ଜିଲ୍ଲା ପ୍ରଶାସନର ଦୂର ଦୃଷ୍ଟି ଯୋଗୁ ଗ୍ରୀନ୍ ଜୋନରେ ରାୟଗଡ଼ା!
ରାୟଗଡ଼ା, (ଆଇଏନ୍ଏସ୍): ରାୟଗଡ଼ା ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ ଓ ଦୂରଦୃଷ୍ଟି ଯୋଗୁ ରାୟଗଡ଼ା ଜିଲ୍ଲାର ସ୍ଥିତି ନିୟନ୍ତ୍ରଣାଧୀନ ରହିପାରିଛି । ପରୀକ୍ଷା ହୋଇଥିବା ସମସ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି । କ୍ୱାରେଂଟାଇନ୍ ରେ ଥିବା ୩ହଜାର ଲୋକଙ୍କ ମଧ୍ୟରୁ ପାଖାପାଖି ୨୮୦୦ ଲୋକଙ୍କ ନିକଟରେ କରୋନାର ଲକ୍ଷଣ ନଥିବା ଜଣାପଡ଼ିଛି । ଇଥିମଧ୍ୟରେ ଘରୋଇ ହିଂସା, ଚୋରୀ ମାମଲା ବହୁ ଭାଗରେ ହ୍ରାସ ପାଇଥିବାବେଳେ ମାସକରେ କେବଳ ଗୋଟିଏ ଦୂର୍ଘଟଣା ଘଟିଛି । ପ୍ରଥମରୁ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ଏପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା ଗ୍ରୀନ୍ ଜୋନରେ ରହିବାକୁ ସମର୍ଥ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଲୋକ ସମାଗମ ଉପରେ କଟକଣା ଲାଗିଥିବାବେଳେ ଭୋଜି, ଶିକ୍ଷାନୁଷ୍ଠାନ, ପାର୍କ, ସପିଂ ମଲ୍ ଆଦି ଦେବୀ ଦେବତାଙ୍କ ପ୍ରମୁଖ ପର୍ବକୁ ମଧ୍ୟ ବନ୍ଦ ରଖାଯାଇଥିଲା । କରୋନାରୁ ସୁରକ୍ଷା ପାଇଁ ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ଭାବେ ହାତ ଧୋଇବା ପାଇଁ ଗୋଟିଏ ଦିନରେ ୨୬୭୯ ଗ୍ରାମର ୪ ଲକ୍ଷ ଲୋକଙ୍କୁ ସଚେତନ କରାଯିବା ସହ ତାଲିମ ପ୍ରଦାନ କରାଯାଇଥିଲା । ଏଠାରେ ଥିବା ପ୍ରମୁଖ କମ୍ପାନୀ ଇମ୍ଫା, ଉତକଳ ଆଲୁମିନା ଓ ଜେକେ କାଗଜ କଳକୁ ସର୍ବନିମ୍ନ କର୍ମଚାରୀରେ ଚଳାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେବା ସହ ଅନ୍ୟାନ୍ୟ କ୍ଷୁଦ୍ର ଶିଳ୍ପ ଗୁଡ଼ିକୁ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲା ସୀମାନ୍ତରେ ଖୋଲିଥିବା ଆଶ୍ରୟସ୍ଥଳୀ ପରିଦର୍ଶନରେ ଯାଇ ଜିଲ୍ଲାପାଳ ନିଜେ ଅନ୍ତେବାସୀଙ୍କୁ ଖାଦ୍ୟ ପରସିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଅବସ୍ଥା ସମୀକ୍ଷା, ପରିବା ଓ ଆମିଷ ବଜାର ସ୍ତାନାନ୍ତର, ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ଏବଂ ୩୦ କଏଦୀଙ୍କୁ ପାରୋଲରେ ଛାଡ଼ିବା ଆଦି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ସଫଳ ପଦକ୍ଷେପ ନେଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ା.ସର୍ବଣା ବିବେକ ଙ୍କ ତତ୍ୱାବଧାନରେ ଲକଡ଼ାଉନ ସମୟରେ ଘରୋଇ ହିଂସା, ଚୋରୀ ଓ ଆଇନ ଶୃଖଳା ପରିସ୍ଥିତିରେ ବ୍ୟାପକ ସୁଧାର ଆସିଥିବା କୁହାଯାଇଛି ।