ନ୍ୟାୟପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ଜମି ମାଲିକ!

ବ୍ୟକ୍ତିଗତ ଜମି ଉପରେ ସରକାରୀ ରାସ୍ତା

ବାଲେଶ୍ୱର, (ଆଇଏନ୍ଏସ୍) : ବ୍ୟକ୍ତିଗତ ଜମି ଉପରେ ସରକାରୀ ପ୍ରକଳ୍ପ ହେଲେ ସରକାର ସେହି ଜମିକୁ ଅଧିଗ୍ରହଣ କରି ଜମି ମାଲିକଙ୍କୁ କ୍ଷତିପୂରଣ ଦେଇ ଥାଆନ୍ତି । ଏଥି ନିମନ୍ତେ ଆଇନ୍ ମଧ୍ୟ ରହିଛି । ପ୍ରଥମେ ଜମି ଚିହ୍ନଟ କରିବା ପରେ ଜମି ଗ୍ରହଣ ପାଇଁ ସରକାର ନୋଟିଫିକେସନ କରିଥାଆନ୍ତି । ତାପରେ ଜମି ମାଲିକଙ୍କୁ କ୍ଷତିପୂରଣ ଦେଇ ଜମି ଅଧିଗ୍ରହଣ କରିବା ପରେ ସରକାରୀ ପ୍ରକଳ୍ପ ସେହି ଜମି ଉପରେ ହୋଇଥାଏ । କିନ୍ତୁ ସରକାରୀ ନିତି ନିୟମକୁ ଆଡ଼େଇ ଦେଇ ଜଳେଶ୍ୱର ପୌରପାଳିକା ବ୍ୟକ୍ତିଗତ ଜମି ଉପରେ କିପରି ରାସ୍ତା ନିର୍ମାଣ କଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଜଳେଶ୍ୱର ପୌରପାଳିକା ଅଧିନସ୍ଥ ନହଞ୍ଜରା ମୌଜାର ଖାତା ନଂ-୯୬୮, ପ୍ଲଟ ନଂ.-୩୨୧ ଉପରେ ଜଳେଶ୍ୱର ପୌରପାଳିକା ନହଞ୍ଜରା ଗ୍ରାମକୁ ରାସ୍ତା ନିର୍ମାଣ କରିଛି, ଯାହା ନରେନ୍ଦ୍ର ରାଉତଙ୍କ ବ୍ୟକ୍ତିଗତ ସମ୍ପତି । ଏହି ବେଆଇନ୍ ରାସ୍ତା ନିର୍ମାଣକୁ ଚ୍ୟାଲେଞ୍ଜ କରି ଜଳେଶ୍ୱର ସିଭିଲ୍ ଜଜ୍, ସିନିୟର ଡିଭିଜନରେ ଏକ ମାମଲା ରୁଜୁ ହୋଇଛି, ଯାହାର କେସ୍ ନଂ.-୭୬/୨୦୧୬ । ଏହି କେସ୍ରେ ଜଳେଶ୍ୱର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ସମେତ ପୌରପାଳିକାର ଚେୟାରମେନ୍ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହି କେସ୍ କୋର୍ଟରେ ବିଚାରାଧିନ ଥିବା ବେଳେ ଜଳେଶ୍ୱର ପୌରପାଳିକା ତା.୦୬.୦୮.୧୯ରିଖରେ ଏହି ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ କରିଥିବା ଜମି ମାଲିକ ନରେନ୍ଦ୍ର ରାଉତ, ଜିଳ୍ଲାପାଳ, ଏସ୍.ପି ଙ୍କ ସମେତ ବିଭିନ୍ନ ଅଧିକାରୀ ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ନ୍ୟାୟ ପାଇ ପାରି ନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି ନରେନ୍ଦ୍ର ।
ଏହି ଘଟଣା ସମ୍ପର୍କରେ ଜଳେଶ୍ୱର ପୌରପାଳିକାର ନିର୍ବାହୀ ଅଧିକାରୀ ଦାୟୀତ୍ୱରେ ଥିବା ଜଳେଶ୍ୱର ଆଡିସନାଲ ତହସିଲଦାର କ୍ଷୀରୋଦ ପଣ୍ଡାଙ୍କୁ ପଚାରିବାରୁ, ଏହି ଘଟଣା କୋର୍ଟରେ ବିଚାରାଧିନ ରହିଥିବାରୁ ତାହା ଉପରେ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ ।

Leave a Reply

Your email address will not be published.