ଓଡ଼ିଶାରେ ମାଛ ଚାଷ କେତେ ସଫଳ!
ବାଲେଶ୍ୱର, (ଓ.ଏନ୍.ଏସ): ସରକାରୀ ସ୍ତରରେ ବହୁ ଯୋଜନା ହେଉଛି । କିନ୍ତୁ ତାହା ଠିକ୍ ଭାବରେ କାର୍ଯ୍ୟକାରୀ ହେବା ପରିବର୍ତେ ଅଧିକାରୀମାନେ କାଗଜ କଲମରେ ଯୋଜନାକୁ କାର୍ଯ୍ୟକାରୀ କରିବା ଫଳରେ ଯାଜନା ବିଫଳ ହେବା ସହିତ ତାହାର ସୁଫଳ ହିତାଧିକାରୀଙ୍କୁ ମିଳିପାରୁ ନଥିବା ବେଳେ ଯୋଜନା ପାଇଁ ଆସୁଥିବା ଅର୍ଥ ବାଟ ମାରଣ ହେଉଛି । ମୟୂରଭଞ୍ଜ ଜିଲ୍ଲାରେ ଏହାର ନମୂନା ଦେଖିବାକୁ ମିଳିଛି । ଏହି ଜିଲ୍ଲାର ଜଳ ସମ୍ପଦ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଛୋଟ ବଡ ଜଳ ଭଣ୍ଡାର ତଥା ବାରିପଦା ବ୍ଳକର ବଡଯଡ ଓ କୁଡାଯଡି,ଖୁଂଟାବ୍ଳକର ଅନୁକୂଳ,କପ୍ତିପଦା ବ୍ଳକ କାଳ ଓ ସୁନେଇ,ବଡସାହି ବ୍ଲକ ମାଧମିନାଲ ଓ ପାଉଁସିଆ, ଉଲିଅଣା ବ୍ଲକ ହଳଦିଆ,ବିଜାତଳା ବ୍ଲକ ବାଙ୍କବଳ ଓ ବିଶୋଇ ବ୍ଲକର ଖରଖାଇ ବନ୍ଧ ରହିଛି । ଏହି ଜଳ ଭଣ୍ଡାର ଗୁଡିକରେ ମତ୍ସ୍ୟ ସମ୍ପଦ ବିକାଶ ଦିଗରେ ଜିଲ୍ଲା ମତ୍ସ୍ୟ ବିଭାଗ ଗୁରୁତ୍ୱ ଦେବା ପରିବର୍ତେ ସମ୍ପୂର୍ଣ୍ଣ ଭାବରେ ଉଦାସିନ ଥିବା ଦେଖିବାକୁ ମିଳୁଛି । ମତ୍ସ୍ୟ ସମ୍ପଦର ବିକାଶ ହେଲେ ଜଳ ଭଣ୍ଡାର ଅଂଚଳରେ ସ୍ଥାନୀୟ ବାସିନ୍ଦା ସମେତ ଜିଲ୍ଲା ବାସୀଙ୍କର ମାଛ ଚାହିଦା ପୂରଣ ହୋଇ ପାରିବ । ହେଲେ ମତ୍ସ୍ୟ ବିଭାଗ ମାଛ ଚାଷ ପ୍ରତି ଆଗ୍ରହ ନଥିବା ଦେଖା ଯାଉଛି । ଯାହା ଫଳରେ ବିଭିନ୍ନ ଛୋଟ ବଡ ବନ୍ଧ ଉପରେ ନିର୍ଭର କରୁଥିବା ପୁଞ୍ଜିକୃତ ମତ୍ସ୍ୟଜୀବିମାନେ ଆର୍ଥିକ ଅନାଟନରେ ଗତି କରୁଥିବାର ଜାଣିବାକୁ ମିଳିଛି । ସୂଚନା ମୁତାବକ ଆର୍ଥିକ ବର୍ଷ ୨୦୦୯-୧୦ ଠାରୁ ୨୦୧୬-୧୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କେତେ ପରିମାଣରେ ମାଛ ଚାଷ ହୋଇଛି ଏବଂ କେତେ ପରିମାଣର ମାଛର ଅଭାବ ପୂରଣ ହୋଇଛି ତାହା ଅସ୍ପଷ୍ଟ । ଅପରପକ୍ଷରେ ବିଭାଗ ପ୍ରତ୍ୟେକ ଆର୍ଥିକ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ମାଛ ବନ୍ଧରେ ଛାଡି ତାର କର୍ତ୍ତବ୍ୟ ଶେଷ କରିଦେବାର ଆତ୍ମସନ୍ତୋଷ ଲାଭ କରୁଛି । କିନ୍ତୁ ଏହାଦ୍ୱାରା କେତେ ପରିମାଣର ବର୍ଷକୁ ମାଛ ଉତ୍ପାନ ହେଉଛି, କେତେ ପରିମାଣର ଜିଲ୍ଲାରେ ମାଛର ଚାହିଦା ପୂରଣ ହୋଇପାରୁଛି ଏବଂ ଖର୍ଚ୍ଚ ହେଉଥିବା ଅର୍ଥରୁ କେତେପରିମାଣର ଲାଭ ହେଉଛି ତାହାର ହିସାବ ବିଭାଗ ପାଖରେ ନାହିଁ କହିଲେ ଅତୁ୍ୟକ୍ତି ହେବ ନାହିଁ । ସର୍ବୋପରି ଲକ୍ଷ ଲକ୍ଷ ଟଙ୍କାର ମାଛ ଛାଡିବା ଦ୍ୱାରା କାହାର କଣ ଲାଭ ହେଉଛି ତାହା କେବଳ ବିଭାଗୀୟ ଅଧିକାରୀ ହିଁ ଜାଣିଥିବେ ।
ସୂଚନା ଅନୁସାରେ, ଆର୍ଥିକ ବର୍ଷ ୨୦୦୯-୧୦ ସମୁଦାୟ ଜଳ ଭଣ୍ଡାରରେ ୨୧ ଲକ୍ଷ ୨୭ ହଜାର ଟଙ୍କାର ମାଛ ଛଡାଯାଇଥିଲା । ସେହିପରି ୨୦୧୦-୧୧ ରେ କାଳ ବନ୍ଧରେ ୮ ଲକ୍ଷ ୨୪ ହଜାର ଓ ସୁନେଇ ବନ୍ଧରେ ୫ ଲକ୍ଷ ୩୫ ହଜାର ସମୁଦାୟ ୧୩ ଲକ୍ଷ ୪୯ ହଜାର ଟଙ୍କାର ମାଛ ଛଡ଼ାଯାଇଥିଲା । ଆର୍ଥିକ ବର୍ଷ ୨୦୧୧-୧୨ କୌଣସି ବନ୍ଧରେ ମାଛ ଛଡା ଯାଇନାହିଁ । ଆର୍ଥିକ ବର୍ଷ ୨୦୧୨-୧୩ ହଳଦିଆ,ବାଙ୍କବଳ ଓ ଖଡଖାଇ ବନ୍ଧକୁ ଛାଡି ଦେଇ ସମୁଦାୟ ୧୪ ଲକ୍ଷ ୩୪ ହଜାର ଟଙ୍କା । ଆର୍ଥିକ ବର୍ଷ୨୦୧୩-୧୪ ହଳଦିଆ,ବାଙ୍କବଳ,ଖଡଖାଇ ଛାଡି ସମୁଦାୟ ୧୦ ଲକ୍ଷ ୯୬ ହଜାର ୩୪୭ ଟଙ୍କା । ୨୦୧୪-୧୫ ହଳଦିଆ,ବାଙ୍କବଳ,ଖଡଖାଇ ଛାଡି ସମୁଦାୟ ୧୩ ଲକ୍ଷ ୯୩ ହଜାର ୭୨୭ ଟଙ୍କା । ୨୦୧୫-୧୬ କାଳ ବନ୍ଧ ୨ ଲକ୍ଷ ୩୫ ହଜାର, ନେସା ବନ୍ଧ ୧ ଲକ୍ଷ ୯ ହଜାର ଓ ସୁନେଇ ବନ୍ଧରେ ୩ ଲକ୍ଷ ୩୫ ହଜାର ସମୁଦାୟ ୬ ଲକ୍ଷ ୭୯ ହଜାର ଓ ୨୦୧୬-୧୭ ନେସା ବନ୍ଧରେ ୪୨ ହଜାର ଓ ସୁନେଇ ବନ୍ଧରେ ୪୦ ହଜାର ୬ ଶହ ମାଛ ଛଡାଯାଇଥିଲା । ସର୍ବାଧିକ ସୁନେଇ ବନ୍ଧରେ ୨୫ ଲକ୍ଷ ୫୨ ହଜାର ୧୧୮ ଟଙ୍କା ସର୍ବନିମ୍ନ ଅନୁକୁଳ ବନ୍ଧରେ ୧ଲକ୍ଷ ୫୨ ହଜାର ଟଙ୍କାର ମାଛ ଛଡା ଯାଇଥିଲା ବୋଲି ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି । କିନ୍ତୁ ବାସ୍ତବ ଚିତ୍ର ଯାହା କହେ, ମାଛ ଚାଷ ଏବଂ ମାଛ ଚାଷର ବିକାଶ କେବଳ କାଗଜ କଲମରେ ସୀମିତ ରହୁଛି ।
ଅପରପକ୍ଷରେ ଜଳ ଭଣ୍ଡାର ଅଞ୍ଚଳର ସ୍ଥାନୀୟ ମତ୍ସ୍ୟଜୀବିମାନେ ପେଟ ପାଟଣା ପାଇଁ ମାଛ ଉପରେ ନିର୍ଭର କରୁଥିବା ବେଳେ ଏହି ସବୁ ବନ୍ଧରେ ମାଛ ଚାଷ ଉପରେ ମସô୍ୟ ବିଭାଗ କିମ୍ବା ସରକାର ସେଭଳି ପଦକ୍ଷେପ ନେଉନଥିବା ଏବଂ ସରକାରଙ୍କ ତରଫରୁ ସେମାନଙ୍କୁ ମାଛ ଧରିବା ପାଇଁ ସରଞ୍ଜାମ ଯଥା-ଜାଲ,ଡଙ୍ଗା ଇତ୍ୟାଦି ଯୋଗାଇ ଦିଆଯାଉ ନଥିବା ମତ୍ସ୍ୟଜୀବିମାନଙ୍କ ଠାରୁ ପ୍ରକାଶ । ଏଥିସହିତ, ମତ୍ସ୍ୟଜୀବି ସେମାନଙ୍କୁ ପାରିବାରିକ ଚିକିତ୍ସା ସୁବିଧା, ସ୍ୱାସ୍ଥ୍ୟ ବୀମା ଏବଂ ଆବାସ ଯୋଜନା ପ୍ରଭୃତିରେ ଅବହେଳା କରାଯାଉଥିବା ସେମାନେ ଅଭିଯୋଗ କରୁଛନ୍ତି ।