ବିଜୁଳି ଚୋରୀରେ ସମ୍ପୃକ୍ତ ଖୋଦ୍ ବିଜୁଳି ବିଭାଗ!
ବାଲେଶ୍ୱର, (ଆଇଏନ୍ଏସ୍) : ବିଜୁଳି ବିଭାଗ ଆଜି ନୁହେଁ, ଆବାହମାନ କାଳରୁ ହିଁ କ୍ଷତିରେ ଚାଲିଛି । ରାଜ୍ୟ ସରକାରଙ୍କ ଅଧିନରେ ବିଜୁଳି ବିଭାଗ ଥିବା ବେଳେ ଓଡ଼ିଶା ଷ୍ଟେଟ ଇଲେକ୍ଟ୍ରିସିଟି ବୋର୍ଡ଼ ଭାବେ ବିଜୁଳି ବିଭାଗ ପରିଚିତ ଥିଲା । କ୍ଷତି କାରଣରୁ ସରକାର ବିଜୁଳି ବିଭାଗର ପରିଚାଳନା ଦାୟୀତ୍ୱ ବିଭିନ୍ନ କମ୍ପାନୀକୁ ହସ୍ତାନ୍ତର କଲାପରେ ମଧ୍ୟ କ୍ଷତିର ପରିମାଣ କମିବାର ନାଁ’ ଧରୁନାହିଁ । କ୍ଷତି କାହିଁକି ଘଟୁଛି ତାହାର ବହୁକାରଣ ମଧ୍ୟରୁ ବିଜୁଳି ଏକ ପ୍ରମୁଖ କାରଣ ।
ନିକଟରେ ଗଣମାଧ୍ୟମରେ ପ୍ରକାଶିତ ଏକ ସମ୍ବାଦ ଅନୁସାରେ, କେନ୍ଦ୍ରାପଡ଼ା ବିଦୁ୍ୟତ୍ ଡିଭିଜନରେ ପ୍ରତି ମାସରେ ୫୦ ଲକ୍ଷ ୟୁନିଟ୍ ବିଜୁଳି ଚୋରୀ ହେଉଛି । କେନ୍ଦ୍ରାପଡ଼ା ବିଦୁ୍ୟତ୍ ଗ୍ରୀଡ୍ ମାସକୁ ୧୫.୩୯ ନିୟୁତ୍ ୟୁନିଟ୍ ବିଦୁ୍ୟତ୍ କିଣୁଥିବା ବେଳେ ବିଲ୍ ହେଉଛି ମାତ୍ର ୯.୭୭୮ ନିୟୁତ୍ ୟୁନିଟ୍ । ବାକି ବିଜୁଳି ଗଲା କୁଆଡ଼େ? କେବଳ କେନ୍ଦ୍ରପଡ଼ା ନୁହେଁ ଏହା ହିଁ ହେଉଛି ରାଜ୍ୟର ଅବସ୍ଥା । କେନ୍ଦ୍ରାପଡ଼ା ଏକ ନମୂନା ମାତ୍ର । ପ୍ରକାଶ୍ୟ ଦିବା ଲୋକରେ ପୁଣି ସହରର ଜନ ଗହଳି ରାସ୍ତାରେ ବିଜୁଳି ଚୋରୀ ହେଉଛି, ଦେଖିବାକୁ କିମ୍ବା ରୋକିବାକୁ କେହିନାହିଁ । ବାଲେଶ୍ୱର ଜିଲ୍ଲାର ସୋର ପୌରପାଳିକାରେ ବେଆଇନ୍ ଭାବେ ହୋକିଂ କରାଯାଇଥିବା କେବଳ ଦେଖିବାକୁ ମିଳିନାହିଁ, ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ ।
ତା.୦୯.୦୯.୨୦୧୮ରିଖ ସନ୍ଧ୍ୟା ସମୟ । ସୋର ପୌରପାଳିକାର ଉତରେଶ୍ୱର ଠାରେ ରାସ୍ତାର ଡିଭାଇଡରକୁ ଉଚ୍ଚ କରିବା କାର୍ଯ୍ୟ ପାଇଁ ଠିକାଦାର ହୋକିଂ କରି ଡ୍ରିଲ୍ ମେସିନ ଚଳାଇ ଡିଭାଇଡରରେ ହୋଲ କରୁଥିବା ଦେଖିବାକୁ ମିଳିଥିଲା । ଏହି ହୋକିଂ ସମ୍ପର୍କରେ ସୋର ବିଜୁଳି ବିଭାଗ (ନେସ୍କୋ ଡିଭିଜନ) ନିର୍ବାହୀ ଯନ୍ତ୍ରୀ ଭୁପେନ୍ଦ୍ର ନାଥ ସାହୁଙ୍କୁ, ତାଙ୍କ ମୋବାଇଲ ନଂ.- ୯୪୩୮୯୦୬୦୯୫ରେ ହୋକିଂ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ହୋକିଂକୁ ରୋକିବା ପାଇଁ ନିର୍ବାହୀ ଯନ୍ତ୍ରୀ ପଦକ୍ଷେପ ନେବା ପରିବର୍ତେ, ‘ସବୁ ସ୍ଥାନରେ ଏହିଭଳି ହେଉଛି, ସେ କରୁଥିବେ’ ବୋଲି କହିଥିଲେ । ଏସମ୍ପର୍କରେ, ଡି.ଜି.ଏମ୍ (ଇଲେକ୍ଟ୍ରିକାଲ), ଇଲେକ୍ଟ୍ରିକାଲ ସର୍କଲ, ବାଲେଶ୍ୱରଙ୍କୁ ତା.୧୨.୦୯.୨୦୧୮ରେ (ବ୍ୟକ୍ତିଗତ ଭାବେ) ଏବଂ ତା.୧୭.୦୯.୨୦୧୮ରେ ଡାକଦ୍ୱାରା ଜଣାଇଥିଲେ ମଧ୍ୟ ହୋକିଂ କରିଥିବା ଠିକାଦାର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ବିଭାଗ ଦ୍ୱାରା ଗ୍ରହଣ କରାଯାଇ ନାହିଁ । ପୂର୍ବରୁ ମଧ୍ୟ ସମ୍ପୃକ୍ତ ଠିକାଦାର ମଦେଖାଁ ଛକ ନିକଟରେ ଏହିଭଳି ହୋକିଂ କରି କାର୍ଯ୍ୟ କରୁଥିଲେ । ଏବେ (ଜୁଲାଇ ୨୦୨୦) ଉତରେଶ୍ୱର ଠାରେ ରାସ୍ତାରେ ପୋଲ କରାଯାଉଥିବା ଅବସରରେ ହୋକିଂ କରି ପାଣି ପମ୍ପ ଚଲା ଯାଉଥିବା ଦେଖିବାକୁ ମିଳିଥିଲା । ଉପରୋକ୍ତ ଘଟଣା ପ୍ରମାଣିତ କରୁଛିଯେ, କେଉଁଭଳି ଭାବରେ ଏବଂ କେଉଁ ପରିମାଣରେ ବିଜୁଳି ଚୋରୀ ହେଉଛି, ଯାହା ବିଭାଗକୁ କ୍ଷତି ପହଂଚାଉଛି ।
ସୋର ପୌରପାଳିକାରେ ଥିବା ବିଜୁଳି ବିଭାଗର ନିର୍ବାହୀ ଯନ୍ତ୍ରୀ, ସେକ୍ସନ ଅଫିସ୍ – ୧, ସେକ୍ସନ ଅଫିସ୍-୨ ସହିତ କଲେଜ ଛକ ଓ ଗୋପୀନାଥପୁର ଠାରେ ଦୁଇଟି ଷ୍ଟ୍ରକଚର ଏବଂ ନଟାପଡ଼ା ଠାରେ ରହିଛି ଗ୍ରୀଡ୍ । ବିଜୁଳି ବିଭାଗର, ସୋରରେ ଏତେ ଗୁଡ଼ିଏ କାର୍ଯ୍ୟାଳୟ ରହିଥିବା ବେଳେ ଏହି ସବୁ କାର୍ଯ୍ୟାଳୟରେ ବହୁ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରତ ଥାଇ ମଧ୍ୟ ଦିନରେ, ସହରର ଜନଗହଳି ପୂର୍ଣ୍ଣ ରାସ୍ତାରେ ହୋକିଂ ହେଉଥିବା ବେଳେ କେହି ଦେଖିପାରୁ ନାହାନ୍ତି । ଏହା ବ୍ୟତୀତ ସୂଚନା ଦେଲେ ମଧ୍ୟ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁନାହାନ୍ତି । ଏହା ପ୍ରମାଣିତ କରୁନାହିଁକି ବିଜୁଳି ଚୋରୀ ସହିତ ବିଭାଗ/ବିଭାଗୀୟ ଅଧିକାରୀ ସମ୍ପୃକ୍ତ ବୋଲି?
ବିଜୁଳି ଚୋରୀ ହେଉଛି ବୋଲି କହି ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ନିଜ ମୁଣ୍ଡରୁ ଅଠା ବାହାର କରି ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ମୁଣ୍ଡରେ ବୋଳିବାରେ ଲାଗିଛନ୍ତି । ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଉପଭୋକ୍ତାମାନେ । କ୍ଷତି ଭରଣା ପାଇଁ ବିଜୁଳି ବିଲ୍ ବଢ଼ାଇ ଉପଭୋକ୍ତାଙ୍କ ମୁଣ୍ଡରେ ବୋଝ ଲଦୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିଜୁଳି ଚୋରଙ୍କ ସହିତ ସାମିଲ ରହି ବିଜୁଳି ଚୋରୀକୁ ପ୍ରୋତ୍ସାହନ ଦେଇଚାଲିଛନ୍ତି । ବିଜୁଳି ଚୋରୀ ଜନିତ କ୍ଷତିକୁ ସମ୍ପୃକ୍ତ ଡିଭିଜନର ଅଧିକାରୀଙ୍କ ଦରମାରୁ ଭରଣା କରାଯିବାର ଆଇନ କରାଗଲେ ବିଜୁଳି ଚୋରୀ ନିଶ୍ଚିତ ଭାବରେ ବନ୍ଦ ହେବ, ଏଥିରେ ତିଳେ ହେଲେ ସଂଶୟ ନାହିଁ ।