ସଚିବାଳୟ ନା ମଇଳା ଗଦା!
ଭୁବନେଶ୍ୱର, (ଓଏନ୍ଏସ୍/ଆଇଏନ୍ଏସ୍): ରାଜ୍ୟ ପ୍ରଶାସନର ସର୍ବୋଚ ସଂସ୍ଥା ହେଉଛି ରାଜ୍ୟ ସଚିବାଳୟ । ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ବିଭାଗୀୟ ସଚିବମାନେ ଅଫିସ କାର୍ଯ୍ୟ କରି ନୀତି ନିର୍ଦ୍ଦାରଣ କରନ୍ତି । କିନ୍ତୁ ସଚିବାଳୟ ପରିସର କିପରି ସ୍ୱଛ ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ମନ୍ତ୍ରୀମଣ୍ଡଳ ବଦଳିଲେ ବା ସଚିବଙ୍କ ବଦଳି ପରେ ତାଙ୍କ ଅଫିସ ପ୍ରକୋଷ୍ଠ ମରାମତି କରାଯାଇ ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ କରାଯାଏ । ମରାମତି ସମୟରେ ବାହାରୁଥିବା ଭଙ୍ଗାଭଙ୍ଗି ମଇଳା ସଚିବାଳୟ ପରିସରରେ ପକାଇ ଦେଇ ଠିକାଦାର ଛୁ । ତାକୁ ସଫା କରିବା ପାଇଁ ଯେପରି କେହି ନାହିଁ ।
ସମଗ୍ର ସଚିବାଳୟ ରକ୍ଷଣାବେକ୍ଷଣ ଓ ସ୍ୱଛତା ପାଇଁ ସାଧାରଣ ପ୍ରଶାସନ(କେୟାରଟେକର) ସଂସ୍ଥା ନିୟୋଜିତ । ଏହି ସଂସ୍ଥା ପରିଚାଳନା ପାଇଁ ମୁଖ୍ୟ କେୟାରଟେକର, ସହକାରୀ କେୟାରଟେକର ନିଯୁକ୍ତ । ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାୟ ୧୬୦ ଜଣ ସୁଇପର ଓ ଫରାଶ ନିଯୁକ୍ତ । ସେମାନେ କେତେବେଳେ ଆସନ୍ତି ଓ ଯାଆନ୍ତି ତାହା କେହି ଜାଣନ୍ତି ନାହିଁ । ସଚିବାଳୟ ପରିସରରୁ ଅଳିଆ ସ୍ଥାନାନ୍ତର ପାଇଁ ଭୁବନେଶ୍ୱର ମହାନଗର ନିଗମ ଟ୍ରାକ୍ଟର ଓ ମିନିଟ୍ରକ ସଚିବାଳୟ ମଧ୍ୟକୁ ଯୋଗାଇ ଦେଇଥାନ୍ତି । କିନ୍ତୁ ଏହାର ହିସାବ ରଖିବାକୁ ସାଧାରଣ ପ୍ରଶାସନ ବିଭାଗକୁ ସମୟ ନାହିଁ ।
ସଚିବାଳୟର ନାଲିକୋଠା(ଏବେ ରଙ୍ଗ ବଦଳିଯାଇଛି), ଯେଉଁଠାରେ ପଂଚାୟତିରାଜ, ଜଙ୍ଗଲ ଓ ପରିବେଶ ବିଭାଗ କାର୍ଯ୍ୟ କରୁଛି, ସେଠାକାର ଅବସ୍ଥା ନକହିଲେ ଭଲ । ବିନା ଯୋଜନାରେ ଚା ଦୋକାନ ପ୍ରତିଷ୍ଠା କରାଯାଇଛି । ଏବେ ସେଠାରେ ଏକ ମିନି ଷ୍ଟାଡିୟମ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଯେତେ ପରିମାଣରେ ଯୋଜନା ହାତକୁ ନିଆଯାଉଛି, ସେଇ ଅନୁପାତରେ ପରିଷ୍କାର ଓ ପରିଛନ୍ନତା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାର ବ୍ଲିଚିଙ୍ଗ ପାଉଡର, ଫିନାଇଲ ସାମଗ୍ରୀ କିଣାଯାଉଥିଲେ ମଧ୍ୟ ସଚିବାଳୟ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।
ଏ ଗଲା ପରିସର କଥା । ସଚିବାଳୟ କୋଠାର ବିଭାଗ ମଧ୍ୟରେ ଯିବା ଆସିବା କରିବା ପାଇଁ ରାସ୍ତା ସଂକୁଚିତ ହୋଇ ପଡିଛି । ବିଭାଗର ପ୍ରବେଶ ପଥରେ ଆଲମୀରା, ଚେୟାର ଟେବୁଲ ପଡିଥିବା ଯୋଗୁ ଆଗନ୍ତୁକ ବା କର୍ମଚାରୀମାନେ ଯିବା ଆସିବା କରିପାରନ୍ତି ନାହିଁ । ଶକ୍ତି ବିଭାଗ, ଇସ୍ପାତ ଓ ଖଣି ବିଭାଗ, ଗଣଶିକ୍ଷା ବିଭାଗ ଏହାର ଉଦାହରଣ । କେତେକ ବିଭାଗ ସେମାନଙ୍କ ପ୍ରସ୍ଥାନରେ ତାଲା ପକାଇ ଦେଇଥିବାରୁ ଗୋଟିଏ ବିଭାଗରୁ ଅନ୍ୟ ଏକ ବିଭାଗକୁ ଯିବା ଆସିବା କରିହୁଏ ନାହିଁ । ଗୋଟିଏ ଗୋଟିଏ ବିଭାଗର ବିଭିନ୍ନ ଶାଖା ବିଭିନ୍ନ ସ୍ଥାନରେ କାମ କରୁଥିବାରୁ ବାହାରୁ ଆସୁଥିବା ଆଗନ୍ତୁକମାନେ ଉକ୍ତ ଶାଖାର ସନ୍ଧାନ ପାଇଁ ହଇରାଣ ହୁଅନ୍ତି । ସମସ୍ତ ବିଭାଗ ଓ ବାରଣ୍ଡାର ସ୍ôଛତା ପାଇଁ ସାଧାରଣ ପ୍ରଶାସନ ବିଭାଗର କେୟାର ଟେକର ସଂସ୍ଥା ଉପଯୁକ୍ତ ଧ୍ୟାନ ଦେଉ ନାହାନ୍ତି । ଏୟାରପୋର୍ଟ ଭଳି ସଚିବାଳୟ ବାରଣ୍ଡାକୁ ସଫା କରିବାକୁ ବହୁ କର୍ମଚାରୀ ଦାବି କରିଛନ୍ତି । କେତେକେ ବିଭାଗର ବାରଣ୍ଡା ଓ ରାସ୍ତାରେ ମଟର ସାଇକେଲ ଓ ସାଇକେଲ ରଖାଯାଉଛି । ଯାହାଫଳରେ ରାସ୍ତାରେ ଯିବା ଆସିବା କରିବା ଅସମ୍ଭବ ହୋଇ ପଡୁଛି । ଏପରି ଅସ୍ୱାସ୍ଥ୍ୟକର ପରିବେଶରେ କାର୍ଯ୍ୟ କରିବାକୁ କର୍ମଚାରୀମାନେ ଅନାଗ୍ରହ ପ୍ରକାଶ କରିବା ସ୍ୱାଭାବିକ । ମୁଖ୍ୟ କୋଠାରୁ ନାଲି କୋଠାକୁ ଯିବା ରାସ୍ତା(ୟୁକୋବ୍ୟାଙ୍କ ସମ୍ମୁଖ) ଏହାର ନଗ୍ନ ଉଦାହରଣ ।
ଏତଦ୍ ବ୍ୟତୀତ ସଚିବାଳୟ ଶୌଚାଳୟ କଥା ନକହିଲେ ଭଲ । ହଜାର ହଜାର କର୍ମଚାରୀ ଓ ଆଗନ୍ତୁକଙ୍କ ନିମନ୍ତେ ପ୍ରତି ବିଭାଗରେ ଶୌଚାଳୟ ପ୍ରତିଷ୍ଠା କରାଯାଇଛି । କିନ୍ତୁ ସାଧାରଣ ପ୍ରଶାସନ କେୟାର ଟେକର ସଂସ୍ଥା ସକାଳେ ଦୁଇ ବାଲ୍ଟି ପାଣି ଢାଳିଦିଅନ୍ତି । ବାସ ସେତିକି । ଫିନାଇଲ୍ ଓ ଗନ୍ଧକର୍ପୁର ବିଲ କେବଳ କାଗଜପତ୍ରରେ ରହିଯାଏ । କେବଳ ବଡ ବଡ଼ିଆ ସଂଲଗ୍ନ ଶୌଚାଳୟକୁ ଫରାସ ମାନେ ସଫାକରି ଚୁପ ରହିଯାଆନ୍ତି । ବହୁ ଶୌଚାଳୟକୁ ପାଣି ମଧ୍ୟ ଆସେନି । କେତେକ ବିଭାଗର ଶୌଚାଳୟରେ ଭଙ୍ଗା ଚେୟାର, ଟେବୁଲ ଗଦା ହୋଇଛି । ସାଧାରଣ ପ୍ରଶାସନ ବିଭାଗ ଇତିମଧ୍ୟରେ ତାଙ୍କ ଅଧୀନରେ ଥିବା ତୋଷାଳି ପ୍ଲାଜା କୋଠା ଓ ବିଭାଗୀୟ ମୁଖ୍ୟ ଦପ୍ତରରେ ଆଉଟସୋର୍ସିର୍ଙ୍ଗ ଜରିଆରେ ବା ଠିକାଦାରଙ୍କ ମାଧ୍ୟମରେ ଫାସିଲିଟ ମ୍ୟାନେଜମେଂଟ ସେବା ଆରମ୍ଭ କରିସାରିଲେଣି । ଅନ୍ୟପଟେ ସୂଚନା ଓ ଲୋକସମ୍ପର୍କ ବିଭାଗ ତାର ନିଜସ୍ୱ ସ୍ୱଛତା ଠିକାଦାର ମାଧ୍ୟମରେ ଆରମ୍ଭ କରିଛନ୍ତି । ସଚିବାଳୟ ପଛପଟରେ ଥିବା ରାଜୀବ ଭବନର କେୟାରଟେକର ସଂସ୍ଥା ଜଳ ସମ୍ପଦ ବିଭାଗ ଦ୍ୱାରା କରାଯାଉଛି । ରାଜ୍ୟ ସରକାର ତୁରନ୍ତ ସାଧାରଣ ପ୍ରଶାସନ ବିଭାଗ କେୟାରଟେକର ସଂସ୍ଥାକୁ ଆଉଟସୋର୍ସିଙ୍ଗ ସଂସ୍ଥା ମାଧ୍ୟମରେ କାର୍ଯ୍ୟକାରି କରି ସଚିବାଳୟର ସ୍ୱଛତା ଆପେଣେଇବାକୁ ଦାବି ହେଉଛି ।