ମା’ବିମଳାଙ୍କ ଆଦି ଶକ୍ତିପୀଠ ପୁରି!
ଶରତ କୁମାର ରାଉତ
ପୂଣ୍ୟଭୂମି ଭାରତ ବର୍ଷରେ କୋଟି କୋଟି ଦେବୀ ଦେବତା, ଦେବ ପୀଠ ଓ ଶକ୍ତିପୀଠ ରହିଛ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ମା’ ଶକ୍ତିଙ୍କୁ ନିଜର ଝିଅ(ସତୀ) ରୂପରେ ପାଇବା ପରେ କୌଣସି ପ୍ରକାର ସତୀଙ୍କୁ ଶିବ ବିବାହ କରି କୈଳାଶ ପର୍ବତ ନେଇଗଲେ । ଦକ୍ଷରାଜଙ୍କ ରାଗ ଚରମ ସୀମାରେ ପହଂଚିଗଲା । ଶିବଙ୍କୁ ସବୁ ଦେବୀ ଦେବତାଙ୍କ ସାମ୍ନାରେ ଅପମାନିତ କରିବା ପାଇଁ ଦକ୍ଷ ଏକ ଯଜ୍ଞର ଆୟୋଜନ କଲେ । ଝିଅ ସତୀ ଓ ଜ୍ୱାଇଁ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ସତୀ ସ୍ୱଂୟ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚିଲେ । ଦକ୍ଷ ଝିଅ ଜ୍ୱାଇଁଙ୍କୁ ଅପମାନ ସୂଚକ ଶବ୍ଦ ସବୁ ଶୁଣାଇଲେ । ବାପାଙ୍କ ଅପମାନକୁ ସହ୍ୟ କରି ନପାରି ସତୀ ଅଗ୍ନି କୁଣ୍ଡରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସେଠାରେ ପହଂଚିଲେ ଓ ଗଭୀର ଦୁଃଖରେ ସତୀଙ୍କ ମର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଦେବ ଦେବୀ ମାନେ ଶିବଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ଉପାୟ ବାହାର କରିବାକୁ ବ୍ରହ୍ମା ଓ ବିଷ୍ଣୁଙ୍କୁ ଅନୁରୋଧ କଲେ । ବିଷ୍ଣୁ ଅନୁଭବ କଲେ, ଯେପର୍ଯ୍ୟନ୍ତ ଶିବଙ୍କ ହସ୍ତରୁ ସତୀଙ୍କ ମର ଶରୀର ଅଲଗା ହୋଇନାହିଁ, ସେପର୍ଯ୍ୟନ୍ତ ଶିବ ଶାନ୍ତ ହେବେ ନାହିଁ । ସଙ୍ଗେସଙ୍ଗେ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ସେଗୁଡ଼ିକ ମଧ୍ୟରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ଆଦିଶକ୍ତି ପୀଠ ହେଲେ, (୧)ପୁରୀ ଶ୍ରୀମନ୍ଦିରରେ ପୂଜିତା ମା’ବିମଳା(ପାଦଖଣ୍ଡ), (୨) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ନିକଟସ୍ଥ ଋଷିକୂଲ୍ୟା ନଦୀ ଉପକଣ୍ଠରେ କୁମାରୀ ପାହାଡ଼ ଉପରେ ବିରାଜିତ ମା’ତାରା ତାରିଣୀ(ସ୍ତନଖଣ୍ଡ), ୩) ଆସାମର ଗୌହାଟୀ ସ୍ଥିତ କାମାକ୍ଷା ଦେବୀ(ଜୋନିଖଣ୍ଡ) ଓ ୪) କୋଲକତାର ଦକ୍ଷିଣ କାଳୀ(ମୁଖଖଣ୍ଡ) । ଓଡ଼ିଶାରେ ମଧ୍ୟ ଗୋଟିଏ ମହା ଶକ୍ତିପୀଠ ମା’ “ବିରଜା” ରହିଛନ୍ତି ।
ଆଦି ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପୂଜିତା ମା’ବିମଳା ପୀଠ ଅନ୍ୟତମ । ଏହାକୁ ବିମଳା ଦେବୀ ପୀଠ ବି କୁହାଯାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏଠାରେ ମା’ସତୀଙ୍କ ପାଦଖଣ୍ଡ ପଡ଼ିଥିଲା । ଏହି ଶକ୍ତି ପୀଠରେ ମା’ ସତୀଙ୍କୁ ‘ବିମଳା’ ଏବଂ ଭଗବାନ ଶିବଙ୍କୁ ‘ବ୍ରହ୍ମାଣ୍ଡ’ କୁହାଯାଏ । ଏଠାରେ ବିଷ୍ଣୁ ଓ ଶିବଙ୍କୁ ଗୋଟିଏ ଦେବତା ଭାବେ ପୂଜା କରାଯାଏ । ଦେବୀ ସତୀ ଦେବୀ ଶକ୍ତି (ସଦଭାବର ଦେବୀ)ଙ୍କର ଅବତାର ଅଟନ୍ତି ଓ ତାଙ୍କୁ ଦେବୀ ଦୁର୍ଗା(ଶକ୍ତିର ଦେବୀ) ମଧ୍ୟ କୁହାଯାଏ । ଦେବୀ ସତୀଙ୍କୁ ଦେବୀ କାଳୀ(ଦୃଷ୍ଟ ଶକ୍ତି ବିନାଶର ଦେବୀ)ଙ୍କ ରୂପରେ ମଧ୍ୟ ପୂଜା କରାଯାଏ । ଦେବୀ ବିମଳା ହେଉଛନ୍ତି ମା’ଦୁର୍ଗା ଓ ପାର୍ବତୀଙ୍କର ଅବତାର । ସେ ହେଉଛନ୍ତି ଶ୍ରୀ ମନ୍ଦିରର ପରିଚାଳିକା । ଏଠାରେ ମା’ବିମଳାଙ୍କୁ ସ୍ୱତନ୍ତ୍ର ଭୋଗ ଅର୍ପଣ କରାଯାଏ ନାହିଁ । ଜଗନ୍ନାଥଙ୍କୁ ପ୍ରଥମେ ଭୋଗ ଲାଗିବା ପରେ ତାଙ୍କ ଉଚିଷ୍ଟକୁ ଦେବୀଙ୍କୁ ଅର୍ପଣ କରାଯାଏ ଓ ତାହା ମହାପ୍ରସାଦରେ ପରିଣତ ହୁଏ । ଅର୍ଥାତ୍ ଜଗନ୍ନାଥଙ୍କ ଉଚିଷ୍ଟ ବିମଳାଙ୍କୁ ଅର୍ପଣ ନହେବା ପର୍ଯ୍ୟନ୍ତ ତାହା ମହାପ୍ରସାଦରେ ପରିଣତ ହୁଏନାହିଁ । ଏ ସଂପର୍କରେ ଏକ ପୌରାଣିକ ତଥ୍ୟ ରହିଛି । ଥରେ ଶିବ ବୈକୁଣ୍ଠପୁର ଯାଇଥିଲେ । ସେଠାରେ ଶିବ ଦେଖିଲେ, ବିଷ୍ଣୁ ଖାଇ ସାରିବା ପରେ କିଛି ଖାଦ୍ୟଶସ୍ୟ ତଳେ ପଡ଼ିଛି । ଶିବ ଗୋଟିଏ ଶସ୍ୟ ଉଠାଇ ଖାଇଦେଲେ । କିନ୍ତୁ ତାଙ୍କ ଅଜାଣତରେ ସେହି ଶସ୍ୟର ଅଧା ତାଙ୍କ ଦାଢୀରେ ଲାଗିରହିଲା । ଶିବ ସେଠାରୁ କୈଳାଶ ଫେରିବା ପରେ ନାରଦ ମୁନି ଏହା ଦେଖି ସେହି ଅଧା ଶସ୍ୟକୁ ଖାଇଦେଲେ । ଏଥିଯୋଗୁ ପାର୍ବତୀ ଭୟଙ୍କର ଭାବେ ରାଗିଗଲେ । କାରଣ ସେହି ଅଧା ଶସ୍ୟ ଖାଇବାର ଅଧିକାର କେବଳ ତାଙ୍କର ଅଛି! ଏ ଘଟଣା ସଂପର୍କରେ ଜାଣିବା ପରେ ବିଷ୍ଣୁ ତାଙ୍କୁ ଶାନ୍ତ କରିବା ପାଇଁ ଗୋଟିଏ ବର ପ୍ରଦାନ କଲେ ଯେ, କଳିଯୁଗରେ ସେ (ପାର୍ବତୀ) ପୁରୀରେ ମା’ ବିମଳା ରୂପରେ ପୂଜା ପାଇବେ ଏବଂ ପ୍ରତିଦିନ ତାଙ୍କର ଉଚିଷ୍ଟ ଖାଇବାର ସୁଯୋଗ ପାଇବେ ।
ମା’ବିମଳାଙ୍କ ମନ୍ଦିର ଜଗନ୍ନାଥ ମନ୍ଦିରରର ଡ଼ାହାଣକୁ ଓ ପବିତ୍ର ରୋହିଣୀ କୁଣ୍ଡ ପାଶ୍ୱର୍ରେ ଅବସ୍ଥିତ । ମନ୍ଦିରର ପ୍ରବେଶ ପଥ ପୂର୍ବ ଦିଗକୁ ରହିଛି । ମା’ବିମଳାଙ୍କ ମୂର୍ତିରେ ଚାରି ହାତ ରହିଛି । ଉପର ଓ ଡ଼ାହାଣ ହାତରେ ମାଳା ଧାରଣ କରିଛନ୍ତି । ତଳ ଡ଼ାହାଣ ହାତରେ ଆଶୀର୍ବାଦର ସଙ୍କେତ ଓ ତଳ ବାଁ ହାତରେ ଅମୃତ ଭରା ଏକ କଳସୀ ରହିଛି । ମା’ଙ୍କ ମନ୍ଦିରରେ ବ୍ରାହ୍ମୀ, ମାହେଶ୍ୱରୀ, ଆନ୍ଦ୍ରୀ,କୁମାରୀ, ବୈଷ୍ଣବୀ, ବରାହୀ ଓ ମା’ଚାମୁଣ୍ଡାଙ୍କର ମଧ୍ୟ ମୂର୍ତି ରହିଛି । ମନ୍ଦିରର ଶିଖରକୁ ‘ରେଖା ଦେଉଳ’ କୁହାଯାଏ । ଏହାର ଉଚତା ୬୦ ଫୁଟ୍ । ଏହାର ବାହାର ଦ୍ୱାର ୫ ଭାଗରେ ବିଭକ୍ତ । ମନ୍ଦିରର ୪ଟି ପ୍ରମୁଖ ଅଂଶ ରହିଛି, ଯଥା:- ମନ୍ଦିର ଶିଖର(ବିମାନମ), ସମ୍ମେଳନ ସଭାମଣ୍ଡପ(ଜଗମୋହନ), ପର୍ବ ମହୋତ୍ସବ ସଭା ମଣ୍ଡପ(ନାଟ ମଣ୍ଡପ) ଓ ଭୋଗ ମଣ୍ଡପ(ଆହୁତି ସଭାମଣ୍ଡପ) । ଏଠାରେ ଦୁର୍ଗାପୂଜା ମହୋତ୍ସବ ୧୬ ଦିନ ଧରି ଚାଲେ । ଏହାକୁ ଶାରଦୀୟ ଉତ୍ସବ ବୋଲି କୁହାଯାଏ । ନବରାତି୍ର ଓ ବିଜୟା ଦଶମୀ ଉତ୍ସବ ମଧ୍ୟ ଅତି ଉଲ୍ଲାସରେ ପାଳିତ ହୁଏ । ଏଥିସହ ଅନ୍ୟାନ୍ୟ ପର୍ବଆଦି ମହୋତ୍ସବ ମଧ୍ୟ ଏଠାରେ ପାଳିତ ହୁଏ ।
ତୀର୍ଥଯାତ୍ରୀ ଓ ସାଧାରଣରେ ବିଶ୍ୱାସ ରହିଛି ଯେ, ଏଠାରେ କୌଣସି ଭକ୍ତ ବା ଶ୍ରଦ୍ଧାଳୁ ନିଷ୍ଟାର ସହ ମା’ଙ୍କର ପୂଜାର୍ଚ୍ଚନା କଲେ, ନିଜର ଦାମ୍ପତ୍ୟ ଓ ପାରିବାରିକ ଜୀବନ ମଙ୍ଗଳମୟ ଓ ସୁଖ ଦାୟକ ହେବା ସହ ମା’ଙ୍କ ଆଶୀର୍ବାଦରେ ଧର୍ମପରାୟଣ ମଣିଷ ହୋଇ ପାରିବ । ଏହି ବିଶ୍ୱାସରେ ନିଜର ମନସ୍କାମନା ପୂରଣ ପାଇଁ ମା’ଙ୍କର ପୂଜା-ଆରାଧନା କରିବାକୁ ପ୍ରତିଦିନ ଏହି ଆଦି ଶକ୍ତିପୀଠକୁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଆସିଥାନ୍ତି । ଯେଉଁମାନେ ପୁରୀ ଆସନ୍ତି, ସେମାନେ ଜଗନ୍ନାଥଙ୍କ ସହ ମା’ ବିମଳାଙ୍କୁ ମଧ୍ୟ ଦର୍ଶନ କରିଥାନ୍ତି ।