ଭଙ୍ଗା ଘରେ କେମିତି ପଢ଼ିବେ ବ୍ଲକ ଗ୍ରାଂଟ ସ୍କୁଲ ପିଲା

ସରକାରୀ ଯୋଜନା ବାଟବଣା

ଆଶଙ୍କାରେ ଛାତ୍ରଛାତ୍ରୀ ଅଭିଭାବକ
ଭୁବନେଶ୍ୱର, (ଆଇଏନ୍ଏସ୍): ଫଣିରେ ସଂଖ୍ୟାଧିକ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । ଅଧିକାଂଶ ସ୍କୁଲରେ ଛାତ ନାହିଁ । କାନ୍ଥ ଭାଙ୍ଗି ପଡ଼ିଛି । ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ହାଇସ୍କୁଲ ମରାମତି ପାଇଁ ପଂଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ଓ ପୂର୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୧୯ ତାରିଖରେ ବିଦ୍ୟାଳୟ ଖୋଲିବା ପୂର୍ବରୁ ଏସବୁର ମରାମତି ସାରିବାକୁ ନିର୍ଦେଶ ଦିଆଯାଇଛି । ତେବେ ୨୦୧୭ରେ ନୂତନ ଅନୁଦାନ ପ୍ରାପ୍ତ(ବ୍ଲକ ଗ୍ରାଂଟ) ହାଇସ୍କୁଲ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ମରାମତି ନେଇ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଇନାହିଁ । ସେହିସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷା ଦାନ କରାଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।
ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲାରେ ପ୍ରାୟ ୨୦୦ରୁ ଅଧିକ ବ୍ଲକ ଗ୍ରାଂଟ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାଙ୍ଗି ରୁଜି ଯାଇଛି । ସେହି ସମସ୍ତ ବିଦ୍ୟାଳୟର ମରାମତି ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସଂପୃକ୍ତ ଜିଲାର ବିଧାୟକମାନେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସ୍କୁଲ ଖୋଲିବାକୁ ଆଉ ମାତ୍ର ୧୫ ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ସରକାର ଏହି ବିଦ୍ୟାଳୟଗୁଡ଼ିକର ଗୃହ ମରାମତି ନେଇ କୌଣସି ସୁଚିନ୍ତିତ ପଦକ୍ଷେପ ନେଇନାହାନ୍ତି । ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଂଚିତ ହେବେ ।
କଣାସ ବ୍ଲକର ଜାଗୁଳେଇପଦର, ଗତିଶ୍ୱର ବିଦ୍ୟାପୀଠ, ସହାସପୁର ଏବଂ ଓହ୍ଲାଣ ହାଇସ୍କୁଲ ପରି ଅନେକ ବ୍ଲକ ଗ୍ରାଂଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ହାଇସ୍କୁଲ ମରାମତି ନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବାତ୍ୟା ପ୍ରଭାବିତ ଅଂଚଳରେ ବ୍ଲକ ଗ୍ରାଂଟ ବିଦ୍ୟାଳୟ ମରାମତି ନେଇ ଉଚ୍ଚସ୍ତରୀୟ ବୈଠକ ଡ଼କାଯାଇଛି । ତୁରନ୍ତ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ କହିଛନ୍ତି । (ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)

Leave a Reply

Your email address will not be published.