ସାମୁହିକ ସଂକ୍ରମଣ ସମ୍ଭାବନା ନାହିଁ: ବନ୍ଦର ପ୍ରଶାସନ
ପାରାଦ୍ୱୀପ, (ଆଇଏନ୍ଏସ୍): ଦେଶରେ କରୋନା ସଂକ୍ରମଣ ପ୍ରାରମ୍ଭରୁ ପାରାଦ୍ୱୀପ ବନ୍ଦରକୁ ଆସୁଥିବା କୌଣସି ଜାହାଜର କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ଏତଦ୍ ବ୍ୟତିତ ବନ୍ଦର ପ୍ରଶାସନ ପକ୍ଷରୁ ବନ୍ଦରାଂଚଳରେ ଏହି ସଂକ୍ରମଣ ନବ୍ୟାପିବା କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି ଓ ପଦକ୍ଷେପମାନ ଗ୍ରହଣ କରା ଯାଇଛି । ତେବେ ଗତ ୧୩ ତାରିଖରେ ବନ୍ଦରକୁ ଲୁହାପଥର ବୋଝେଇ କରିବାକୁ ଆସିଥିବା ଏମଭି ଆଲୋନିସସ୍ ଜାହାଜରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସରକାରଙ୍କ ନିୟମ ଅନୁଯାୟୀ ପାରାଦ୍ୱୀପର ଏକ ହେଟେଲରେ ଖୋଲିଥିବା ସଙ୍ଗରୋଧ କେନ୍ଦ୍ରରେ ଏହି ଆକ୍ରାନ୍ତଙ୍କୁ ରଖାଯାଇ ତାଙ୍କର ସ୍ୱାବ୍ ପରିକ୍ଷା କରା ଯାଇଥିଲା । ଦୁଇଦିନ ପରେ ତାଙ୍କ ରିପୋଟ ପଜିଟିଭ୍ ଆସିବାପରେ ତାଙ୍କୁୁ ଚିକିସôା ପାଇଁ କିମ୍ସ୍ କୋଭିଡ୍ ଚିକିସôାଳୟରେ ଭର୍ତି କରାଯାଇଥିଲା । ଏହି ଜାହାଜର କର୍ମଚାରିଙ୍କ ଘର ତାମିଲନାଡୁରେ ଏବଂ ସେ ଜାହଜରୁ ଅବତରଣ କରି କଷ୍ଟମ ଓ ଇମିଗ୍ରେସନ କାର୍ଯ୍ୟାଳୟରେ ନିଜର ଡକୁମେଂଟ କ୍ଳିଅରାନ୍ସ କରାଇ ତାଙ୍କ ଘରକୁ ଯାଇଥାନ୍ତେ । ଏଠାରେ ସୂଚନାଯୋଗ୍ୟ ଯେ, ଜାହାଜରୁ ଅପସରଣ ଓ ଯୋଗଦାନ ପାଇଁ ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଧିଷ୍ଟ ବନ୍ଦରକୁ ଚିହ୍ନଟ କରାଯାଇଛି ଓ ସେ ମଧ୍ୟରୁ ପାରାଦ୍ୱୀପ ବନ୍ଦର ଅନ୍ୟତମ । ତେବେ ଏହି ଆକ୍ରାନ୍ତଙ୍କୁ ଗାଡିରେ ନେବା ଆଣିବା କରିଥିବା ଗାଡି ଚାଳକ ଓ ଜାହାଜ ଏଜେଂଟ କର୍ମଚାରିଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏଥିମଧ୍ୟରେ ଉକ୍ତ ଜାହାଜଟି ପାରାଦ୍ୱୀପ ବନ୍ଦରରୁ ମାଲ୍ ବୋଝେଇ କରି ଚାଲିଯାଇଛି । ଯେହେତୁ ଆକ୍ରାନ୍ତ ଜାହାଜ କର୍ମଚାରୀ ସଙ୍ଗରୋଧରେ ଥିଲେ, ଏଣୁ ସାମୁହିକ ସଂକ୍ରମଣର କୌଣସି ସମ୍ଭାବନା ନାହିଁବୋଲି ବନ୍ଦର ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଏଠାରେ ସୂଚନା ଥାଉକି କରୋନା ସଂକ୍ରମଣ ନିୟନ୍ତ୍ରଣ ଓ ପ୍ରତିହତ ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସମେତ ଦେଶ ବିଦେଶରୁ ଆସୁଥିବା ଜାହାଜ କର୍ମଚାରୀ ମାନଙ୍କ ଠାରେ ସାମ୍ଭାବ୍ୟ କରୋନା ସଂକ୍ରମଣ ଦୃଷ୍ଟିରୁ ଜାହାଜ ମାନଙ୍କୁ ୧୪ଦିନ କ୍ୱାରେନଟାଇନ୍ ରହିବା ପରେ ଏବଂ ପରିକ୍ଷା ନିରିକ୍ଷା ପରେ ବନ୍ଦରରେ ଜାହାଜ ଲାଗିବାର ଅନୁମିତି ମିଳୁଛି ଏବଂ ଜାହାଜର କର୍ମଚାରୀ ମାନଙ୍କୁ ଜାହାଜରୁ ତଳକୁ ଓହ୍ଳାଇବା ବନ୍ଦର ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।