ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ମହିମା ଧର୍ମ ହେଉଛି ପୃଥିବୀର ସବୁଠାରୁ ନୂତନ ଧର୍ମ । ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏହି ଧର୍ମ ପୂଣ୍ୟ ଭୂମି ଉକ୍ରଳ ପ୍ରଦେଶରୂ ଜନ୍ମ ଲାଭ କରିଥିଲା । ଦୁôଃଖର କଥା ଯେ, ଏଭଳି ଏକ ମହାନ୍ ଧର୍ମକୁ ଜନ୍ମ ଦେଇ ମଧ୍ୟ ଆମ ରାଜ୍ୟବାସୀ ଏହାର ମହାନତା ଉପଲବ୍ଧି କରି ପାରି ନାହାନ୍ତି । ଯେପରି ସୁବାଶିତ କସ୍ତୁରୀକୁ ଧାରଣ କରି ମଧ୍ୟ ମୃଗ ତାହାର ସୁଗନ୍ଧ ବୁଝି ପାରେନାହିଁ । ଯେକୌଣସି ତାତ୍ୱିକ ଦୃଷ୍ଟି କୋଣରୁ ବିଚାର କଲେ ମଧ୍ୟ ଏହି ଧର୍ମ ଯେ ଧାର୍ମିକ ଚେତନାର ଶ୍ରେଷ୍ଠ ପରିପ୍ରକାଶ, ଏହାକୁ ସମସ୍ତେ ସ୍ୱୀକାର କରିବେ । ଜଗନ୍ନାଥ ମାଟିରେ ସୃଷ୍ଟି ହୋଇ ମଧ୍ୟ ଏହି ଧର୍ମ ପାରମ୍ପରିକ ଦେବୀ ଦେବତା ପୂଜା, ପିତୁଳା ପୂଜା, ମନ୍ଦିର ଦର୍ଶନ, ପର୍ବ ପର୍ବାଣୀ ପାଳନ, ଉଚ୍ଚ-ନୀଚ ଭେଦ ଭାବକୁ ସ୍ୱୀକାର କରେ ନାହିଁ । ବିଭିନ୍ନ ଧର୍ମଶାସ୍ତ୍ର, ବେଦମନ୍ତ୍ର ଆଦିକୁ ଏମାନେ ମାନନ୍ତି ନାହିଁ । ସେମାନଙ୍କ ମତରେ ଈଶ୍ୱର ଏକ, ନିର୍ଗୁଣ, ନିରାକାରଓ ନିରଂଜନ । ତାଙ୍କର ଅବତାର ସମ୍ଭବ ନୁହେଁ । ନିଜସ୍ୱ ମହିମାରୁ ସେ ମହିମା ଗୋସାଇଁ ରୂପେ ଲୋକଙ୍କୁ ମୁକ୍ତି ଦେବା ପାଇଁ ଧରାଧାମରେ ଅବତରଣ କରିଥିଲେ ।
ଏହି ଧର୍ମର ପ୍ରଚାରକ ମହିମା ଗୋସାଇଁଙ୍କ ଜନ୍ମ ବୃତାନ୍ତ ରହସ୍ୟପୂର୍ଣ୍ଣ । ଭକ୍ତମାନେ ତାଙ୍କୁ ଅଜୋନି ସମ୍ଭୂତ ବୋଲି ଦାବି କରନ୍ତି । ହିମାଳୟର ଗିରି ଗହ୍ୱରରେ ଅନେକ ଦିନ ନିଷ୍କାମ ସାଧନା କରି ସେ ପ୍ରାୟ ୧୮୨୬ ମସିହାରେ ପୁରୀ ବଡ଼ଦାଣ୍ଡରେ ଧୁଳିଆ ବାବା ରୁପେ ଆବିର୍ଭାବ ହେଲେ । ଏହି ବିଚିତ୍ର ସନ୍ୟାସୀ କୌପିନ ଖଣ୍ଡିଏ ପିନ୍ଧି ବଡ଼ ଦାଣ୍ଡରେ ଗଡ଼ୁଥିଲେ । କାହାକୁ କିଛି କହୁ ନଥିଲେ । ସେ କ’ଣ ଖାଇ ବଂଚୁଥିଲେ, ତାହା ରହସ୍ୟ ଥିଲା । ଲୋକମାନେ ଭକ୍ତିରେ ମୁଣ୍ଡିଆ ମାରି ନିଜ ସମସ୍ୟା କହିଲେ, ସେ ଆଶିର୍ବାଦ ଦେଉଥିଲେ ଓ ଲୋକମାନଙ୍କ ମନସ୍ମାମନା ପୂରଣ ହେଉଥିଲା । ଲୋକଙ୍କ ଗହଳି ବଢିବାରୁ ସେ ସେଠାରୁ ଚାଲିଯାଇ ଖଣ୍ଡଗିରି-ଉଦୟଗିରି ଗୁମ୍ଫାରେ ଦୀର୍ଘକାଳ ଧରି ନିର୍ବିକଳ୍ପ ସମାଧିରେ ମଗ୍ନ ରହିଲେ ।
ପରବର୍ତୀ କାଳରେ ତାଙ୍କର ଆବିର୍ଭାବ ହୁଏ ଢେଙ୍କାନାଳର କପିଳାସ ପାହାଡ଼ର ଶିଖର ଦେଶରେ । ଏକ ଉଚ୍ଚ ଚକଡ଼ା ପଥର ଉପରେ ସେ ପଦ୍ମାସନରେ ଯୋଗାରୁଢ ହୋଇ ବସିଥାନ୍ତି । ଏକ ବୃହତ୍ ସାତଫଣା ବିଶିଷ୍ଟ ସାପ ତାଙ୍କୁ ଛାୟା ପ୍ରଦାନ କରୁଥାଏ । ଘଟଣା କ୍ରମେ ତଳଗାଁର ସଦାନନ୍ଦ ଶବର ନାମକ ଜଣେ ବ୍ୟକ୍ତି ଦୈବାତ୍ ଉକ୍ତ ସ୍ଥାନରେ ପହଂଚି ମହିମା ସ୍ୱାମୀଙ୍କୁ ଦେଖିଲା । ସ୍ୱାମୀଙ୍କ ଦେହ ସୁନା ଭଳି ଝଟକୁ ଥିଲା । ସେହି ତେଜରେ ଗଛ ବୃକ୍ଷ ସବୁ ଆଲୋକିତ ହେଉଥିଲା । ବିରାଟ ସାପଟି ଫଣା ଟେକିଥିଲା । ଶବରଟି ଚକଡ଼ା ତଳେ ଏହି ଦୃଶ୍ୟ ଦେଖି ଅଚେତ ହୋଇ ପଡ଼ିଗଲା । ଚେତା ପାଇ ଦେଖିଲା ଯେ, ସେହି ସନ୍ୟାସୀ ଜଣକ ତା’ ପାଖରେ ଛିଡ଼ା ହୋଇଛନ୍ତି । ଶବର ପ୍ରଣାମ କରି ପଚାରିଲା, ‘ହେ ପ୍ରଭୁ, ଆପଣ କ’ଣ ଆମ ଚନ୍ଦ୍ରଶେଖର ମହାଦେବ?’ ହସି ହସି ସନ୍ୟାସୀ କହିଲେ, ‘ମୁଁ ଚନ୍ଦ୍ରଶେଖର ମହାଦେବ ନୁହେଁ, ମୁଁ ସାରା ସୃଷ୍ଟିର ଲୋକମାନଙ୍କର ଉଦ୍ଧାର ପାଇଁ ଧରାକୁ ଆସିଛି! ତୁମର ସୌଭାଗ୍ୟରୁ ମୋର ଦର୍ଶନ ପାଇଲ!’ ଏହାପରେ ମହିମା ଗୋସାଇଁ ଶବରକୁ ଆଦେଶ ଦେଲେ, ‘ଆମେ ୧୨ ବର୍ଷ କାଳ ପାଣି ପିଇ ରହିଲୁ, ଏବେ ୧୨ ବର୍ଷ କାଳ ଫଳମୂଳ ଖାଇ ରହିବୁ! ମୁଁ ଏହି ପାଖ ଗୁମ୍ଫାରେ ଅବସ୍ଥାନ କରିବି । ପ୍ରତିଦିନ ତୁମେ ମୋତେ ଦୁଗ୍ଧ ଓ ଧ୍ୱନି କାଷ୍ଠ ଯୋଗାଇବ! ସ୍ନାନ ସାରି ବିଶୁଦ୍ଧ ଚିତରେ ମୋତେ ଅର୍ପଣ କରିବ । ଏକଥା ଲୋକଙ୍କ ଠାରୁ ଗୁପ୍ତ ରଖିବ ।’
ଅନେକ ଦିନ ବିତିଗଲା । ଦିନେ ରାତିରେ ଢେଙ୍କାନାଳର ରାଜା ଭାଗିରଥୀ ମହେନ୍ଦ୍ର ବାହାଦୂରଙ୍କୁ ସ୍ୱପ୍ନରେ ଆଦେଶ ହେଲା ଯେ,
କପିଳାସ ପାହାଡ଼ରେ ଜଣେ ସନ୍ୟାସୀ ରହୁଛନ୍ତି, ତୁମେ ତାଙ୍କର ଦର୍ଶନ ଓ ପୂଜା କର ।’
ଏହା ମଧ୍ୟରେ ଗୋବିନ୍ଦ ଦାସ ନାମକ ଜଣେ ସନ୍ୟାସୀ ମହିମା ଗୋସାଇଁଙ୍କୁ ସାକ୍ଷାତ କରି ପ୍ରଥମ ବ୍ୟକ୍ତି ଭାବେ ମହିମା ଦୀକ୍ଷା ଗ୍ରହଣ କଲେ ଓ ସିଦ୍ଧ ବକଳ ବସ୍ତ୍ର ପରିଧାନ କରି ଗୁରୁଙ୍କ ଆଜ୍ଞାରେ ବାଣୀ ପ୍ରଚାର ପାଇଁ ଅନ୍ୟତ୍ର ଯାତ୍ରା କଲେ ଓ ସେ ହେଲେ ମହିମା ସଂପ୍ରଦାୟର ପ୍ରଥମ ବକଳ ଧାରୀ ସନ୍ୟାସୀ । ଏହା ମଧ୍ୟରେ ରାଜା ଭାଗିରଥୀ ମହେନ୍ଦ୍ର ବାହାଦୂର ମନ୍ତ୍ରୀ ପାରିଷଦ ମାନଙ୍କ ସହ ଆସି ମହିମା ଗୋସାଇଁଙ୍କୁ ଦର୍ଶନ କଲେ ଓ ତାଙ୍କ ଠାରୁ ଆଜ୍ଞା ପାଇ ମହିମା ଗୋସାଇଁଙ୍କ ପାଇଁ ଏକ କୂଟୀର ନିର୍ମାଣର ଆଦେଶ ଦେଲେ । କଥିତ ଅଛି, ମୋଟା କାଠ ଗଣ୍ଡି ଗୁଡ଼ିକୁ ଲୋକମାନେ ନେଇ ପାରିଲେ ନାହିଁ । ମହିମା ଗୋସାଇଁ ନିଜ ଜଟ ସହିତ ସେଗୁଡ଼ିକୁ ବାନ୍ଧି ମୂହୁର୍ତକ ମଧ୍ୟରେ ପାହାଡ଼ ଶିଖରକୁ ନେଇଗଲେ ଓ ତାଙ୍କ ଆଶୀର୍ବାଦରୁ ଅପୁତି୍ରକ ଢେଙ୍କାନାଳ ରାଜାଙ୍କର କୁଳ ରକ୍ଷା ହେଲା ।
କଥିତ ଅଛି, ଅନ୍ଧ ଭୀମ ଭୋଇ ରେଢାଖୋଲ୍ ର ଏକ କନ୍ଧ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଗୋବିନ୍ଦ ବାବାଙ୍କ ସହିତ ମହିମା ସ୍ୱାମୀ ଦିନେ ରାତିରେ ଶୂନ୍ୟରେ ଯାତ୍ରା କରି ଭୀମଙ୍କ ନିକଟରେ ଉପସ୍ଥିତ ହେଲେ ଓ ତାଙ୍କୁ ଚାହିଁବାକୁ କହିଲେ । ଅନ୍ଧ ଭୀମ ଦେଖିଲେ, ଚନ୍ଦ୍ର ସୂର୍ଯ୍ୟ ଭଳି ଦୁଇ ଜଣ ତେଜସ୍ୱୀ ପୁରୁଷ ତାଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି ଓ ତାଙ୍କର ଅନ୍ଧତ୍ୱ ଚାଲିଯାଇଛି । ହେଲେ ଭୀମ କହିଲେ, ‘ହେ ଜଗତର ସ୍ୱାମୀ, ମୋର ଏ ବାହ୍ୟ ଦୃଷ୍ଟି ଦରକାର ନାହିଁ! ମତେ ଅନ୍ତର୍ଦୃଷ୍ଟି ପ୍ରଦାନ କରନ୍ତୁ!’ ମହିମା ସ୍ୱାମୀଙ୍କର ଆଶୀର୍ବାଦରେ ଅପାଠୁଆ ଭୀମଭୋଇ ଅସାଧାରଣ ପାଣ୍ଡିତ୍ୟ ଲାଭ କଲେ । ମହିମା ସ୍ୱାମୀଙ୍କୁ ବନ୍ଦନା କରି ଗୀତ ଗାଇଲେ । ମହିମା ସ୍ୱାମୀ ସେଗୁଡ଼ିକୁ ଲିପିବଦ୍ଧ କରିବାକୁ ଚାରି ଜଣ ବ୍ରାହ୍ମଣଙ୍କୁ ଆଦେଶ ଦେଲେ । ଭୀମ ଭୋଇଙ୍କ ରଚିତ ବିଶାଳ କାବ୍ୟ ଭଣ୍ଡାର ଯେ ବିଭୁଙ୍କ ଆଶୀର୍ବାଦରୁ ସମ୍ଭବ, ଏଥିରେ ସନେ୍ଦହ ନାହିଁ । ଏହା ପରେ ମହିମା ସ୍ୱାମୀ ବୌଦ୍ଧ, କଳାହାଣ୍ଡି, ଆଠମଳ୍ଲିକ, ଢେଙ୍କାନାଳ, ତିଗିରିଆ ଓ ମୋଗଲବନ୍ଦି ଅଂଚଳରେ ଧର୍ମ ପ୍ରଚାର କଲେ । ତାଙ୍କର ମହିମା ଯୋଗୁ ଅନେକ ଆଶ୍ଚର୍ଯ୍ୟ ଘଟଣା ଘଟିଲା । ମଲା ଲୋକ ପୁଣି ବଂଚିଲା । ତାଙ୍କୁ ଅନ୍ନଦାନ କଲା ପରେ ପାତ୍ରରେ ସ୍ୱର୍ଣ୍ଣ ଭରିଗଲା । ସେ ଅନାୟାସରେ ଅଗଭୀର ନଈକୁ ପାଦରେ ଚାଲି ପାର ହେଲେ । ତାଙ୍କ ଆଦେଶରେ ବତ୍ୟା କମିଗଲା । ତୋଫାନ ବନ୍ଦ ହେଲା । ଚାହୁଁ ଚାହୁଁ ଲକ୍ଷ ଲକ୍ଷ ଲୋକେ ଏହି ଧର୍ମ ଅନୁସରଣ କଲେ ।
ଶେଷରେ ଏକ ନିର୍ଦ୍ଦିଷ୍ଟ ଦିନ ସେ ସମାଧି ନେବେ ବୋଲି ଭକ୍ତ ମାନଙ୍କୁ ଜଣାଇ ଦେଲେ ଓ ଦିନକ ଆଗରୁ ନିର୍ବିକଳ୍ପ ସମାଧିରେ ବସି ଆତ୍ମାକୁ ଲୀନ କରିଦେଲେ । ମହିମା ଧର୍ମର କ୍ଷେତ୍ର ଯୋରନ୍ଦା ଠାରେ ତାଙ୍କୁ ସମାଧି ଦିଆଗଲା । ଧର୍ମର ପ୍ରଚାର ପ୍ରସାର ପାଇଁ ସେ ଅନନ୍ତ କୋଟି ସାଧୁବର୍ଗ ବା କୌପିନ ଧାରୀ ଅପର ସାଧୁଗୋଷ୍ଠୀ ଓ ବକଳଧାରୀ ୯୪ସିଦ୍ଧ ଗୋଷ୍ଠୀ ସୃଷ୍ଟି କରିଥିଲେ । ଗୃହସ୍ଥ ମାନେ ଏହି ଧର୍ମ ଗ୍ରହଣ କରି ସାଂସାରିକ କର୍ମ ନିର୍ବାହ କରୁଥିଲେ । ସନ୍ୟାସୀ ମାନେ ମାତ୍ର ଅଢେଇ ହାତ କୌପିନ ଛଡ଼ା ଆଉକିଛି ପରିଧାନ କରୁନଥିଲେ । ତାଳପତ୍ର ଛତା ଧରୁଥିଲେ । ଗାଡ଼ିରେ ନଯାଇ ପାଦରେ ଚାଲୁଥିଲେ । ଭୂମିଶୟନ କରୁଥିଲେ । ମନ୍ଦିରରେ ତୋରଣ ବା ପତାକା ଉଡ଼ିବା ନିଷେଧ ଥିଲା । ଖଞ୍ଜଣୀ ଓ ଗିନି ଛଡ଼ା ଅନ୍ୟ ବାଦ୍ୟ ନିଷେଧ ଥିଲା । ସୂର୍ଯ୍ୟାସ୍ତ ଆଗରୁ ଭୋଜନ କାର୍ଯ୍ୟ ଶେଷ ହେଉଥିଲା ।
ଅତି ପ୍ରାତଃ କାଳରୁ ଦେହରେ ଗୋମୁତ୍ର ଓ ଗୋମୟ ଲେପନ କରି ସ୍ନାନ କରି ଏମାନେ ଗୁରୁ ଅଲେଖ କହି ସାତ ବାର ଭୂମିଷ୍ଟ ପ୍ରଣାମ ଜଣାଉଥିଲେ । ପୁଣି ସଂଜବେଳେ ଆଉଥରେ ପ୍ରଣାମ କରୁଥିଲେ । ଏହାକୁ ଶରଣ ବୋଲି କୁହାଯାଏ ।
ଏହି ଧର୍ମରେ ସନ୍ୟାସୀ ମାନଙ୍କ ପାଇଁ ଭକ୍ତ ମାନେ ଛୋଟ ଛୋଟ ଆଶ୍ରୟସ୍ଥଳ ବା ଟୁଙ୍ଗୀ ତିଆରି କରୁଥିଲେ । ଗାଁ ବୁଲିବା ବେଳେ ସନ୍ୟାସୀ ମାନେ ଗୋଟିଏ ରାତି୍ର ଗୋଟିଏ ଗାଁରେ ରହୁଥିଲେ । ପରଦିନ ପ୍ରତୁ୍ୟଷରୁ ସେମାନେ ସ୍ଥାନ ପରିତ୍ୟାଗ କରୁଥିଲେ । ଆଶ୍ରମ ଗୁଡ଼ିକରେ ପବିତ୍ର ଧୂନି ଅଗ୍ନି ସବୁବେଳେ ଜଳୁଥାଏ । କଥିତ ଅଛି, ମହିମା ନିଜ ମନରୁ ଏ ଅଗ୍ନିକୁ ଜାତ କରିଥିଲେ । ସିଦ୍ଧ ବାବାମାନେ ଯାତ୍ରା କଲାବେଳେ ତାଙ୍କ ସାଙ୍ଗରେ ଏହି ଅଗ୍ନି ଯାଏ । ଏହି ଅଗ୍ନିରୁ ହିଁ ଅନ୍ୟ ଧୂନିରେ ଅଗ୍ନି ସଂଯୋଗ ହୋଇଥାଏ ।
ମହିମାଧର୍ମୀ ମାନଙ୍କୁ ଅସତ୍ୟ, ଲୋଭ ଓ ହିଂସା ଆଚରଣ ପାଇଁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏମାନେ କୌଣସି ମନ୍ଦିରକୁ ଯାଆନ୍ତି ନାହିଁ । କୌଣସି ଦେବାଦେବୀଙ୍କୁ ପ୍ରଣାମ କରନ୍ତି ନାହିଁ । ଆମିଷ, ତାମ୍ବୁଳ ଭୋଜନ ଓ ମଦ୍ୟ ପାନ ସଂପୂର୍ଣ୍ଣ ନିଷେଧ । ପ୍ରବଳ ଶୀତରେ ମଧ୍ୟ ଖୋଲା ଦେହରେ ରହିବା, ବ୍ରାହ୍ମ ମୁହୂର୍ତରେ ସ୍ନାନ କରିବା ଓ ଚାଲି ଚାଲି ମାଇଲ୍ ମାଇଲ୍ ଯିବା ସେମାନଙ୍କର ନିଷ୍ଠା ଓ ଏକାଗ୍ରତାକୁ ପ୍ରମାଣ କରେ । ଏହି ଧର୍ମ ସହର ଅପେକ୍ଷା ଗାଁ ଗହଳରେ ସରଳ ଓ ଗରିବ ଚାଷୀ ସଂପ୍ରଦାୟଙ୍କ ଦ୍ୱାରା ଯଥେଷ୍ଟ ଆଦର ପାଇଛି । ଏଭଳି ତ୍ୟାଗର ପଥରେ ସେମାନେ ଯିବା କଷ୍ଟକର ହୋଇଥାଏ । ପ୍ରତି ଶୁକ୍ଲ ଚତୁର୍ଦ୍ଦଶୀରେ ମହିମା ସନ୍ୟାସୀ ମାନେ ଯଜ୍ଞ ଓ ବାଲ୍ୟଲୀଳା କରିଥାନ୍ତି । ତ୍ୟାଗ, ସାମ୍ୟଭାବ ଓ ଏକେଶ୍ୱର ବାଦ୍ ର ପ୍ରଚାର କରୁଥିବା ଏହି ଧର୍ମ ଯେ ଦିନେ ବିଶ୍ୱବାସୀଙ୍କର ଅନ୍ତରକୁ ସ୍ପର୍ଶ କରିବ, ଏଥିରେ ସନେ୍ଦହ ନାହିଁ । ଏହି ଧର୍ମ ଆଦିବାସୀ ଅଧୁ୍ୟଷିତ ଅଂଚଳରେ ଯଥେଷ୍ଟ ପ୍ରସାର ଲାଭ କରିଛି । ବହୁସଂଖ୍ୟାରେ ଆଦିବାସୀ ମାନେ ଏହି ଧର୍ମକୁ ଶ୍ରଦ୍ଧାରେ ପାଳନ କରନ୍ତି । ଆମିଷ ଓ ମଦ୍ୟ ସଂପୂର୍ଣ୍ଣ ରୂପେ ପରିତ୍ୟାଗ କରିଛନ୍ତି । ବିଦେଶୀ ମିଶନାରୀଙ୍କ ପ୍ରଲୋଭନକୁ ଏଡ଼ାଇ ସେମାନେ ଯେପରି ସଂପୂର୍ଣ୍ଣ ତ୍ୟାଗପୁତ ଜୀବନ ଯାପନ କରୁଛନ୍ତି, ତାହା ସମସ୍ତଙ୍କୁ ବିସ୍ମିତ କରୁଛି ।
“ପ୍ରାଣୀଙ୍କ ଆରତ ଦୁଃଖ ଅପମିତ, ଦେଖୁଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” । ଭୀମଭୋଇଙ୍କ ଦ୍ୱାରା ପ୍ରଣୀତ ଏହି ମହତ୍ୱ ପୂର୍ଣ୍ଣ ପଦଟି ଏ ଧର୍ମର ମହାନତା ସମ୍ବଦ୍ଧରେ କିଂଚିତ ଧାରଣା ଦିଏ ।