୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆମ ଦେଶ ବିଦେଶୀ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତା ପାଇଲା । ୧୯୫୦ ମସିହାରେ ଆମ ଦେଶର ଶାସନ ପାଇଁ ପ୍ରଣୀତ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେଲା । ସମ୍ବିଧାନ ଅନୁଯାୟୀ ବହୁ ଦଳୀୟ ସଂସଦୀୟ ଗଣତନ୍ତ୍ର ପଦ୍ଧତିକୁ ଆଦରି ନିଆଗଲା । ଗୋଟିଏ ନୀତି ଓ ଆଦର୍ଶରେ ବିଶ୍ୱାସ କରୁଥିବା କିଛି ବ୍ୟକ୍ତି ଏକ ରାଜନୈତିକ ଦଳ ଗଠନ କରି ଦଳର ନିଜସ୍ୱ ପତାକା, ନିର୍ବାଚନ ଚିହ୍ନ ଓ ଦଳର ସମ୍ବିଧାନକୁ ନିର୍ବାଚନ କମିସନ୍ ଙ୍କ ଦ୍ୱାରା ସ୍ୱୀକୃତି କରାଇ ନିର୍ବାଚନରେ ଭାଗ ନେଇ ପାରୁଥିଲେ । ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ପାଇଲେ, ସରକାର ଗଠନ କରି ନିଜ ଦଳୀୟ ଏଜେଣ୍ଡାକୁ କାର୍ଯ୍ୟକାରୀ କରାଉଥିଲେ ।
ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନତା ପରେ କଂଗ୍ରେସ ହିଁ ଦେଶରେ ବୃହତମ ଦଳ ଥିଲା । ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଗଠିତ ଏହି ଦଳ ଲୋକମାନଙ୍କର ଅକୁଣ୍ଠ ସମର୍ଥନ ପାଇ ଉଭୟ କେନ୍ଦ୍ର ଓ ରାଜ୍ୟ ମାନଙ୍କରେ ସରକାର ଗଠନ କରୁଥିଲା । ମାତ୍ର ଏହି ସ୍ଥିତି ବେଶୀ ଦିନ ରହିଲା ନାହିଁ । କଂଗ୍ରେସ ଦଳ କ୍ରମେ ବିପଥଗାମୀ ହୋଇ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆପଣେଇ ନେଲା । ଏଥିସହିତ ଦେଶର ରାଜନୈତିକ ସଂସ୍କୃତିକୁ ବିପଥଗାମୀ କରାଇ ଦେଲା । ରାଜନୀତିର ଏହି ନିମ୍ନ ଗତି ଏପର୍ଯ୍ୟନ୍ତ ମଧ୍ୟ ସୁଧୁରି ନାହିଁ । ପରବର୍ତୀ କାଳରେ କଂଗ୍ରେସକୁ ବିରୋଧ କରିବାକୁ ଯାଇ ଯେତେ ଦଳ ସୃଷ୍ଟି ହୋଇଛନ୍ତି, କମୁ୍ୟନିଷ୍ଟ ଦଳ ବ୍ୟତୀତ ସମସ୍ତେ କଂଗ୍ରେସର ଦୁର୍ନୀତି ଓ ବ୍ୟଭିଚାର ନୀତିକୁ ଆପଣେଇ ଛନ୍ତି । କେବଳ ଭାଷଣରେ ଏମାନେ କଂଗ୍ରେସ ଠାରୁ ନିଆରା ବୋଲି ଦାବି କରୁଛନ୍ତି । ଏପରିକି ବିପୁଳ ଜନ ସମର୍ଥନ ପାଇ କ୍ଷମତାକୁ ଆସିଥିଲେ ମଧ୍ୟ ବର୍ତମାନ ବିଜେପି ଠାରେ ଜନସଂଘ ବେଳର ସୁଦ୍ଧତା ଓ ନୈତିକତାର ଯେ ଅଭାବ ଅଛି, ଏହା ନିଃସନେ୍ଦହରେ କୁହାଯାଇ ପାରିବ ।
ଦଳ ତ୍ୟାଗ ଓ ଦଳବଦଳ ରାହୁ ଓ କେତୁ ଭଳି ଭାରତୀୟ ଗଣତନ୍ତ୍ରକୁ ଗ୍ରାସ କରିଛି । ଯେତେ ଭାଷଣ ବାଜି ମାରିଲେ ବି ଦଳ ତ୍ୟାଗ ଓ ଦଳବଦଳ ମୁଖ୍ୟତଃ ନିଜର ଅଂହ ଭାବ ଓ ସ୍ୱାର୍ଥ ଯୋଗୁ ଘଟିଥାଏ ବୋଲି ସମସ୍ତେ ସ୍ୱୀକାର କରିବେ । ସ୍ୱାଧୀନତା ପରେ ପରେ କଂଗ୍ରେସରୁ ବିଭାଜିତ ହୋଇ ସମାଜବାଦୀ ଦଳର ସୃଷ୍ଟି ହେଲା । ଶ୍ରୀଯୁକ୍ତ ରାଜଗୋପାଳ ଆଚାରୀ ନେହେରୁଙ୍କ ଉପରେ ବୀତସ୍ପୃହ ହୋଇ ସ୍ୱତନ୍ତ୍ର ଦଳ ଗଠନ କଲେ । ଆଚାର୍ଯ୍ୟ ଜେ.ବି. କୃପାଳିନୀ କିଷାନ ମଜଦୁର ଦଳ ସୃଷ୍ଟି କଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀ ଜନସଂଘ ଦଳ ଗଠନ କଲେ । ବିଶାଳ କଂଗ୍ରେସ ଦଳର ଏହି କ୍ଷୁଦ୍ର ବିଭାଜନ କିଛି କ୍ଷତି କରି ପାରୁନଥିଲା । ମାତ୍ର ଇନ୍ଦିରା ଗାନ୍ଧୀଙ୍କ ସମୟରେ ୧୯୬୯ ମସିହାରେ କଂଗ୍ରେସ ଦଳ ସଂପୂର୍ଣ୍ଣ ବିଭାଜିତ ହୋଇ ସଂଗଠନ କଂଗ୍ରେସ ଓ ଇନ୍ଦିରା କଂଗ୍ରେସରେ ପରିଣତ ହେଲା । କଂଗ୍ରେସ ଦଳର ପ୍ରସିଦ୍ଧ ଯୋଡ଼ି ବଳଦ ଚିହ୍ନ ଲୋପ ପାଇଲା ।
୧୯୬୭ ନିର୍ବାଚନରେ ଅନେକ ସ୍ଥାନରେ ବିରୋଧୀ ଦଳ ଗୁଡ଼ିକ କ୍ଷମତାକୁ ଆସିଲେ ମଧ୍ୟ ଦଳ ବଦଳ ବ୍ୟାଧି ବ୍ୟାପକ ଭାବେ ବ୍ୟାପୀଗଲା । ନିଜର ସ୍ୱାର୍ଥ ପାଇଁ ବିଧାୟକ ଓ ସାଂସଦ ମାନେ ବାରମ୍ବାର ଦଳ ବଦଳାଇଲେ । ମନ୍ତ୍ରୀତ୍ୱର ମୋହ ତାଙ୍କୁ ଏଭଳି କରାଇଲା । ମାସେ କି ପନ୍ଦର ଦିନରେ ସରକାର ଭାଙ୍ଗିଲା । ଏହି ଅସ୍ଥିରତାରୁ ମୁକ୍ତି ପାଇଁ ଆମକୁ ୧୯୭୧ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା ଯେତେବେଳେ ଇନ୍ଦିରାଙ୍କ ପ୍ରବଳ ପ୍ରଭାବରେ ସମସ୍ତ ବିରୋଧୀ ଦଳ ଚିତ୍ପଟାଙ୍ଗ ହୋଇଗଲେ ।
ଜରୁରୀ ପରିସ୍ଥିତି ପରେ ୧୯୭୭ ନିର୍ବାଚନରେ ଇନ୍ଦିରା ଗାନ୍ଧୀ କ୍ଷମତାଚୁ୍ୟତ ହେଲେ । ଲୋକମାନଙ୍କର ଅକୁଣ୍ଠ ସମର୍ଥନ ପାଇ ମୋରାଜୀ ଦେଶାଇଙ୍କ ନେତୃତ୍ୱରେ ଜନତା ଦଳ କ୍ଷମତାକୁ ଆସିଲା । ଇନ୍ଦିରା ଗାନ୍ଧୀଙ୍କ ବିଶ୍ୱସ୍ତ ସହଯୋଗୀ ଜଗତ୍ଜୀବନ ରାମ ଓ ଏଚ୍ ଏନ୍ ବହୁଗୁଣା ଦଳ ତ୍ୟାଗ କରି ଜନତା ମେଂଟରେ ଯୋଗ ଦେଲେ ଓ କଂଗ୍ରେସ ଫର୍ ଡ଼େମୋକ୍ରାସି ଦଳ ଗଠନ କଲେ । ମାତ୍ର ଏହି ଦଳରେ ଥିବା ଚରଣ ସିଂହ, ରାଜ ନାରାୟଣ ଓ ଦେବୀଲାଲ୍ଙ୍କ ଭଳି ବ୍ୟକ୍ତି ମାନେ କ୍ଷମତା ପାଇଁ ପ୍ରତିଦିନ ନୂଆ ନୂଆ ନାଟକ ରଚନା କଲେ । ଆୟା ରାମ ଗୟା ରାମ ନୀତିରେ ରାଜନୀତି ଧାଇଁଲା । ଗୋଟିଏ ପରେ ଗୋଟିଏ ମନ୍ତ୍ରୀମଣ୍ଡଳ ଭାଙ୍ଗିବାକୁ ଲାଗିଲା । ଶେଷକୁ ଲୋକମାନେ ପୁଣି ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ରୂପେ ବାଛିଲେ । ଏହା ମଧ୍ୟରେ ଇନ୍ଦିରାଙ୍କ କଂଗ୍ରେସ ନାନା ବିପର୍ଯ୍ୟୟର ସମ୍ମୁଖୀନ ହେଲା । ଏହି ସମୟ ଠାରୁ କଂଗ୍ରେସର ଅନେକ ନେତା ଦଳ ତ୍ୟାଗ କରିଛନ୍ତି ।
ଓଡ଼ିଶାରେ ମଧ୍ୟ ଏହି ଦଳ ତ୍ୟାଗ ବ୍ୟାଧି ବ୍ୟାପୀ ଯାଇଛି । ଅତି ନିର୍ଲ୍ଲଜ ଭାବରେ ପ୍ରତ୍ୟେକ ରାଜନୈତିକ ଦଳ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି । ବହୁ ଜାକଜମକରେ ଦଳ ତ୍ୟାଗୀ ମାନଙ୍କୁ ଫୁଲମାଳ ଓ ଚାଦର ପକାଇ ସ୍ୱାଗତ ଜଣାଉଛନ୍ତି । କେତେବେଳେ ଏହାକୁ ଘର ବାହୁଡ଼ା ତ କେତେବେଳେ ମିଶାଣ ଫେଡ଼ାଣ ବୋଲି କୁହାଯାଉଛି । ଆମ ନେତା ମାନେ ମଧ୍ୟ ନିର୍ଲ୍ଲଜ ଭାବରେ ନିଜ ମୁହଁର ଭାଷା ବଦଳାଇ ଦେଉଛନ୍ତି । କାଲି ଯାହାର ନିନ୍ଦା କରୁଥିଲେ, ଆଜି ଶତମୁଖରେ ତା’ର ପ୍ରଶଂସା ଗାନ କରୁଛନ୍ତି । ନିଜର ପୁରୁଣା ଦଳ ଓ ପୁରୁଣା ସାଙ୍ଗକୁ ଗାଳି ଦେଉଛନ୍ତି । ଏହି ଦଳ ତ୍ୟାଗୀ ମାନେ ଅନ୍ୟ ଦଳରେ ଯୋଗ ଦେଇ କେବେ ବି ମାନସିକ ଶାନ୍ତି ପାଇବେ ନାହିଁ, ଏହା ଏକପ୍ରକାର ନିଶ୍ଚିତ । ସାମୟିକ ଭାବେ କିଛି ପଦ ପଦବୀ ପାଇ ସେମାନେ ହୁଏତ ଥଇଥାନ ହୋଇ ପାରନ୍ତି, ହେଲେ ପରବର୍ତୀ କାଳରେ ନୂତନ ଦଳରେ ସେମାନେ ଅଲୋଡ଼ା ଓ ଅବାଂଛିତ ହୋଇ ପଡ଼ନ୍ତି । ଏହାର ଭୁରି ଭୁରି ଉଦାହରଣ ଅତୀତରେ ଦେଖା ଯାଇଛି । ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତି ଯେତେବେଳେ ଜନ କଂଗ୍ରେସ ଛାଡ଼ି ଆଉଥରେ କଂଗ୍ରେସକୁ ଆସିଲେ, ତାଙ୍କୁ ଅତି ଦୟନୀୟ ଅବସ୍ଥା ଭୋଗିବାକୁ ପଡ଼ିଲା । ଏପରିକି ବିଜୁବାବୁଙ୍କ ଉକ୍ରଳ କଂଗ୍ରେସ, କଂଗ୍ରେସ ଦଳରେ ମିଶିଲା ପରେ ବିଜୁବାବୁଙ୍କୁ ଦଳରେ ଗ୍ରହଣ କରାଗଲା ନାହିଁ । ତେଣୁ ସେ ଆଉଥରେ ପ୍ରଗତି ଦଳ ଗଠନ କଲେ । ବିଶିଷ୍ଟ ସମାଜବାଦୀ ନେତା ସୁରେନ୍ଦ୍ର ଦ୍ୱିବେଦୀ ନିଜ ଦଳ ଛାଡ଼ି କଂଗ୍ରେସରେ ମିଶିବା ପରେ ଲୋକମାନଙ୍କ ଦ୍ୱାରା ସଂପୂର୍ଣ୍ଣ ପ୍ରତ୍ୟାଖାତ ହୋଇଥିଲେ ।
ବିରୋଧୀ ଦଳର ନେତା ରୂପେ ମର୍ଯ୍ୟାଦା ପାଉଥିବା ଭୂପିନ୍ଦର ସିଂହ ସାମାନ୍ୟ ସ୍ୱାର୍ଥ ପାଇଁ ବିଜେଡ଼ିରେ ମିଶିବା ପରେ ତାଙ୍କର ଦୃଢ ସ୍ୱର ସବୁଦିନ ପାଇଁ ବନ୍ଦ ହୋଇ ଯାଇଛି । ଓଡ଼ିଶାର ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲ୍ଲିପ ରାୟ, ଗିରିଧାରୀ ଗମାଙ୍ଗ ନିଜ ଦଳ ଛାଡ଼ି ବିଜେପିରେ ଯୋଗ ଦେଇ କିପରି ମନସ୍ଥାପରେ ଦିନ କାଟୁଛନ୍ତି, ତାହା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ।
କଥାରେ ଅଛି, ସ୍ୱଧର୍ମେ ନିଧନଃ ଶ୍ରେୟ, ପରଧର୍ମଃ ଭୟାବହଃ । ତଥାପି ମଣିଷ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ନିଜ ଦଳ ଓ ଜାତି ପ୍ରତି ବିଶ୍ୱାସ ଘାତକତା କରେ । ସେଇଥିପାଇଁ ଏ ମାଟିରେ ଜୟଚନ୍ଦ୍ର ଓ ମୀରଜାଫର୍ ସୃଷ୍ଟି ହୁଅନ୍ତି । ଏହି ଦଳ ବଦଳ ଯୋଗୁ ସରକାର ସବୁବେଳେ ଅସ୍ଥିର ରହୁଛି । ନୀତି ଆଦର୍ଶ ଅପେକ୍ଷା ପଦ ପଦବୀର ମୋହ ଦେଖାଇ ଅନ୍ୟ ମାନଙ୍କୁ ଆକୃଷ୍ଟ କରା ଯାଉଛି । ଚିଟଫଣ୍ଡ, ଭାଷା ଆନେ୍ଦାଳନ ଓ କୃଷକ ଆନେ୍ଦାଳନରେ ପ୍ରମୁଖ ଭୂମିକା ନେଇଥିବା ସୌମ୍ୟରଂଜନ ପଟ୍ଟନାୟକ ଯେଭଳି ରାଜ୍ୟସଭା ଲୋଭରେ ବିଜେଡ଼ିରେ ଯୋଗ ଦେଲେ ଓ ବିଜେଡ଼ିର ପ୍ରଶଂସା ଗାନ କରିବାକୁ ଲାଗିଲେ, ତାହା ରାଜ୍ୟବାସୀଙ୍କୁ ବାସ୍ତବରେ ହତବାକ୍ କରିଦେଇଛି ।
ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ