BJD ru Baristha Neta Dr.Damodar Rout Bahiskruta!

ବିଜେଡ଼ିରୁ ବରିଷ୍ଠ ନେତା ଦାମୋଦର ରାଉତ ବହିଷ୍କୃତ!

ଭୁବନେଶ୍ୱର, (ଓଏନ୍ଏସ୍/ଆଇଏନ୍ଏସ୍): ଓଡ଼ିଶାର ତୁଙ୍ଗ ତଥା ବରିଷ୍ଠ ନେତା ଡ଼. ଦାମୋଦର ରାଉତଙ୍କୁ ବିଜୁ ଜନତା ଦଳ(ବିଜେଡ଼ି)ରୁ ବୁଧବାର ସନ୍ଧ୍ୟାରେ ବହିଷ୍କୃତ କରାଯାଇଛି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଡ଼.ରାଉତଙ୍କୁ ବହିଷ୍କାର କରାଯାଇଥିବା ଜଣା ପଡ଼ିଛି । ଡ଼. ରାଉତ ଜଗତସିଂହପୁର ଜିଲ୍ଲାର ପାରାଦୀପ ବିଧାୟକ ଅଛନ୍ତି । ବିଜେଡ଼ି ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଡ଼.ରାଉତଙ୍କ ବହିଷ୍କାର ସଂପର୍କରେ ଜଣାଇଛନ୍ତି । ବିଜେଡ଼ିରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ଡ଼.ରାଉତ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି ଯେ, ବହିଷ୍କାରର କାରଣ ସେ ଜାଣି ନାହାନ୍ତି । ଗତବର୍ଷ ଡ଼ିସେମ୍ବରରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ଓ ଦଳର ଉପ ସଭାପତି ପଦରୁ ମଧ୍ୟ ବିଦା କରାଯାଇଥିଲା । ସେଦିନ ଠାରୁ ଦଳର କୌଣସି ନେତା ତାଙ୍କ ସଂପର୍କରେ ନଥିବା ସେ କହିଛନ୍ତି । ତଥାପି ତାଙ୍କର କାହା ବିରୁଦ୍ଧରେ କିଛି କହିବାର ନାହିଁ ବୋଲି ସେ କହିଛନ୍ତି । ରାଜନୀତି ଆରମ୍ଭରୁ ଲୋକଙ୍କ ସହିତ ଥିଲି ଓ ଆଗାମୀ ଦିନରେ ରହିବି ବୋଲି ସେ ନିଜ ପ୍ରତିକି୍ରୟାରେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସତୁରୀ ଦଶକରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଡ଼.ରାଉତ ସକି୍ରୟ ରାଜନୀତିରେ ପାଦ ଦେଇଥିଲେ ଓ ପ୍ରଥମ କରି ୧୯୭୭ ମସିହା ନିର୍ବାଚନରେ ଏରସମା ବିଧାନସଭା ଆସନରେ ଜନତା ଦଳ ଟିକଟରେ ବିଧାନସଭାରେ ପ୍ରବେଶ କରିଥିଲେ । ୧୯୮୦ରେ ଜନତା ଦଳ(ଏସ୍) ଟିକଟରେ ଏରସମା ଆସନରେ ବିଜୟୀ ହୋଇଥିବାବେଳେ ୧୯୯୦ରେ ଜନତା ଦଳ ଟିକଟରେ, ୨୦୦୦ ଓ ୨୦୦୪ ରେ ବିଜେଡ଼ି ଟିକଟରେ ଏରସମାରୁ ବିଜୟୀ ହୋଇଥିଲେ । ୨୦୦୯ରେ ଡ଼ିଲିମିଟେସନ୍ କମିସନ୍ ଙ୍କ ଦ୍ୱାରା ବିଧାନସଭା ଓ ଲୋକସଭା କ୍ଷେତ୍ରର ଆକାର ପୁନଃ ନିର୍ଦ୍ଧାରଣ କ୍ରମରେ ଡ଼ାକ୍ତର ରାଉତ ନୂଆ ପାରାଦୀପ ବିଧାନସଭା ଆସନରେ ବିଜେଡି ଟିକଟରେ ପ୍ରତିଦ୍ୱନ୍ଦିତା କରିଥିଲେ । ଏହି ନିର୍ବାଚନରେ ମୋଟ ୭ଜଣ ପ୍ରାର୍ଥୀ ଥିଲେ । ଡ଼ାକ୍ତର ରାଉତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ ରମେଶ ଚନ୍ଦ୍ର ସାମନ୍ତରାୟଙ୍କୁ ୩୦୩୫୧ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ । ୨୦୧୪ ରେ ବିଜେଡ଼ି ଟିକଟରେ ଡ଼ାକ୍ତର ରାଉତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ୍ ସର୍କେଲ୍ଙ୍କୁ ୩୮୬୦୦ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । ୧୯୭୯ରେ ସେ ପ୍ରଥମ ଥର ପାଇଁ ସୂଚନା ଓ ଲୋକ ସଂପର୍କ, ଗୋଷ୍ଠୀ ଉନ୍ନୟନ ଏବଂ ସାମାଜିକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ । ସେହିପରି ୧୯୯୦ରେ ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ୨୦୦୨ରେ ପଞ୍ଚାୟତିରାଜ, ସୂଚନା ଓ ଲୋକସଂପର୍କ ଏବଂ ସଂସ୍କୃତି, ୨୦୦୯ରେ କୃଷି, ସମବାୟ, ମତ୍ସ୍ୟ ଓ ପଶୁ ସଂପଦ ବିକାଶ, ୨୦୧୨ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୧ ମଇ ୨୦୧୪ରୁ ୨୧.୧୨.୨୦୧୭ ପର୍ଯ୍ୟନ୍ତ ସେ ସମବାୟ, ଅବକାରୀ, କୃଷି, ମତ୍ସ୍ୟ ଓ ପଶୁ ସଂପଦ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ଥିଲେ । ଗତ ୪୦ ବର୍ଷ ମଧ୍ୟରେ ସେ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ସଂପନ୍ନ କରିଥିଲେ ।

Leave a Reply

Your email address will not be published.