ଛାପାଶାଢୀ ନିଅାଁ ଭିତରେ ଥିବା ପର୍ଯ୍ୟନ୍ତ ସ୍ୱଭାବିକ ଅବସ୍ଥାରେ ଥାଏ । ମାତ୍ର ଯେତେବେଳେ ଦେବୀ ମାତାଙ୍କ ଉପରେ ଛାପାଶାଢୀ, ଗୋଡ଼ର ଗହଣା ଓ ନଡ଼ିଆର ବୋଝ ହୋଇଯାଏ ତ ମାତା ସ୍ୱଂୟ ଅଗ୍ନି ସ୍ନାନ କରି ନିଜ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ନିଜ ଅଲୌକିକ ସ୍ୱରୂପର ଦର୍ଶନ ଦିଅନ୍ତି ।
“ମାତା ଇଡ଼ାଣା”ଙ୍କ ମନ୍ଦିରର ସେବକ କହନ୍ତି ଯେ, ମାତାଙ୍କ ଅଗ୍ନି ସ୍ନାନ ସମୟରେ ଆଶ୍ଚର୍ଯ୍ୟଜନକ ଭାବେ ମନ୍ଦିରରେ ରଖା ଯାଇଥିବା ବିଭିନ୍ନ ଜିନିଷପତ୍ର ମଧ୍ୟ ନିଅାଁରେ ଜଳି ଯାଇଥାଏ । ମାତ୍ର ମନ୍ଦିରରେ ମାତାଙ୍କ ପ୍ରତିମା ଓ ତା’ଉପରେ ଥିବା ଛାପାଶାଢୀ ନିଅାଁରେ ଜଳି ନଥାଏ ବା ସ୍ୱଭାବିକ ଅବସ୍ଥାରେ ଥାଏ । ମନ୍ଦିରରେ ନିଅାଁ କିପରି ଲାଗେ ଓ କିପରି ଲିଭେ, ଏହା କେହି ଜାଣନ୍ତି ନାହିଁ । ଏହି କାରଣରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ମନ୍ଦିରର ମାତାଙ୍କ ଉପରେ ଅତୁଟ ବିଶ୍ୱାସ ରହି ଆସିଛି । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହି ଘଟଣାକୁ ଚମକ୍ରାର ବୋଲି କହିଥାନ୍ତି । ଏହି ମନ୍ଦିର ଉପରେ କୌଣସି ଛାତ ନାହିଁ । ଏହା ସଂପୂର୍ଣ୍ଣ ଭାବରେ ଖୋଲା ସ୍ଥାନରେ ଅବସ୍ଥିତ । ଏହି ମନ୍ଦିର ଅରାବଳୀ ପାହାଡ଼ ଉପରେ ଅବସ୍ଥିତ ।
ଭାରତୀୟ ଉପମହାଦେଶରେ ଅବସ୍ଥିତ ଶକ୍ତିପୀଠ ମାନଙ୍କ ମଧ୍ୟରେ ରାଜସ୍ତାନର ଉଦୟପୁର ଜିଲ୍ଲାର ବମ୍ବୋରା ଗାଁରେ ଦେବୀ ଇଡ଼ାଣା ମାତାଙ୍କ ମନ୍ଦିର ବା ଶକ୍ତିପୀଠ ରହିଛି । ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ପୁରାଣ ବର୍ଣ୍ଣିତ ଏକ ଚମକପ୍ରଦ କାହାଣୀ ରହିଛି । ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ପାଖରେ ପହଂଚିଲେ ଓ ରାଗରେ ଜର୍ଜ୍ଜରିତ ହୋଇ ନିଜ ହାତରେ ସତୀଙ୍କ ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ଏହାର ସମାଧାନ ପାଇଁ ଦେବୀ ଦେବତା ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । କାହିିଁଁ କେଉଁ କାଳରୁ “ମାତା ଇଡ଼ାଣା”ଙ୍କ ମନ୍ଦିର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ । ପବିତ୍ର ନବରାତ୍ର ଉତ୍ସବ ସମୟରେ ଦେଶର ବିଭିନ୍ନ ଅଂଚଳରୁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ପୁରାଣ ଶାସ୍ତ୍ର ଅନୁଯାୟୀ ସମସ୍ତ ଶକ୍ତୀପୀଠରେ ମାତା ସତୀ ଦେବୀ ରୂପରେ ପୂଜା ପାଉଛନ୍ତି । ଏହି ଶକ୍ତିପୀଠର ଅନେକ ମହାତ୍ମ୍ୟ ରହିଛି । ଯେଉଁ ଭକ୍ତ ଓ ଶ୍ରଦ୍ଧାଳୁ “ଇଡ଼ାଣା ଦେବୀ”ଙ୍କ ମନ୍ଦିରରେ ମାତାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେମାନଙ୍କର ମନୋକାମନା ପୂରଣ ହୁଏ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନେ କହନ୍ତି । ମାତାଙ୍କ ମନ୍ଦିରରେ ପ୍ରତିଦିନ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପୂଜା କରିବାକୁ ଆସନ୍ତି ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

 

One thought on “ଇଡ଼ାଣା ମାତାଙ୍କ ଶକ୍ତିପୀଠ, ରାଜସ୍ତାନ

Leave a Reply

Your email address will not be published.