ଆମାଜନ ଜଙ୍ଗଲରେ ନିଆଁର ବିଭିଷୀକା!
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଆଜକୁ ୩ ସପ୍ତାହ ହେଲା ଦକ୍ଷିଣ ଆମେରିକାରେ ରହିଥିବା ବିଶାଳ ଚିରହରିତ୍ ବିଷୁବ ମଣ୍ଡଳିୟ ଆମାଜନ ରେନ ଫରେଷ୍ଟରେ ନିଆଁ ଲାଗି ଯାଇଛି । ଗବେଷକଙ୍କ ମତରେ ଏହି ବର୍ଷ ସମୁଦାୟ ୭୨ ହଜାର ଜାଗାରେ ନିଆଁ ଲାଗି ଗଲାଣି । ନିଆଁ ରୁ ବାହାରୁ ଥିବା ବିରାଟ ଧୁମ୍ର କୁଣ୍ଡଳ ଦକ୍ଷିଣ ଆମେରିକାର ସାରା ଆକାଶରେ ଘୋଟି ଯାଇଛି । ରାତି ହେଲେ ସବୁଆଡେ ନିଆଁ ର ଶିଖା ଶହ ଶହ ଫୁଟ ଉପରକୁ ଉଠୁଥିବାର ଦେଖିବାକୁ ମିଳୁଛି । ଏହି ଦୁର୍ଘଟଣା ପାଇଁ ସାରା ବିଶ୍ୱ ଚିନ୍ତିତ । ନିଆଁ କୁ ଆୟତ କରିବା ପାଇଁ ହେଲିକପ୍ଟର ମାନ ନିୟୋଜିତ କରାଯାଇ ପାଣି ପକା ଯାଉଛି । ସମସ୍ତେ ଆଶଙ୍କା କରୁଛନ୍ତି ଯେ, ନିଆଁକୁ ଆୟତ ନକଲେ ବିଶ୍ୱର ଜଳବାୟୁ ଉପରେ ଏହାର ଘୋର କୁ ପ୍ରଭାବ ପଡିବ ।
ଆମାଜାନ ନଦୀ ଓ ଆମାଜାନ ଜଙ୍ଗଲ ପ୍ରକୃତି ର ଏକ ବିସ୍ମୟ । ଆମାଜନ ନଦୀ ବିଶ୍ୱର ବୃହତମ ନଦୀ । ସାରା ପୃଥିବୀର ଶତକଡା ୨୦ ଭାଗ ମଧୁର ଜଳ ଆମାଜନ ନଦୀରେ ଥାଏ । ଅନେକଙ୍କ ମତରେ ଏହି ନଦୀ ୬୪ ଶହ କି.ମି ଲମ୍ବା ଓ ନିଳ ନଦୀ ଠାରୁ ଅଧିକ ଲମ୍ବା ଅଟେ । ଏହାର ଉପ୍ତତି ନେଇ ମଧ୍ୟ ମତ ଭେଦ ରହିଛି । ଅନେକ ଦାବି କରନ୍ତି ଯେ, ଆଣ୍ଡିଜ୍ ପର୍ବତ ମାଳାର ଆପୁରୀମାକ୍ ନଦୀ ଏହାର ଉପ୍ତତି ସ୍ଥଳ । କେତେକ କୁହନ୍ତି ମନ୍ତାରୋ ନଦୀ ଠାରୁ ଆମାଜନ ଉପ୍ତତି ହୋଇଛି । ଏହି ନଦୀ ଦୁଇଟି ମିଶି ଉକାଲାଇଟ ନଦୀ ହୋଇ ବହିଯାଇଛି । ଏହା ମାରାନୋମ ନଦୀ ସହ ମିଶି ଯେଉଁନଦୀ ହେଲା ତାକୁ ହିଁ ଉରୁଗୁଏ ବାସି ଆମାଜନ ବୋଲି କହିଥାନ୍ତି । ମାତ୍ର ବ୍ରାଜିଲର ଲୋକମାନେ ଦାବି କରନ୍ତି ମ୍ୟାରାନୋ ନଈ ଆମାଜନର ଉପ୍ତତି ସ୍ଥଳ ନୁହେଁ । ଏହି ନଦୀକୁ ସେମାନେ ଲିମେସ ନଦୀ କହିଥାନ୍ତି । ଏହି ନଦୀ ନିମ୍ନ କୁ ଗତି କରି ରିୟୋନିଗ୍ରୋ ବା କଳା ନଦୀ ସହିତ ମିଶି ଆମାଜନ ନଦୀ ସୃଷ୍ଟି କରିଛନ୍ତି । ଏହି ମିଳନ ସ୍ଥରରେ ଆମାଜନ ଉପତ୍ୟକାର ସବୁଠାରୁ ବଡ ନଗର ମାନସ ରହିଅଛି ।
ଆମାଜନ ନଦୀର ଅନେକ ବିଶାଳ ବିଶାଳ ଉପନଦୀ ଅଛି । ସେ ଗୁଡିକ ମଧ୍ୟରେ ମୁଖ୍ୟ ହେଲେ ରିୟୋ, ନିଗ୍ରୋ, ସଲିଋମସ, ନାପୋ, ସିନାମନ, ଓରିନିକୋ । ଏହି ନଦୀ ମାନଙ୍କ ମଧ୍ୟରୁ ଅନେକ ନଦୀ ଆମ ଦେଶର ଗଙ୍ଗା ଓ ବ୍ରହ୍ମପୁତ୍ର ଠାରୁ ବଡ । ଗୋଟିଏ ଉପନଦୀ ପୃଥିବୀର ଦଶମ ବୃହତମ ନଦୀ ରୁପେ ସ୍ଥାନ ପାଇଛି । ସମୁଦାୟ ୧୧ ଶହଟି ଉପନଦୀ ଆମାଜନକୁ ଜଳ ଯୋଗାଉଛି । ବିଶାଳ ଆମାଜନ ଉପତ୍ୟକାରେ ଘନ ଜଙ୍ଗଲ ରହିଅଛି । ଏହି ଉପତ୍ୟକାର କ୍ଷେତ୍ରଫଳ ୭୦ ଲକ୍ଷ ବର୍ଗ କି.ମି । ଯାହା ମଧ୍ୟରୁ ଆମାଜନ ଜଙ୍ଗଲ ୫୫ ଲକ୍ଷବର୍ଗ କିମି ମାଡି ବସିଛି । ସମୁଦାୟ ୯ ଟି ଦେଶ ଦେଇ ଏହି ନଦୀ ପ୍ରବାହିତ ହେଉଛି । ଅବବାହିକାର ୬୦ ଭାଗ ଅଂଶ ବ୍ରାଜିଲ ଦେଶରେ ଅଛି । ଅନ୍ୟ ଦେଶ ଗୁଡିକ ହେଲା ପାରାଗୁଏ, ଉରୁଗୁଏ, ପେରୁ ଇକୁ୍ୟଡର, ଗାୱନା, କଲମ୍ବିଆ ଇତ୍ୟାଦି । ଆମାଜନ ନଦୀରେ ବର୍ଷା ଋତୁରେ ୩ ଲକ୍ଷ କୁ୍ୟବିକ୍ ମିଟର ପର୍ ସେକେଣ୍ଡ ଜଳ ପ୍ରବାହିତ ହେଉଥାଏ ଓ ହାରାହାରୀ ଜଳ ପ୍ରବାହର ପରିମାଣ ୨ ଲକ୍ଷ ଘନ ମିଟର ସେକେଣ୍ଡ ପ୍ରତି । ଏହି ନଦୀ ର ଗଭିରତା ୩୦ ରୁ ୫୦ ମିଟର । କେତେକ ଜାଗା ରେ ଗଭିର ଗଣ୍ଡ ରହିଅଛି । ଏହାର ଜଳ ପ୍ରବାହ ଏତେ ପ୍ରଖର ଯେ ଏହା ଆଟଲାଂଟିକ ମହା ସାଗରର ଜଳ କୁ ୫୦ କି.ମି ପର୍ଯ୍ୟନ୍ତ ମଧୁର କରିଦିଏ । ଏହି ନଦୀ ର ଜଳ ବର୍ଷା ଦିନେ ୩ ଲକ୍ଷ ବର୍ଗ ମାଇଲ ଜଙ୍ଗଲ କୁ ପ୍ଲାବିତ କରେ ଓ ଅନ୍ୟ ଦିନେ ଏକ ଲକ୍ଷ ବର୍ଗ ମାଇଲ ଜଙ୍ଗଲକୁ ପ୍ଲାବିତ କରେ । ବଡ ବଡ ଜାହାଜ ନଦୀ ଦେଇ ମାନସ ପର୍ଯ୍ୟନ୍ତ ଯାଇ ପାରନ୍ତି ଓ ଛୋଟ ଛୋଟ ଜାହାଜ ନଦୀର ଉପ୍ତତି ସ୍ଥଳ ପର୍ଯ୍ୟନ୍ତ ଯାଇ ପାରନ୍ତି ।
ଏହି ନଦୀରେ ଅନେକ ଗୁଡିଏ ବିଚିତ୍ର ପ୍ରାଣୀ ଦେଖା ଯାଆନ୍ତି । ନାନା ପ୍ରକାର ମାଛ, କଙ୍କଡା ଓ କଇଁଚ ବ୍ୟତିତ ଏକ ବିଶେଷ ଧରଣର ଡଲଫିନ ଯାହାକୁ ବଟ ବୋଲି କୁହନ୍ତି । ଏହା ୮ଫୁଟ୍ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଆଉ ଏକ ପ୍ରକାର ଡଲଫିନକୁ ଟ୍ରାକ୍ସି ଡଲଫିନ ବା ସମୁଦ୍ର ଗାଈ ବୋଲିକୁହାଯାଏ । ଏହି ନଦୀ ରେ ଥିବା ବିଶାଳ ସି ଓଟର୍ ମାନଙ୍କୁ ରିଭର ଓଲ୍ଫଫ ବୋଲି କୁହାଯାଏ । ଏହି ନଦୀରେ ୫୬ଶହ ପ୍ରକାର ମାଛ ଦେଖା ଯାଆନ୍ତି । ସେମାନଙ୍କ ମଧ୍ୟରୁ ମଧୁର ଜଳର ସବୁଠାରୁ ବଡ ମାଛ ଅରୁପମାଇ, ଜାହାର ଲମ୍ବ ୧୫ ଫୁଟ ଦେଖାଯାଏ ଓ ଆରୱାଇନ ନାମକ ହିଂସ୍ର ମାଛ ମଧ୍ୟ ଦେଖା ଯାଆନ୍ତି । ମଣିଷକୁ ଆକ୍ରମଣ କରୁଥିବା ପିରାନାଲେ ଆରୱାନେ ମାଛ ମଧ୍ୟ ବହୁ ପରିମାଣରେ ଦେଖା ଯାଆନ୍ତି । ଏକ ପ୍ରକାର ମାଛକୁ କ୍ୟାଟଫିସ କୁହନ୍ତି ଯାହାକି ନିଜ ପର ସାହାଯ୍ୟରେ କିଛି ବାଟ ମାଟି ଉପରେ ଚାଲି ପାରେ । ଏହି ନଦୀର ସାର୍କକୁ ବୁଲସାର୍କ ବୋଲି କୁହନ୍ତି । ଅନ୍ୟ ଏକ ପ୍ରକାର ମାଛ ଇଲେକ୍ଟି୍ରକ ଫିସ ନାମରେ ପରିଚିତ । ଯାହା ନିଜ ଦେହରୁ ୬ ଶହ ଭୋଲ୍ଟ ଓ ୧ଏମ୍ପିଅର ର ବିଦ୍ୟୁତ୍ ଶକ୍ତି ବାହାର କରି ଶତ୍ରୁ କୁ ଘାଇଲା କରିଦିଏ ।
ଆମାଜନ ରେନ୍ ଫରେଷ୍ଟ ଆମାଜନ ନଦୀ ଅବବାହିକା ରେ ରହିଛି, ଯାହା ବିଶାଳ ଚିର ହରିତ ବିଷୁବ ମଣ୍ଡଳିୟ ଅରଣ୍ୟ ପ୍ରଦେଶ । ପ୍ରଚୁର ବର୍ଷା ହେଉଥିବାରୁ ଗଛ ଗୁଡିକ ଲଗା ଲଗି ହୋଇ ବହୁ ଉଚ୍ଚକୁ ବଢିଥାଆନ୍ତି । ତଳକୁ ସୂର୍ଯ୍ୟ କିରଣ ପ୍ରାୟ ପଡେ ନାହିଁ ଓ ତଳର ଭୂମି ସନ୍ତ ସନ୍ତିଆ ରୁହେ । ଏହି ବିଶାଳ ଜଙ୍ଗଲ ପୃଥିବୀ ର ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଲ ଗ୍ରହଣ କରି ବିଶୁଦ୍ଧ ଅମ୍ଲ ଜାନ ତ୍ୟାଗ କରନ୍ତି । ସେଥିପାଇଁ ଏହାକୁ ପୃଥିବୀର ଫୁସଫୁସ ବୋଲି କୁହାଯାଏ । ମାତ୍ର ୧ ବର୍ଗ କିମି ଅଂଚଳରେ ୯୦ ହଜାର ଟନ୍ର ବୃକ୍ଷ ମିଳିଥାଏ । ଏହି ଜଙ୍ଗଲରେ ଅନେକ ପ୍ରକାର ବିଚିତ୍ର ପ୍ରାଣୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ବ୍ଲାକ୍ କ୍ୟାମନ୍ ଜାଗୁଆର, କୋଗାର, ପୁମା, ବିଷାକ୍ତ ବେଙ୍ଗ, ଭାମ୍ପେୟାର ବାଦୁଡି ଓ ପୃଥିବୀର ସବୁଠାରୁ ବଡ ସାପ ଆନାକଣ୍ଡା ଦେଖା ଯାଆନ୍ତି । ଏହି ଜଙ୍ଗଲରେ ୧୧ଶହ ପ୍ରକାର ଗଛ, ୨.୫ ନିୟୁତ ପ୍ରକାରର କିଟ, ୨୦୦୦ ପ୍ରକାର ପକ୍ଷୀ, ୨୨ ଶହ ପ୍ରକାର ମାଛ, ୪୨୭ ପ୍ରକାର ସ୍ତନପାୟୀ ପ୍ରାଣି, ୪୨୮ ପ୍ରକାର ଉଭୟଚର ପ୍ରାଣି ଓ ୩୩୮ ପ୍ରକାର ସରିସୃପ ଦେଖାଯାଆନ୍ତି ।
ଏହି ଜଙ୍ଗଲ ଅନେକ ବର୍ଷ ପର୍ଯ୍ୟନ୍ତ ଅକ୍ଷତ ରହିଥିଲା । ଯେଉଁ ଆଦିବାସୀ ମାନେ ଏଠାରେ ଥିଲେ ,ସେମାନେ ପୋଡୁ ଚାଷ ଓ ଝୁମା ଚାଷ କରୁଥିଲେ । ପ୍ରତିବର୍ଷ ସ୍ଥାନ ପରିବର୍ତନ କରୁଥିଲେ । ଗଛ, ପତ୍ର ପଚି ଓ ସାହାରା ମରୁଭୁମି ରୁ ଉଡିଆସୁଥିବା ଫସଫେଟ ଜାତୀୟ ସାର ପଡି ଏହା ବେଶ୍ ଉର୍ବର ହୋଇଥିଲା । ପରବର୍ତି କାଳରେ ୟୁରୋପରୁ ସ୍ପେନ୍ ଓ ପର୍ତୁଗାଲ ଲୋକମାନେ ଆସି ଏହି ଅଂଚଳରେ ବସତି ସ୍ଥାପନ କଲେ । ସେମାନଙ୍କ ସାଙ୍ଗରେ ମେଲେରିଆ, ୟେଲୋ ଜର ଓ ଟାଇଫର ଜ୍ୱର, ବସନ୍ତ ରୋଗ ଇତ୍ୟାଦି ଆସିଲା । ସ୍ଥାନିୟ ଲୋକଙ୍କ ପ୍ରତିଷେଧକ ଶକ୍ତି ନଥିବାରୁ ସେମାନେ ଏହି ରୋଗରେ ପଡି ପୋକ ମାଛି ଭଳି ମରିଗଲେ । ଏହି ଜଙ୍ଗଲରେ ମିଳୁଥିବା ରବର, କଫି ଇତ୍ୟାଦି ପାଇଁ ସେମାନେ ଜଙ୍ଗଲ ଭିତରକୁ ପଶିଲେ । ଜଙ୍ଗଲ ସଫା କରି ବଡ ବଡ ଫାର୍ମ ଓ ଗୋପାଳନ କେନ୍ଦ୍ର କରିଲେ । ଏହା ଦ୍ୱାରା ଧିରେ ଧିରେ ଆମାଜନ ଜଙ୍ଗଲ ଧ୍ୱଂସ ହେଲା । ବଡ ବଡ କମ୍ପାନୀ ମାନେ ହଜାର ହଜାର ଏକର ଜଙ୍ଗଲକୁ ପଟ୍ଟା ନେଇଗଲେ । ପରବର୍ତିକାଳରେ ଏଥିପାଇଁ ଦକ୍ଷିଣ ଆମେରିକାର ବିଭିନ୍ନ ରାଜ୍ୟ ରେ ରକ୍ତାକ୍ତ ବିପ୍ଲବ ହେଲା । ଆଇନ କରାଯାଇ ବଡ ବଡ ଫାର୍ମ କୁ ନିଜ ହାତକୁ ନିଆଗଲା ଓ ଜଙ୍ଗଲର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା କରାଗଲା ।
ଏତେ ସବୁ ସତ୍ୱେ ଆମାଜନ ଜଙ୍ଗଲ ଉପରେ ବିପଦ ଟଳୁ ନାହିଁ । ପୁଞ୍ଜିପତି ମାନେ ବିପୁଳ ଅର୍ଥ ବ୍ୟୟ କରି ନିଜକୁ ୁସୁହାଇଲା ଭଳି ସରକାର ବସାଇ ଦେଉଛନ୍ତି । ଏହି ଅବବାହିକା ରେ ଟ୍ରାନ୍ସ ଆମାଜନ ରାଜପଥ ନିର୍ମାଣ ପରେ ଲୋକ ଚଳା ଚଳ ବୃଦ୍ଧି ପାଇଛି ଓ ଏକ ଆକଳନ ଅନୁଯାୟି ଏପର୍ଯ୍ୟନ୍ତ ଶତକଡା ୧୭ ଭାଗ ଜଙ୍ଗଲ ନଷ୍ଟ ହୋଇଗଲାଣି ।
ଆମାଜନ ଜଙ୍ଗଲକୁ ରକ୍ଷା କରିବାକୁ ବିଶ୍ୱର ପ୍ରତି କୋଣ ଅନୁକୋଣରୁ ସମର୍ଥନ ଓ ସାହାଯ୍ୟ ଲମ୍ବି ଆସୁଛି । ଏପରିକି ଫ୍ରାନ୍ସ ସରକାର ନିଜ ଦେଶ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ଦେବାକୁ ଆଗେଇ ଆସିଛନ୍ତି, ଯଦିଓ ଏହି ସାହାଯ୍ୟ କୁ ବ୍ରାଜିଲ ପ୍ରତ୍ୟାଖାନ କରିଛି । ଏହି ଜଙ୍ଗଲରେ ଲାଗିଥିବା ନିଆଁ କେବେ ଲିଭିବ ତାକୁ ସାରା ବିଶ୍ୱ ଅନାଇ ରହିଛି ।