ରାଜସ୍ୱ ନେଉଛନ୍ତି କୋଟିକୋଟି : ସମସ୍ୟା ପ୍ରତି ନାହିଁ ଦୃଷ୍ଟି!

ରାଜସ୍ୱ ନେଉଛନ୍ତି କୋଟିକୋଟି : ସମସ୍ୟା ପ୍ରତି ନାହିଁ ଦୃଷ୍ଟି!

ବାଲେଶ୍ୱର, (ଆଇଏନ୍ଏସ୍) : ସୋର ବ୍ଲକର ମହୁମୁହାଣ ଗ୍ରାମପଂଚାୟତର ବାଗୁଡ଼ି ବଜାର । ଏହା ଏକ ଛୋଟ ବଜାର ସତ୍ୟ । କିନ୍ତୁ ଯେଉଁ ପାହାଡ଼ର ପାଦ ଦେଶରେ ଏହି ବଜାରଟି ରହିଛି, ସେହି ପାହାଡ଼ର ଗୁରୁତ୍ୱ ନିଶ୍ଚିତ ଭାବରେ ରହିଛି । ଏହି ପାହାଡ଼ରେ ରହିଛି ୬୦ରୁ ଉଦ୍ଧ୍ୱର୍ ପଥର ଖାଦାନ । ଯେଉଁ ଖାଦାନ ପାଇଁ ସରକାର କୋଟିକୋଟି ଟଙ୍କା ରାଜସ୍ୱ ପାଇବା ସହିତ ସରକାରୀ ଓ ବେସରକାରୀ ନିର୍ମାଣ, ଯଥା- ରାସ୍ତା-ଘାଟ, କୋଠା-ବାଡ଼ି ଇତ୍ୟାଦି ପାଇଁ ଆବଶ୍ୟକ ପଥର ଏହି ପାହାଡ଼ରୁ ବିଭିନ୍ନ ସ୍ଥାନକୁ ଯାଇଥାଏ । ଯେଉଁ ସ୍ଥାନରୁ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କା ରାଜସ୍ୱ ପାଉଛନ୍ତି, ସେହି ସ୍ଥାନ ପ୍ରତି ସରକାର ସମ୍ପୂର୍ଣ୍ଣ ଭାବରେ ଅବହେଳା କରି ଚାଲିଛନ୍ତି । ପାହାଡ଼କୁ ପଥର ପାଇଁ ପ୍ରତିଦିନ ଶହଶହ ଟ୍ରକ ଯାତାୟତ କରେ । ଏହି ଟ୍ରକ ଗୁଡ଼ିକ ରାସ୍ତାର କ୍ଷମତା ଠାରୁ ଅଧିକ ଓଭର ଲୋଡିଂ କରି ଯାତାୟତ କରିବା ଫଳରେ ରାସ୍ତା ଫାଟି ନଷ୍ଟ ହୋଇଯାଉଛି । ସରକାର ଓ ସରକାରୀ ଅଧିକାରୀମାନେ ଓଭର ଲୋଡିଂକୁ ବନ୍ଦ କରୁ ନାହାନ୍ତି କିମ୍ବା ରାସ୍ତା ମଧ୍ୟ ମରାମତି କରୁନଥିବାରୁ ଏହି ରାସ୍ତା ଏବେ ଯାତାୟତ ଅନୁପଯୋଗି ପାଲଟିଛି । ତଥାପି ସେହି ରାସ୍ତାରେ ଟ୍ରକ ଯାତାୟତ କରିବା ଫଳରେ ରାସ୍ତାର ଅବସ୍ଥା ଯାହା ଘଟିବା କଥା, ତାହା ହିଁ ହୋଇଛି । ଯାହା ଫଳରେ ସାଧାରଣ ଜନତା ଚାଲିଚାଲି, ସାଇକେଲ କିମ୍ବା ମୋଟର ସାଇକେଲରେ ଯିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି । ଦୁଃଖର କଥା ସରକାର ଯେଉଁ ସ୍ଥାନରୁ ରାଜସ୍ୱ ପାଇଛନ୍ତି, ସେହି ସ୍ଥାନକୁ ଚରମ ଅବହେଳା କରି ଚାଲିଛନ୍ତି । ସରକାରଙ୍କର ଏହି ଅବହେଳା ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷର ବୀଜ ବପନ କରିସାରିଲାଣି । ଶିଘ୍ର ତାହାର ସମାଧାନ ନହେଲେ ତାହା ଯେ ଆନେ୍ଦାଳନାତ୍ମକ ରୂପ ନନେବ, ତାହା କହିହେବନାହିଁ । ତେଣୁ ସରକାର ବେଳହୁଁ ସାବଧାନ ହେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published.