ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ନିକଟରେ ବରିଷ୍ଠ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ତଥା ନିଜର ରୋଖ୍ଠୋକ୍ କଥା ପାଇଁ ତୁଣ୍ଡ ନେତା ବୋଲି ବିଖ୍ୟାତ ପାରାଦ୍ୱୀପ ବିଧାୟକ ଡାକ୍ତର ଦାମଦର ରାଉତ ସରକାରଙ୍କ ସମବାୟ ବିଭାଗରେ କିଭଳି ଦୁର୍ନିତି ହୁଏ, ତାହା ଖୋଲାଖୋଲି ବ୍ୟକ୍ତ କରିଛନ୍ତି । ନିଜେ ସେହି ବିଭାଗରେ ମନ୍ତ୍ରୀ ଥିଲାବେଳେ କୁଆଡେ କୋଟି କୋଟି ଟଙ୍କାର ହେର୍ ଫେର୍ ହୋଇଥିଲା ଓ ସେ ଏହାର ତଦନ୍ତ ନିର୍ଦେଶ ଦେଲା ପରେ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଥିଲା ବୋଲି କ୍ଷୋଭର ସହିତ ସେ ପ୍ରକାଶ କରିଛନ୍ତି । ତାଙ୍କ ଖୋଲାସାର ସୁଯୋଗ ନେଇ ବିରୋଧି ଦଳର ନେତା ମାନେ ସରକାରଙ୍କ ଉପରେ ଆକ୍ରମଣ ଚଳେଇଛନ୍ତି । ସତେ ଯେମିତି ଅନ୍ୟାନ୍ୟ ସରକାର ଅମଳରେ ସମବାୟ ବିଭାଗଟି ଦୁର୍ନିତି ମୁକ୍ତ ଓ ନିର୍ମଳ ଥିଲା ।
ଥରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପ୍ରଦୀପ୍ତ ଦାସ୍ଙ୍କ ପାଖକୁ ଜଣେ ଶିକ୍ଷକ ତାଙ୍କ ସାଧୁତାର ପ୍ରମାଣ ପତ୍ର ଆଣିବାକୁ ଗଲେ । ତାହା ଶୁଣି ମନ୍ତ୍ରୀ ଶ୍ରୀ ଦାସ୍ ହସି ହସି କହିଲେ, ବଳଦକୁ ବ୍ରହ୍ମଚର୍ଯ୍ୟର ସାର୍ଟିଫିକେଟ୍ ଦେବା ଯାହା, ଶିକ୍ଷକଙ୍କୁ ସାଧୁତାର ସାର୍ଟିଫିକେଟ ଦେବା ତାହା । ସେତେବେଳେ ସର୍ବଶିକ୍ଷା ଅଭିଯାନ ଓ ମଧ୍ୟାହ୍ନ ଭୋଜନ ଯୋଜନା ନଥିବାରୁ ଶିକ୍ଷକ ମାନେ ଅସାଧୁ ହେବାର ସୁଯୋଗ ପାଉନଥିଲେ । ମାତ୍ର ଏହି ଯୋଜନା ଆସିବା ପରେ ଅବସ୍ତା କଣ ହେଲା ତାହା ସମସ୍ତେ ଜାଣନ୍ତି । ତେଣୁ କ୍ଷମତା ବାହାରେ ଯେଉଁମାନେ ନିଜେ ସାଧୁ ବୋଲି କହି ହେଉଛନ୍ତି ତାହା ବଳଦର ବ୍ରହ୍ମଚର୍ଯ୍ୟ ସାଧନା ଭଳି ।
କଥାରେ ଅଛି ଲଙ୍କାରେ ଅଛନ୍ତି ଯେତେକ ସେମାନେ ଅଟନ୍ତି ଦଇତ । ସମବାୟ ବିଭାଗରେ ଯେ ର୍ଦୁନିତି ହୁଏ ଏବଂ ଏହି ର୍ଦୁନିତି ଏହି ବିଭାଗର ଜନ୍ମରୁ ଆରମ୍ଭ ହୋଇ ଏକ ପରମ୍ପରାରେ ପରିଣତ ହୋଇଛି, ତାହା ସମସ୍ତେ ଜାଣନ୍ତି । ଦାମ ବାବୁ ମଧ୍ୟ ଜାଣନ୍ତି । ତାଙ୍କ ପୂର୍ବରୁ ଏହିଭଳି ଘଟଣା ଘଟୁଥିଲା । ଯେଉଁ ବିରୋଧି ଦଳର ନେତା ମାନେ ଏବେ ତୁମ୍ବି ତୋଫାନ କରୁଛନ୍ତି ସେମାନେ ମଧ୍ୟ ଯାଣନ୍ତି ଯେ, ର୍ଦୁନିତି ମହାସାଗରରୁ ଏହି ବିଭାଗର ଜନ୍ମ ଓ ସବୁବେଳେ ଏ ବିଭାଗରେ ର୍ଦୁନିତି ରହିଛି ।
ଆମେ ଚାଟଶାଳିରେ ଯେପରି ପାଠ ଆରମ୍ଭରେ ଅ, ଆ ଶିଖୁ ଆମ ଦେଶର ନେତା ମାନେ ସମବାୟ ସମିତିରୁ ତାଙ୍କ ର୍ଦୁନିତି ପାଠ ଆରମ୍ଭ କରିଥାନ୍ତି । ସମବାୟ ସମିତି ଅବା ଲ୍ୟାମ୍ପସ୍ ର କର୍ମକର୍ତା ହୋଇ ତାକୁ ଖୋଳ କରନ୍ତି ଓ ପରେ ବିଧାୟକ ଏବଂ ମନ୍ତ୍ରୀ ପଦକୁ କୁ ପ୍ରମୋସନ୍ ପାଆନ୍ତି । ନିଜେ ଉପରକୁ ଗଲା ପରେ ନିଜର ଚେଲା ଚାମୁଣ୍ଡାଙ୍କୁ ଏଥିରେ ଥଇଥାନ କରନ୍ତି ।
ସ୍ୱାଧିନତା ପରେ ଗାଁ ଗହଳର ଲୋକମାନଙ୍କ ସାମଗ୍ରିକ ବିକାଶ ପାଇଁ କୃଷି ଋଣ ସମବାୟ ସମିତି ବା ଗ୍ରୀନ ଗୋଲା, ଲ୍ୟାମ୍ପସ୍, ଟିଡିସିସି, ଆର.ସି.ଏମ.ଏସ୍ ଭଳି ସଂସ୍ଥା ମାନ ଗଢି ଉଠିଲା । ଲୋକମାନେ କିଛି କିଛି ଅଂଶ ଧନ ଦେଇ ଏହାର ସଭ୍ୟ ହେଲେ । ଚାଷି ମାନଙ୍କୁ ରିହାତି ଋଣ ଦେବା, ବିହନ ଓ ସାର ଯୋଗାଇବା ଏଗୁଡିକର ଲକ୍ଷ । ଯେ ପର୍ଯ୍ୟନ୍ତ ଋଣ ଛାଡ ଓ ସବ୍ସିଡ୍ ବ୍ୟବସ୍ଥା ଆସିନଥିଲା ସେ ପର୍ଯ୍ୟନ୍ତ ଏ ବିଭାଗରେ କାଁ ଭାଁ ର୍ଦୁନିତି ହେଉଥିଲା । ଯେତେବେଳେ ସବ୍ସିଡି ଓ ଋଣ ଛାଡ ଆସିଲା ସେତେବେଳେ ଏମାନଙ୍କ ପାଇଁ ପୁଷ ମାସ ପହଂଚିଗଲା । ମିଛ ଋଣ ଗ୍ରହିତାଙ୍କ ନାମ ଲେଖି ସବ୍ସିଡ ଅର୍ଥକୁ ସ୍ୱାହା କରି ଅବଶିଷ୍ଟ ଋଣ ଟଙ୍କାକୁ ବାନ୍ଧିଦେଇ ଶତପ୍ରତିଶତ ଋଣ ଆଦାୟ କଲେ ବୋଲି ବାଃ ବାଃ ନେଲେ । ଋଣ ଛାଡ ବେଳେ ଭୁତ ଋଣ ଗ୍ରହିତାଙ୍କ ସମସ୍ତ ଋଣ ଟଙ୍କା ତାଙ୍କ ପକେଟ୍କୁ ଗଲା । ସବ୍ସିଡ ସାର ଆଣି କଳା ବଜାରରେ ବିକିଲେ । ପିଟି ବା ପେପର୍ ଟ୍ରାଂଜାକ୍ସନ ଏ ବିଭାଗରେ ଏକ ନିୟମିତ ବ୍ୟବସ୍ତା ଓ ସମସ୍ତଙ୍କ ଜାଣତରେ ଏହା ହୁଏ । ଦିର୍ଘ ୫୦ ବର୍ଷ ହେଲା ସମସ୍ତଙ୍କ ଜାଣତରେ ଏଭଳି ଘଟଣା ଚାଲିଛି । ସମବାୟ ଆନୁକୁଲ୍ୟରେ ଓଡ଼ିଶାରେ ଅନେକ ଗୁଡିଏ ଚିନି କଳ ବଡମ୍ବା, ତିଗିରିଆ,ବାଙ୍କି, ଆସିକା ଓ ବଲାଙ୍ଗିର ଠାରେ ସ୍ଥାପିତ ହୋଇଥିଲା । କର୍ମକର୍ତା ମାନେ ସବୁ ଗୁଡିକୁ ସ୍ୱାହା କରିଦେଲେ ଓ କାରଖାନା ଗୁଡିକରେ ତାଲା ଝୁଲିଲା ।
ଋଣ ଦିଆ ହୋଇ ଶହ ଶହ କୁଅ ପୋଖରି ଖୋଳା ହୁଏ । ସବ୍ସିଡ ଦିଆଯାଏ । ମାତ୍ର ବାସ୍ତବ କ୍ଷତ୍ରରେ ସେ ସବୁର ଚିହ୍ନ ନଥାଏ । ଆଖୁ ଦେଖିନଥିବା ଅଂଚଳରେ ବର୍ଷ ବର୍ଷ ଧରି ଆଖୁ ଚାଷ ପାଇଁ ଋଣ ଦିଆଯାଏ । ସୋୟାବିନ କଣ ଜାଣି ନଥିବା ଲୋକ ମାନଙ୍କୁ ସୋୟାବିନ ଚାଷ ପାଇଁ ସବ୍ସିଡି ଦିଆଯାଏ । ଏକଥା ବିଭାଗିୟ କର୍ମକର୍ତା ଜାଣନ୍ତି । ମନ୍ତ୍ରୀ ଜାଣନ୍ତି । ତଥାପି ଋଣ ମଞ୍ଜୁର କରାଯାଏ । ଏ ବିଭାଗରେ ଜଦି କିଏ ସାଧୁ ହେଲା ସିଏ ମଲା । କାରଣ ଏ ବିଭାଗର ଅଲିଖିତ ନିୟମ ଯିଏ ସାଧୁ ତାର ଏଠାରେ ସ୍ଥାନ ନାହିଁ । ଅଶି ଦଶକରେ ପୁରୀ କେନ୍ଦ୍ର ସମୁଦାୟ ବ୍ୟଙ୍କରେ ଜଣେ ରୋକ୍ଠୋକ୍ କଥା କହୁଥିବା ସଂମ୍ପାଦକ ଟିଏ ଥିଲେ । ତାଙ୍କ ନାଁ ମୁରଲିଧର ବେଉରା । ବିନା କାରଣରେ ତାଙ୍କୁ ନିଲମ୍ବନ କରାଗଲା । କାରଣ ଦର୍ଶାଗଲା ଯେ, ୧୯୮୨ ମସିହା ମହାବନ୍ୟା ବେଳେ ସେ ଅନୁମତି ନନେଇ ପାଣିରେ ଭାସି ଯାଇଥିବା ନିଜ ଗାଁକୁ ଦେଖିବାକୁ ଯାଇଥିଲେ । ଅବସର ପରେ ମଧ୍ୟ ତାଙ୍କୁ ପ୍ରାପ୍ୟ ଦିଆଗଲା ନାହିଁ । ବାର୍ଦ୍ଧକ୍ୟରେ ରୋଗ ଭୋକ ଓ ଉପାସରେ ଅନୋ୍ୟପାୟ ହୋଇ ସେ ରାଜଧାନୀ ଭୁବନେଶ୍ୱର ନିକଟବର୍ତୀ ବାଲିଅନ୍ତା ବଜାରରେ ଠାକୁର ପୂଜାକରି ଜୀବନ ବତାଉଛନ୍ତି ।
ଖଜୁରୀ ଗଛର ମୂଳରୁ ପାହାଚ ଭଳି ଆମର ସମବାୟ ବିଭାଗ । ସମସ୍ତଙ୍କ ଜାଣତରେ ହେଉଥିବା ର୍ଦୁନିତିକୁ ଆଳକରି ନେତାମାନେ ଯେପରି ତୁ ତୁ ମୁଁ ମୁଁ ରଡି ଛାଡୁଛନ୍ତି ତାହା ହିଁ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬