ଜଳ ସଂକଟର ଶାସ୍ତି ଆମକୁ ଭୋଗିବାକୁ ହିଁ ପଡ଼ିବ!

ଜଳ ସଂକଟର ଶାସ୍ତି ଆମକୁ ଭୋଗିବାକୁ ହିଁ ପଡ଼ିବ!
ଶରତ କୁମାର ରାଉତ
ସଂପ୍ରତି ସାରା ପୃଥିବୀରେ ଜଳ ସଂକଟ ମୁଖ୍ୟ ସମସ୍ୟା ହୋଲାଣି । ପୃଥିବୀ ପୃଷ୍ଠରେ ପାଣିର ମୋଟ ପରିମାଣ ପ୍ରାୟ ୧୩ ଲକ୍ଷ କ୍ୟୁବିକ୍ କିଲୋମିଟର ଅଟେ । ମୋଟ ପାଣିର ୯୭ ଭାଗ ସମୁଦ୍ର ଲୁଣା ଜଳ ହୋଇଥିବା ବେଳେ ଅବଶିଷ୍ଟ ୩ ଭାଗ ମିଠା ପାଣି ମଧ୍ୟରୁ ୨.୩ ଭାଗ ବରଫ ରୂପେ ରହିଛି । ଭୂମିଗତ ଜଳ, ନଦୀ, ନାଳ, ଝରଣା, ପୋଖରୀ, କୂଅ ଓ ବାୟୁରେ ବାଷ୍ପ ଭାବରେ ରହିଛି ମାତ୍ର ୦.୭ ଶତକଡ଼ା ଜଳ । ଜଳ ସନ୍ତୁଳନର ପ୍ରାକୃତିକ ବ୍ୟବସ୍ଥାନୁସାରେ ସମଗ୍ର ବିଶ୍ୱରେ ୧୦ରୁ ୧୨ ହଜାର ଏମ୍‌ଏଚ୍‌ଏସ୍ ପାଣି ବର୍ଷା ଆକାରରେ ଆସିଥାଏ । ଏମ୍‌ଏଚ୍‌ଏସ୍ ର ଅର୍ଥ ୧୦ଲକ୍ଷ ହେକ୍ଟର ଭୂମି ଉପରେ ୧ ମିଟର ଗଭୀରର ପାଣି । ଏଥିରୁ ଭାରତକୁ ୪୦ କୋଟି ହେକ୍ଟର ମିଟର ପାଣି ବର୍ଷା ତଥା ହିମପାତ ମାଧ୍ୟମରେ ପ୍ରତିବର୍ଷ ମିଳିଥାଏ । ଏଥିରୁ ୨୩ କୋଟି ହେକ୍ଟର ମିଟର ପାଣି ବାଷ୍ପରେ ପରିଣତ ହୋଇଥାଏ ଓ ୧୭ କୋଟି ହେକ୍ଟର ମିଟର ପାଣି ଭୂଜଳ, ନଦୀ ଓ ସମୁଦ୍ରରେ ମିଶିଥାଏ । ଏହି ହିସାବରେ ଅମେ ନିଶ୍ଚୟ ସୌଭାଗ୍ୟଶାଳୀ ଅଟୁ । ଅନ୍ୟାନ୍ୟ କୃର୍ତ୍ତ୍ରିମ ଜଳାଶୟ ଅଲଗା କଥା, ଆମ ଦେଶରେ ପ୍ରାକୃତିକ ଛୋଟ ବଡ଼ ନଦୀ ସଂଖ୍ୟା ୧୦,୨୧୦ । ଆମ ଧର୍ମଗ୍ରନ୍ଥ ମାନଙ୍କରେ ଜଳ ସଂଗ୍ରହ, ଜଳ ସଂରକ୍ଷଣ ଓ ଜଳଦାନର ଗୁରୁତ୍ୱ ସ୍ପଷ୍ଟ ଉଲ୍ଲେଖ ରହିଛି । ଜଳାଶୟ ଖନନ ଓ ବୃକ୍ଷରୋପଣ ଭାରତୀୟ ସଂସ୍କୃତିରେ ଏକ ମହାନ୍ ଧାର୍ମିକ କାର୍ଯ୍ୟ ଭାବରେ ଗ୍ରହଣ କରାଯାଇଥାଏ । ଏସବୁ ବିଶ୍ଲେଷଣ କରାଗଲେ ସ୍ପଷ୍ଟ ହେବ ଯେ, ଜଳ ସଂଗ୍ରହ, ଜଳ ସଂରକ୍ଷଣ ଓ ଜଳଦାନରେ ଆମର ପୂର୍ବ ପୁରୁଷ ମାନେ ବେଶ୍ ସଚେତନ ଥିଲେ ।
କିନ୍ତୁ ବର୍ତ୍ତମାନ ଜଳ ସଂକଟର କାରଣ ସଂପର୍କରେ ସେପରି କିଛି ସମୀକ୍ଷା ହେଉନାହିଁ । ତେବେ ଜଳ ସଂଗ୍ରହ, ସଂରକ୍ଷଣ ଓ ଖର୍ଚ୍ଚ ପ୍ରତି ଆମର ଦାୟିତ୍ୱହୀନତା ହିଁ ଜଳ ସଂକଟର ମୂଳ କାରଣ ଅଟେ । ଏକ ବୈଜ୍ଞାନିକ ହିସାବ ଅନୁସାରେ ୧୯୦୦ ମସିହାରୁ୧୯୯୫ ମଧ୍ୟରେ ଆମର ପାଣି ବ୍ୟବହାରରେ ୭ ଗୁଣ ବୃଦ୍ଧି ପାଇଥିବାବେଳେ ଏହି ସମୟରେ ଜନସଂଖ୍ୟା(ବିଶ୍ୱ) ମାତ୍ର ୨ଗୁଣ ବଢିଥିଲା । ଆନ୍ତର୍ଜାତୀୟ ସ୍ତରରେ ବୈଜ୍ଞାନିକ ମାନଙ୍କ ସର୍ବେକ୍ଷଣ ଅନୁଯାୟୀ ସମଗ୍ର ବିଶ୍ୱରେ ନଦୀ କୂଳବର୍ତ୍ତୀ ଅଂଚଳରେ ଜନସଂଖ୍ୟା ବୃଦ୍ଧି ହେତୁ ପ୍ରଦୂଷଣ ବଢିଛି ଓ ପାନୀୟ ଜଳ ସଂକଟ ଚରମ ସୀମାରେ ପହଂଚିଛି । ଗଙ୍ଗା ନଦୀ ତଟ୍ଟରେ ୧୦୦ ଏବଂ ଏହାର ଆଖପାଖରେ ୬୯୨ ଟି ସହର ଓ ବସ୍ତୀ ରହିଛି । ବେସରକାରୀ ହିସାବ ଅନୁସାରେ କେବଳ ବନାରସ ସହର ପ୍ରତିବର୍ଷ ଗଙ୍ଗା ମାତାକୁ ପ୍ରାୟ ୧୦ ହଜାର ପଶୁ ଓ ମଣିଷ ଶବ ଅର୍ପଣ କରୁଛି । କିଛିବର୍ଷ ତଳେ କେନ୍ଦ୍ର ପ୍ରଦୂଷଣ ବୋର୍ଡ଼ର ଏକ ରିପୋର୍ଟ ଅନୁଯାୟୀ ମହାନ୍ ତୀର୍ଥ ଧାମ ହରିଦ୍ୱାରରୁ ଗଙ୍ଗାକୁ ପ୍ରତିଦିନ ପ୍ରାୟ ୨ କୋଟି ଲିଟର ମଳଯୁକ୍ତ ପାଣି ମିଳୁଛି । କାନପୁରର ଶିଳ୍ପ କାରଖାନା ଗଙ୍ଗା ଉପରେ ଯେପରି ଅତ୍ୟାଚାର କରୁଛି, ତାହା ଅତି ହୃଦୟ ବିଦାରକ । ଏହି ଅବସ୍ଥା ଯମୁନା ଓ ଅନ୍ୟାନ୍ୟ ଧାର୍ମିକ ନଦୀ ମାନଙ୍କର ମଧ୍ୟ ରହିଛି । ସବୁ ଦୃଷ୍ଟିରୁ ବିଚାର କଲେ, ଏହି ଅବସ୍ଥା ଅତ୍ୟନ୍ତ ଦୁଃଖଦ, ଭୟାବହ, ଲଜ୍ଜାଜନକ ଓ ସ୍ପର୍ଶକାତର ଅଟେ । ଆମ ଦେଶରେ ମୋଟ ୫,୬୬,୮୭୮ ଟି ଗ୍ରାମ ରହିଛି ଓ ପ୍ରାୟ ୮୫ ଶତକଡ଼ା ଲୋକେ ଜଳ ପାଇଁ କୂଅ, ଝରଣା, ପୋଖରୀ ଓ ନଦୀ ଉପରେ ନିର୍ଭର କରନ୍ତି । ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଏବେ ପ୍ରାୟ ୨ ଲକ୍ଷ ଗ୍ରାମ ପାନୀୟ ଜଳରୁ ବଂଚିତ ଅଛନ୍ତି । ସଂପୃକ୍ତ ବାସିନ୍ଦା ୫ରୁ ୧୦ କିଲୋମିଟର ଦୂରରୁ ପାଣି ଆଣି ଜୀବନ ବିତାଉଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ ୩୫ ଶତକଡ଼ା ଲୋକଙ୍କୁ ବିଶୁଦ୍ଧ ଜଳ ମିଳି ପାରୁଥିବାବେଳେ ୬୫ ଭାଗ ଲୋକେ ଏଥିରୁ ବଂଚିତ । ଆମେ ନିଜେ କେତେକ ଜଳ ଉତ୍ସକୁ ନିଜ ହାତରେ ନଷ୍ଟ କରୁଥିବା ଏହାର ଏକ ମୁଖ୍ୟ କାରଣ । ଗାଁ ମାନଙ୍କରେ ଅଧିକାଂଶ କୂଅ, ପୋଖରୀ ଅପରିସ୍କାର ରହିଛି । ଗଣତନ୍ତ୍ରର ଭାବନାକୁ ନବୁଝି ଆମେ ଏସବୁର ଦାୟିତ୍ୱ ନିଜ କାନ୍ଧରୁ ଉତାରି ସରକାରର ଅଜଣା କାନ୍ଧ ଉପରେ ରଖି ଦେଇଛୁ । ଜଳ ସମସ୍ୟା ପ୍ରସଙ୍ଗରେ ଜଡ଼ ପାଲଟିଥିବା ଆମେ ଭାରତୀୟ ଭୁଲି ଯାଇଛୁ ଯେ, “ଜଙ୍ଗଲ ଅଛି ତ ଜଳ ଅଛି”ର ବୈଜ୍ଞାନିକ ତଥ୍ୟ । ହେଲେ ଭାରତରେ କ୍ରମେ ଜଙ୍ଗଲ ପରିମାଣ ୯ ଶତକଡ଼ାକୁ ଖସି ଆସିଛି । ୧୯୮୨ରୁ ୧୯୮୯ ମଧ୍ୟରେ ୧କୋଟି ୧୦ ଲକ୍ଷ ହେକ୍ଟର ଜଙ୍ଗଲ ନଷ୍ଟ କରି ଦିଆଯାଇଥିଲା । ୧୯୯୦ ରୁ ୨୦୦୦ ମଧ୍ୟରେ ପ୍ରାୟ ୨ କୋଟି ହେକ୍ଟର ଜଙ୍ଗଲ ଧ୍ୱଂସ ପାଇଥିଲା ।
ତେବେ ନିକଟ ଭବିଷ୍ୟତରେ ଭାରତରେ ଉତ୍କଟ ଜଳ ସଂକଟ ସୃଷ୍ଟି ହେବାର ଆଶଙ୍କା ରହିଥିଲେ ହେଁ ଆମର ନିରବତା ବିସ୍ମୟର କଥା । ୱାଶିଂଟନ୍ ସ୍ଥିତ ୱାର୍ଲ୍‌ଡ଼ ୱାଟର ଉପାଧ୍ୟକ୍ଷ ସୁଶ୍ରୀ ସାନ୍ଦ୍ରା ପୋଷ୍ଟେଲ୍ ଭାରତରେ ଜଳ ସଂକଟର ଭବିଷ୍ୟବାଣୀ ୧୯୮୯ ରେ କରିଥିଲେ । ଏଥିପାଇଁ ସେ ଜଙ୍ଗଲ ଧ୍ୱଂସକୁ ମୁଖ୍ୟ କାରଣ ବୋଲି କହିଥିଲେ । ବୈଜ୍ଞାନିକ ତଥ୍ୟ ଅନୁଯାୟୀ ପର୍ଯ୍ୟାପ୍ତ ବର୍ଷା ପାଇଁ ଏକ-ତୃତୀୟାଂଶ ଭାଗ ଜଙ୍ଗଲର ଆବଶ୍ୟକତା ରହିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଆମ ଦେଶର ପ୍ରାୟ ୭୫ ଶତକଡ଼ା ପାଣି ପ୍ରଦୂଷିତ ହୋଇ ଯାଇଛି । ଆନ୍ତର୍ଜାତୀୟ ପରିବେଶ ଅନୁସଂଧାନ ସଂସ୍ଥାର ମୁଖ୍ୟ ଡ଼େଭିଡ଼୍ ନେଲସନ୍ କିଛିବର୍ଷ ତଳେ ଭାରତରେ ଜଳ ପ୍ରଦୂଷଣର ଭୟାବହତା ସଂପର୍କରେ ଉଲ୍ଲେଖ କରି ତୁରନ୍ତ ଏହାର ନିୟନ୍ତ୍ରଣ ଅପରିହାର୍ଯ୍ୟ ବୋଲି କହିଥିଲେ । ଆମର ଶାସ୍ତ୍ର ଅନୁଯାୟୀ ଜଳଭଣ୍ଡାରକୁ ଭଗବାନ ବରୁଣଙ୍କ ବାସସ୍ଥାନ ଗ୍ରହଣ କରାଯାଇ ଏଥିରେ କୌଣସି ବର୍ଯ୍ୟବସ୍ତୁ ଫିଙ୍ଗା ଯିବା ପାପ ବୋଲି ଧରାଯାଏ ।
ସାଧାରଣତଃ ଆମେ ଅଶୌଚ ଥିଲେ, ଗଙ୍ଗା-ଯମୁନା ଭଳି ନଦୀରେ ଗାଧୋଇ ପବିତ୍ର ହେବାର ପରମ୍ପରା ରହିଛି । କିନ୍ତୁ ଆଜି ଏହି ନଦୀ ଗୁଡ଼ିକୁ ଅଳିଆ-ଆବର୍ଜ୍ଜନା ମୟ ସରକାରୀ ଗାଡ଼ି ଭଳି ମନେ କରୁଛନ୍ତି । ଯଦିଓ ଜାତୀୟ ବିକାଶ ପାଇଁ ଶିଳ୍ପ କାରଖାନାର ପ୍ରସାର ଅପରିହାର୍ଯ୍ୟ, ତଥାପି ଏହାର ଅର୍ଥ ନୁହେଁ ଯେ ଏଥିପାଇଁ ମଣିଷ ସମାଜକୁ ଧ୍ୱଂସ ମୁଖକୁ ଠେଲି ଦେବା । ଜଳ ପ୍ରଦୂଷଣରେ ଶିଳ୍ପସଂସ୍ଥାର ଭୂମିକା ପ୍ରାୟ ୪୦ ରୁ ୫୦ ଶତକଡ଼ା ରହିଥିବା ସ୍ପଷ୍ଟ । ୧ଟନ୍ କାଗଜ ଓ ୧ଟନ୍ ଇଷ୍ପାତ୍ତ ତିଆରି ପାଇଁ ଯଥାକ୍ରମେ ଅଢେଇଲକ୍ଷ ଲିଟର ପାଣି ବ୍ୟୟ ହୋଇଥାଏ । ଏହି ହିସାବରେ ଅନ୍ୟାନ୍ୟ ବସ୍ତୁ ତିଆରିରେ ବହୁ ଅଧିକ ପାଣି ବ୍ୟୟ ହୁଏ ।
ବିକଶିତ ଦେଶର ବିଶେଷଜ୍ଞ ମାନେ ପାଣିର ଆବଶ୍ୟକତା ହ୍ରାସ କରାଇ ଉତ୍ପାଦନ ବୃଦ୍ଧି କରୁଥିବା ଦେଖା ଯାଉଛି । ଅନ୍ୟାନ୍ୟ ଦେଶର ଲୋକେ ମଧ୍ୟ ଏ ସଂପର୍କରେ ସଚେତନ ହୋଇ ଜଳ ପ୍ରଦୂଷଣ ରୋକିବା ପାଇଁ ଉଦ୍ୟମ କରୁଛନ୍ତି । ଇସ୍ରାଏଲ୍ ଭଳି ଜଳ ଅଭାବଗ୍ରସ୍ତ ଦେଶ ଦୂଷିତ ଜଳର ୭୫ ଭାଗ ପୁନଃ ଉପଯୋଗ କରାଇବାରେ ସକ୍ଷମ଼ ହୋଇଛି । ଅତଏବ ଆମେ ମଧ୍ୟ ଦୂଷିତ ଜଳକୁ ପୁନଃ ଉପଯୋଗ କରାଇବା ଦିଗରେ ଚିନ୍ତା କରିବା ଉଚିତ । ଯଦି ଆମେ ବର୍ତ୍ତମାନର ଅବସ୍ଥାକୁ ଆଖି ବୁଜିଦେବା, ତେବେ ଏହାର ଶାସ୍ତି ନିଜକୁ ହିଁ ଭୋଗିବାକୁ ପଡ଼ିବ, ଏଥିରେ ସନ୍ଦେହ ନାହିଁ ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍‌,
ଭୁବନେଶ୍ୱର, ମୋ- ୯୩୩୭୩୬୯୪୪୮

 

5 thoughts on “ଜଳ ସଂକଟର ଶାସ୍ତି ଆମକୁ ଭୋଗିବାକୁ ହିଁ ପଡ଼ିବ!

  1. Howdy! Do you know if they make any plugins to assist with Search Engine Optimization? I’m trying
    to get my blog to rank for some targeted keywords but I’m
    not seeing very good success. If you know of any please share.
    Kudos! I saw similar blog here: Warm blankets

Leave a Reply

Your email address will not be published.