ପଣ୍ୟବାହୀ ଟ୍ରକ୍ ଚଳାଚଳ ନିୟନ୍ତ୍ରଣ କରିବ ଟ୍ରକ୍ ମାଳିକ ସଂଘ
ପାରାଦ୍ୱୀପ, (ଆଇଏନ୍ଏସ୍): ସମଗ୍ର ଦେଶ ଭୟଙ୍କର କରୋନା ସହ ଲଢେଇ ଜାରି ରଖିଛି । ଦେଶର ବିଭିନ୍ନ ରାଜ୍ୟ ମାନଙ୍କରେ କରୋନା ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛନ୍ତି ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ସଫେଇ କର୍ମଚାରୀ, ପୋଲିସ ଓ ଗଣମାଧ୍ୟମ । ସରକାରଙ୍କ ଦ୍ୱାରା ଲକ୍ ଡାଉନ୍ ଘୋଷଣା ହେବା ପରେ ରାସ୍ତା ଉପରେ ଯାତାୟତ ନିୟନ୍ତ୍ରଣ ସହ ଅମାନିଆଙ୍କୁ ମଧ୍ୟ ସାବାଡ୍ କରିଛି ପୋଲିସ । ସଂପ୍ରତି ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ କୋହଳ ହେବା ପରେ ଗାଡିମଟର ଯାଆ ଆସ ସହ ବିଭିନ୍ନ ଚେକ୍ ପଏଂଟ ସହ ବଜାର ଆଦିରେ ପୋଲିସ୍ ର ଦାୟିତ୍ୱ ବଢିଯାଇଛି । ପାରାଦ୍ୱୀପ ମଧ୍ୟକୁ ପଣ୍ୟ ନେଇ ଆସୁଥିବା ଟ୍ରକ ଗୁଡିକ ବେପରୁଆ ଭାବେ ଚଳାଚଳ କରିବା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହେବାକୁ ଲକ୍ଷ୍ୟ କରି ଏହାର ସଠିକ୍ ଚଳାଚଳ ନିମନ୍ତେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଏକ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିରଙ୍କ ଅଧ୍ୟକ୍ଷତାରେ ବସିିିଥିବା ଏହି ବୈଠକରେ ଟ୍ରକ୍ ମାଳିକ ସଂଘ ଗୁଡିକୁ ଯାତାୟତ ନିୟନ୍ତ୍ରଣ କରିବାର ଦାୟିତ୍ୱ ଦିଆଯାଇଛି । ପାରାଦ୍ୱୀପର ତିନିଗୋଟି ଜିଲ୍ଲା ଟ୍ରକ୍ ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଳିକ ସଂଘ, ଓ ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘକୁ ନେଇ ଗଠିତ ଏହି ଜେ.ସି.ସି ପୂର୍ବରୁ ପଣ୍ୟବାହୀ ଟ୍ରକ୍ ଗୁଡିକର ଯାତାୟତ ନିୟନ୍ତ୍ରଣ କରୁଥିଲେ । ପୁନର୍ବାରେ ଏହିକାର୍ଯ୍ୟ ଜେ.ସି.ସି.କୁ ପ୍ରଦାନ କରାଯାଇଛି । ପୋଲିସ୍ ଏହାର ତଦାରଖ କରିବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବ ବୋଲି ନିଷ୍ପତି ହୋଇଥିଲା । ଏହି ବୈଠକରେ ପାରାଦ୍ୱୀପ ଏଏସପି ବିଷ୍ଣୁ ଚରଣ ମିଶ୍ର, ବନ୍ଦର ଟ୍ରାଫିକ୍ ବିଭାଗ ପକ୍ଷରୁ ଶ୍ରୀମନ୍ ମିଶ୍ର, ପାରାଦ୍ୱୀପ ଥାନା ଓ ପାରାଦ୍ୱୀପ ଲକ୍ ଥାନା ଅଧିକାରୀଙ୍କ ସମେତ ପାରାଦ୍ୱୀପ ଟ୍ରକ୍ ମାଲିକ ସଂଘର ସଭାପତି ସୁମନ୍ତ ବିଶ୍ୱାଳ, ଜଗନ୍ନାଥ ମାଲିକ ସଂଘର ସଭାପତି ଛଇଳ ଚନ୍ଦ୍ର ଜେନା ଓ ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଂପାଦନ ରଞ୍ଜିତ୍ ବେହରା ପ୍ରମୁଖ ଉପସ୍ଥିତ ଥିଲେ ।