ବଣ-ପାହାଡ଼ ଘେରା ଆଦିବାସୀ ମଣିଷର ଭାଗ୍ୟ!

ବଣ-ପାହାଡ଼ ଘେରା ଆଦିବାସୀ ମଣିଷର ଭାଗ୍ୟ!ଶରତ କୁମାର ରାଉତ
ଓଡ଼ିଶାର ବଣ-ପାହାଡ଼ ଘେରା ଦୁର୍ଗମ ଅଂଚଳରେ ବସବାସ କରୁଥିବା ଆଦିବାସୀ ମଣିଷ ମାନେ ଦାରିଦ୍ର୍ୟର ଅନ୍ଧକାର ଭିତରୁ କେବେ ମୁକ୍ତି ପାଇବେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯୁଗ ଆରମ୍ଭରୁ ଆଦିବାସୀ ମଣିଷ ପ୍ରତି ସବୁ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି । ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ଦିଗରେ ମଧ୍ୟ ସରକାର ଯତ୍ନବାନ ହେଉ ନାହାନ୍ତି । ସ୍ୱାଧୀନତା ପର ଠାରୁ ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ କୌଣସି ସରକାର ଆନ୍ତରିକତାର ସହ କାର୍ଯ୍ୟ କରି ନାହାନ୍ତି । ଆଦିବାସୀ ମଣିଷର ଦାରିଦ୍ର୍ୟ ଓ ଅସଚେତନତାର ମୂଳ କାରଣ ଏବଂ ତାର ସ୍ଥାୟୀ ସମାଧାନ ପନ୍ଥା ବାହାର କରାନଯାଇ କେବଳ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଦ୍ୱାରା ଆଦିବାସୀ ମଣିଷର ବିକାଶ ଅସମ୍ଭବ । ୧୯୯୮ ଅଗଷ୍ଟ ୧୨ ତାରିଖରେ କାର୍ଯ୍ୟକାରୀ ହୋଇଥିବା କେବିକେ ପ୍ରକଳ୍ପ ଏବଂ ସମନ୍ନିତ ଆଦିବାସୀ ବିକାଶ ସଂସ୍ଥା, ପଂଚାୟତିରାଜ ବ୍ୟବସ୍ଥା, ଜିଲ୍ଲା ଯୋଜନା ବୋର୍ଡ଼, ବିଜୁ କେବିକେ ଯୋଜନା ଆଦି ଦ୍ୱାରା ଆଦିବାସୀ ପ୍ରଜା ଆଦୌ ଉପକୃତ ହୋଇ ପାରିନାହିଁ । ବରଂ ଯୋଜନା ଗୁଡ଼ିକ ଆଦିବାସୀ ବିକାଶ ବଦଳରେ ଅଫିସର ଓ ରାଜନେତାଙ୍କ ବିକାଶ ଯୋଜନାରେ ପରିଣତ ହୋଇଛି ।
ଆଦିବାସୀ ମଣିଷର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ମାତ୍ର ଏହାର ସୁଫଳ ଆଦିବାସୀ ମଣିଷ ମାନଙ୍କ ପାଖରେ ପହଂଚି ପାରିନାହିଁ । ଏବେ ମଧ୍ୟ ପ୍ରାୟ ୯୦ ଭାଗ ଆଦିବାସୀ ବାସିନ୍ଦା ଦାରିଦ୍ର୍ୟ ସୀମାରେଖା ତଳେ ଅବସ୍ଥାନ କରୁଛନ୍ତି । ଆଦିବାସୀ ଯୁବକ ଯୁବତୀଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରି ସେମାନଙ୍କ ପାଇଁ ଅଧିକ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି କାର୍ଯ୍ୟକାରୀ ଧନ୍ଦାମୂଳକ ତାଲିମ ଯୋଜନା ବାବଦରେ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଉଛି । ଆଦିବାସୀ ବାଳିକାଙ୍କ ଶିକ୍ଷା ଯୋଜନା ବାବଦରେ କୋଟିକୋଟି ଟଙ୍କା ଯୋଗାଇ ଦିଆ ଯାଉଛି । ଆଦିବାସୀ ମାନଙ୍କୁ ବାଣିଜି୍ୟକ ଶୋଷଣ ଓ ଦଲାଲ ମାନଙ୍କ କବଳରୁ ରକ୍ଷା ପାଇଁ ଗଠିତ ଆଦିବାସୀ ସମବାୟ ବିପଣନ ଉନ୍ନୟନ ମହାସଂଘ ଆଦିବାସୀ ମାନଙ୍କୁ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ଓ ବଳକା କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ସହାୟତା ଯୋଗାଇ ଦେଉଛି । ଲଘୁ ବନଜାତ ଦ୍ରବ୍ୟ କାରବାର ପାଇଁ କେନ୍ଦ୍ର ସରକାର ଆଦିବାସୀ ଉନ୍ନୟନ ନିଗମ, ବନ ଉନ୍ନୟନ ନିଗମ ଓ ଲଘୁ ବନଜାତ ଦ୍ରବ୍ୟ ଉନ୍ନୟନ ମହାସଂଘକୁ ଅନୁଦାନ ଯୋଗାଇ ଦେଉଛି । ସେହିପରି ଗ୍ରାମୀଣ ଶସ୍ୟ ବ୍ୟାଙ୍କ୍ ଯୋଜନାରେ ହଜାର ହଜାର ଶସ୍ୟ ବ୍ୟାଙ୍କ ଗଠିତ ହୋଇଛି । ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବୃତି ଯୋଜନାରେ ଅନୁଦାନ ଯୋଗାଇ ଦିଆଯାଉଛି । ଆଦିବାସୀ ମାନଙ୍କର ବିଭିନ୍ନ ଆୟ ସୃଷ୍ଟିକାରୀ ଯୋଜନା ପାଇଁ ଗଠିତ ଜାତୀୟ ଆଦିବାସୀ ଅର୍ଥ ଉନ୍ନୟନ ନିଗମ ଆଦିବାସୀ ମାନଙ୍କୁ ଶହଶହ କୋଟି ଟଙ୍କାର ଋଣ ଯୋଗାଇ ଦେଉଛି ।
କିନ୍ତୁ ଏହାର କଣିଚାଏ ସୁଫଳ ସାଧାରଣ ଆଦିବାସୀ ମଣିଷ ପାଖରେ ପହଂଚି ପାରୁନାହିଁ । ଯୋଜନା ଗୁଡ଼ିକ କେବଳ କାଗଜପତ୍ରରେ କାର୍ଯ୍ୟକାରୀ ହୋଇ କୋଟିକୋଟି ଟଙ୍କା ହରିଲୁଟ୍ ହେଉଛି । ଯୋଜନାବଦ୍ଧ ଭାବେ ଗରିବ ଆଦିବାସୀର ସ୍ୱାର୍ଥ ଲୁଟ୍ ହେଉଥିଲେ ମଧ୍ୟ ଏଥିରେ ସରଳ-ନୀରିହ ଆଦିବାସୀ ମଣିଷ ପ୍ରତିବାଦ କରିପାରେ ନାହିଁ । ଏବେ ମଧ୍ୟ ଆଦିବାସୀ ମଣିଷ ଦାରିଦ୍ର୍ୟର କବଳରେ ବନ୍ଦି ହୋଇ ରହିଛି । ପେଟକୁ ମୁଠାଏ ଦାନା ପାଇଁ ଏବେ ବି ସେ ନିଜ ଜୀବନ-ଜିବୀକା ସହ ସଂଘର୍ଷ ଜାରି ରଖିଛି । ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛି । ଶିକ୍ଷା ଠାରୁ ବହୁ ଦୂରରେ ରହିଛି । ସାମାଜିକ ଓ ଆର୍ଥିକ ସ୍ଥିତି ବିପନ୍ନ ରହିଛି ।
ପରିବାର କଲ୍ୟାଣ ଭିତିକ ଯୋଜନା ଓ ଆୟ ସୃଷ୍ଟିକାରୀ ଯୋଜନାରେ ଆଦିବାସୀ ପରିବାର ଗୁଡ଼ିକ ଉପକୃତ ହୋଇପାରି ନଥିବାବେଳେ ବିଭିନ୍ନ କଲ୍ୟାଣ ଯୋଜନା ବିଫଳ ହୋଇଛି । ଛାତ୍ରୀନିବାସ ଯୋଜନା ଓ ଆଶ୍ରମ ସ୍କୁଲ୍ ଯୋଜନାରେ ନିର୍ମିତ ଗୃହ ଓ ପରବର୍ତୀ ସ୍କୁଲ୍ ପରିଚାଳନାରେ ଗୁରୁତର ବ୍ୟାହତ ସୃଷ୍ଟି ହେଉଛି । ଇତିମଧ୍ୟରେ କେବିକେ ଜିଲ୍ଲାରେ ପ୍ରାୟ ୧ହଜାରରୁ ଅଧିକ ଆବାସିକ ବିଦ୍ୟାଳୟରେ ଛାତ୍ରୀନିବାସ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏହି ଯୋଜନାରେ ମହିଳା ସାକ୍ଷରତା ହାର ବୃଦ୍ଧି ଲକ୍ଷ୍ୟ ପୂରଣ ହୋଇ ପାରିନଥିବା ବେଳେ ଛାତ୍ରୀ ନିବାସ ଗୃହ ନିର୍ମାଣରେ କୋଟିକୋଟି ଟଙ୍କା ବାଟମାରଣା ହୋଇଛି । ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଖାତାପତ୍ରରେ ସୀମିତ ରହିଛି । ଆଦିବାସୀ ବିକାଶ ନାଁରେ କୋଟିକୋଟି ଟଙ୍କା ସ୍ୱେଚ୍ଛାସେବୀ ସଂସ୍ଥା ମାନେ ଆତ୍ମସାତ୍ କରୁଥିବା ଦେଖାଯାଇ ଆସୁଛି । ଆଦିବାସୀ ଅର୍ଥ ଉନ୍ନୟନ ନିଗମ ଦ୍ୱାରା ଆଦିବାସୀ ମାନେ ଉପକୃତ ହୋଇ ପାରୁନଥିବା ବେଳେ ସମନ୍ନତି ଆଦିବାସୀ ବିକାଶ ସଂସ୍ଥା ଅଧିକାରୀ ଓ ଯନ୍ତ୍ରୀଙ୍କ ବିକାଶ ସଂସ୍ଥାରେ ପରିଣତ ହୋଇଛି । ଅଧିକାରୀମାନେ ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ କି୍ରୟାଶୀଳ କରାଇବା ପରିବର୍ତେ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଅର୍ଥ ହରିଲୁଟ୍ କରିବାରେ ବ୍ୟସ୍ତ ଅଛନ୍ତି । ଯୋଜନା ଅର୍ଥ ହେରଫେର ସଂପର୍କରେ ଅନୁସଂଧାନ କରାଯାଇ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତେବେ ନିଶ୍ଚୟ ନୈତିକତାର ଅବକ୍ଷୟ ଘଟୁଛି ଓ ଏ ଦେଶ ବିଶେଷତଃ ଆଦିବାସୀ ମଣିଷର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଗତି କରୁଛି ବୋଲି କୁହାଯାଇ ପାରିବ ।
ଆମକୁ ଏହା ସ୍ୱୀକାର କରିବାକୁ ପଡ଼ିବ ଯେ, ୨୦୦୦ରୁ ୨୦୧୭ ମଧ୍ୟରେ ଅନୂସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କୌଣସି ଜଣେ ମନ୍ତ୍ରୀ ନିଜ କରିସ୍ମା ବଳରେ ସାମାନ୍ୟତମ ପରିବର୍ତ୍ତନ ଆଣି ପାରି ନଥିଲେ କି କୌଣସି ନୂଆ ସଂସ୍କାର । କିନ୍ତୁ ୨୦୧୭ରେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ବିଭାଗର ଦାୟିତ୍ୱ ନେବା ପରେ ସେ ନିଜର ଅଭିଜ୍ଞତା ବଳରେ ବିଭାଗରେ ବ୍ୟାପକ ସଂସ୍କାର ଆଣିଥିଲେ । ମୁଖ୍ୟତଃ ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାରେ ରମେଶ ବାବୁଙ୍କର ପ୍ରମୁଖ ଭୂମିକା ରହିଛି । ଏବେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଆଦିବାସୀ ମାନଙ୍କ ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ତାଙ୍କର ବଳିଷ୍ଠ ନେତୃତ୍ୱରେ ଅନୂସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ଆହୁରି ବ୍ୟାପକ ସଂସ୍କାର ଆସି ପାରିବ ବୋଲି ବିଭିନ୍ନ ମହଲରେ ଆଶା କରାଯାଉଛି । ସରକାରୀ ନୀତି କାର୍ଯ୍ୟକାରୀ ଉପରେ ମନ୍ତ୍ରୀ ଜଗନ୍ନାଥ ବାବୁ ବେଶ୍ ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ ଆଦିବାସୀ ପ୍ରକଳ୍ପ ଓ ତାହାର କାର୍ଯ୍ୟକାରୀ ପ୍ରଣାଳୀର ନିୟମିତ ସମୀକ୍ଷା କରୁଛନ୍ତି । ବିଭାଗୀୟ ସଚିବାଳୟ, ସମନ୍ନିତ ଆଦିବାସୀ ବିକାଶ ସଂସ୍ଥା ଆଦି କାର୍ଯ୍ୟାଳୟରେ ଅଭିନବ ସଂସ୍କାର ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଯେଉଁଥିପାଇଁ ଆଦିବାସୀ ମାନେ ବିକାଶର ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ତେବେ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ବିଭାଗୀୟ ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ କି୍ରୟାଶୀଳ କରାଇବା ସହ ସମନ୍ନତି ଆଦିବାସୀ ବିକାଶ ସଂସ୍ଥାର ଅଧିକାରୀ ଓ ଯନ୍ତ୍ରୀଙ୍କ କାର୍ଯ୍ୟ ନିୟନ୍ତ୍ରଣ କରିବା ଜଗନ୍ନାଥ ବାବୁଙ୍କର ପ୍ରଥମ ଓ ପ୍ରଧାନ କର୍ତବ୍ୟ ହେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

One thought on “ବଣ-ପାହାଡ଼ ଘେରା ଆଦିବାସୀ ମଣିଷର ଭାଗ୍ୟ!

Leave a Reply

Your email address will not be published.