ସତରେ କ’ଣ କେନ୍ଦ୍ରାପଡ଼ା ଲୋକସଭା ଆସନରେ ସୁଜାତା କାର୍ତିକେୟନ୍ ବିଜେଡ଼ି ପ୍ରାର୍ଥୀ ହେବେ?
କେନ୍ଦ୍ରାପଡ଼ା, (ଓଏନ୍ଏସ୍): କିଛିଦିନ ତଳେ କେନ୍ଦ୍ରାପଡ଼ା ଠାରେ ମିସନ୍ ଶକ୍ତି ସମାବେଶରେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଓ ମିସନ ଶକ୍ତି ନିର୍ଦେଶିକା ଆଇଏଏସ୍ ଅଫିସର ସୁଜାତା (ରାଉତ) କାର୍ତିକେୟନଙ୍କ ବକ୍ତବ୍ୟ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡ଼ା ମାଟି ବିଜୁବାବୁଙ୍କ ମାଟି ବୋଲି କହିଥିଲେ । ଆହୁରି ମଧ୍ୟ କହିଥିଲେ ଯେ, ନବେ ଦଶକରେ ବିଜୁବାବୁ ଙ୍କ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ସାରା ଦେଶକୁ ବାଟ ଦେଖାଇଥିଲା । ଏହି ସମାବେଶରେ ମିସନ ଶକ୍ତି ନିର୍ଦେଶିକା ସୁଜାତା (ରାଉତ) କାର୍ତିକେୟନ ସମ୍ମାନୀତ ଅତିଥି ଭାବେ ଗୋଗ ଦେଇ ରାଜ୍ୟର ଏହି ସର୍ବବୃହତ ମହିଳା ସମାବେଶରେ ଯୋଗ ଦେଇଥିବା ମହିଳାଙ୍କ ଉତ୍ସାହ ଓ ଆଗ୍ରହ ଆମକୁ ପ୍ରେରଣ ଦେଇଛି ବୋଲି କହିଥିଲେ । ୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନସ କନ୍ୟା ମିସନ ଶକ୍ତି ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲା । ଏହି ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୭୦ ଲକ୍ଷ ମହିଳା ମିସନ୍ ଶକ୍ତିରେ ସାମିଲ ହୋଇଛନ୍ତି । ଏମିତି କେଉଁ ଘର ନାହିଁ ଯେଉଁଠି ମିସନ ଶକ୍ତିର ମା’ ମାନେ ନାହାନ୍ତି । ଏମିତି କେଉଁ ସାହି ନାହିଁ, ଯେଉଁଠି ମିସନ ଶକ୍ତି ଗୋଷ୍ଠୀ ନାହିଁ । ଅତୀତରେ ଛୋଟ ଅସୁବିଧା ପାଇଁ ହାତ ପତେଇବାକୁ ପଡ଼ୁଥିଲା । ହେଲେ ଏବେ ମିସନ ଶକ୍ତି ଜରିଆରେ ମା’ ମାନେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । କରଦପୁର ଓ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ୨ଟି ଗୋଷ୍ଠୀ ୨ କୋଟିରୁ ଅଧିକ ଆୟ କରି ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରି ପାରିଛନ୍ତି । ସେହି ମହିଳାମାନେ କାର୍ଯ୍ୟ କରି ଶିଶୁ ଓ ମାତ୍ୟ ମୃତୁ୍ୟହାର କମାଇବା ସହ କନ୍ୟା ଅନୁପାତ ବଢାଇବାରେ ସହାୟକ ହୋଇଛନ୍ତି । ରାଜ୍ୟ ପ୍ରଗତି ଓ ପରିବର୍ତନରେ ମିସନ ଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମିସନ ଶକ୍ତି ନିର୍ଦେଶିକା ଶ୍ରୀମତୀ କାର୍ତିକେୟନ ତାଙ୍କ ବକ୍ତବ୍ୟରେ କହିଥିଲେ । ତେବେ ଏହି ମିସନ୍ ଶକ୍ତି ସମାବେଶରେ ଜିଲ୍ଲାର ଜଣେ ହେଲେ ବିଧାୟକ କିମ୍ବା ସାଂସଦଙ୍କୁ ଭାଷଣ ଦେବାର ସୁଯୋଗ ମିଳିନଥିବାବେଳେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ୨୦ ମିନିଟ ଧରି ଭାଷଣ ଦେଇ କେନ୍ଦ୍ରାପଡ଼ା ମାଟି ବିଜୁଙ୍କ କର୍ମଭୂମି ବୋଲି ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଗାନ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ମିସନ ଶକ୍ତି ନିର୍ଦେଶିକା ସୁଜାତା (ରାଉତ) କାର୍ତିକେୟନ ମଧ୍ୟ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଭାଷଣ ଦେବା ସଭାରେ ଗୁଂଜରଣ ସୃଷ୍ଟି କରିଥିଲଶ । ଏପରିକି ଚଳିତ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଶ୍ରୀମତୀ କାର୍ତିକେୟନଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ପ୍ରାର୍ଥୀ କରି ପାରନ୍ତି ବୋଲି ଆଲୋଚନା ଆରମ୍ଭ ହୋଇ ଯାଇଛି ।
ତେବେ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରେ ବିଜେପିର ପ୍ରାର୍ଥୀ ହୋଇଥିବାରୁ ଏଠାରେ ବିଜେଡ଼ିର ପ୍ରାର୍ଥୀ କିଏ ହେବେ ସେଥିନେଇ ଅଙ୍କକଷା ଚାଲିଥିଲା ବେଳେ ଶ୍ରୀମତୀ କାର୍ତିକେୟନଙ୍କ ପ୍ରାର୍ଥୀତ୍ୱକୁ ସ୍ଥାନୀୟ ବିଜେଡ଼ି ନେତା ଓ ସମର୍ଥକ ମାନେ ଆଶା ବାନ୍ଧିଛନ୍ତି । ଆଇଏଏସ୍ ସୁଜାତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିବାରୁ ଏଠାରେ ସେ ଲୋକସଭା ପ୍ରାର୍ଥୀ ହେଲେ ସହଜରେ ବିରୋଧୀ ପ୍ରାର୍ଥୀଙ୍କୁ ପରାସ୍ତ କରି ପାରିବେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ଶ୍ରମତୀ କାର୍ତିକେୟନଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡ଼ି ପ୍ରାର୍ଥୀତ୍ୱ ଅର୍ପଣ କରିବାକୁ କେନ୍ଦ୍ରାପଡ଼ାର ବିଜେଡ଼ି କର୍ମୀ, ନେତା ଓ ସମର୍ଥକ ମାନେ ଆଶା ବାନ୍ଧିଛନ୍ତି ।