ମାଟ୍ରିକ୍ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ଭୁବନେଶ୍ୱର, (ଆଇଏନ୍ଏସ୍): ଭୁବନେଶ୍ୱର ବାଲିଯାତ୍ରା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାରେ ‘ଏ’ ଗ୍ରେଡ୍ରେ ପାସ୍ କରିଥିବା ଛାତ୍ର ଛାତ୍ରୀଙ୍କୁ ସ୍ଥାନୀୟ କାନନବିହାରସ୍ଥିତ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି କହିଥିଲେ ଯେ, ସରଳ, ନିରାଡମ୍ବର ଜୀବନଯାପନ ସତପଥରେ ଅଗ୍ରଗତି କରିବା ଛାତ୍ରଛାତ୍ରୀ ମାନଙ୍କର ଧର୍ମ । ସମାଜରେ ଭଲ ମଣିଷ ରୂପେ ଗଢ଼ି ସମାଜର ଉନ୍ନତି ପଥରେ ସାଦ୍ଧିତ ହେବା ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ କର୍ତବ୍ୟ । ବିଦ୍ୟାପୀଠର ସଭାପତି ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିମାନେ ପ୍ରଥମେ ଜୟଦେବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ବିଦ୍ୟାପୀଠର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଦାରୁଠେଙ୍ଗ, ଚନ୍ଦକା, ଅନ୍ଧାରୁଆ, ମଂଚନାଥ, ପଟିଆ, ସୀତାନାଥ, କେନ୍ଦୁପାଟଣା ବାଳକ ଓ ବାଳିକା ହାଇସ୍କୁଲ ଓ ଜୟଦେବ ଶିକ୍ଷାକେନ୍ଦ୍ରର ‘ଏ’ ଗ୍ରେଡ୍ରେ ପାସ୍ କରିଥିବା ୪୦ ଜଣ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନେଶ୍ୱର ବାଲିଯାତ୍ରା ସାଂସ୍କୃତିକ ପରିଷଦର ପୂର୍ବତନ ସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ଅଭୟ ବଡଜେନା ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରିବା ସଙ୍ଗେ ସଙ୍ଗେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକାରୀ ସଭାପତି ଜୀବନ କୁମାର ବଡୁ, ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ମହାପାତ୍ର ଉପସ୍ଥିତ ଥିଲେ । ସଂପାଦକ ତପନ କୁମାର ବଳିଆରସିଂ ଧନ୍ୟବାଦ ପ୍ରଦାନ କରିଥିଲେ ।