୨୨ ଜୁଲାଇରୁ ଦାବିପୂରଣ ଯାଏ ୨୦ ହଜାର ଲୋକ ଘେରିବେ ଜିଲ୍ଲାପାଳଙ୍କ ଅଫିସ୍

୨୨ ଜୁଲାଇରୁ ଦାବିପୂରଣ ଯାଏ ୨୦ ହଜାର ଲୋକ ଘେରିବେ ଜିଲ୍ଲାପାଳଙ୍କ ଅଫିସ୍

କାମାକ୍ଷାନଗର, (ଆଇଏନ୍ଏସ୍): କାମାକ୍ଷାନଗର ଉପଜିଲ୍ଲାପାଳ ଇଂ. ବିଷ୍ଫୁପ୍ରସାଦ ଆଚାର୍ଯ୍ୟ ଓଡିଶା ଭୂମିହିନ ପ୍ରଜା ସମିତି ରାଜ୍ୟ ସଭାପତି ଇଂ. ଦେବାଶିଷ ହୋତାଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ସେ ଶବର ଏବଂ ଭୂମିହୀନମାନଙ୍କର ଦାବିର ଯଥାର୍ଥତା ଜାଣିବା ପାଇଁ ଗୋଟିଏ ଗାଁକୁ ଯାଇ ସେ ଅନୁସନ୍ଧାନ କରିସାରିଛନ୍ତି । ସେହିଭଳି ଆଉ କେତେଗୋଟି ଗାଁକୁ ଯାଇ ସେମାନଙ୍କର ଆଦିବାସୀ ପରମ୍ପରା ଏବଂ ପୂର୍ବପୁରୁଷଙ୍କ ଜୀବନଜିବିକା ବିଷୟରେ ଅନୁସନ୍ଧାନ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ୍ ପ୍ରଦାନ କରିବେ । ସେଥିପାଇଁ ଆଗାମୀ ୮ ଜୁଲାଇରେ ସମିତି କରିବାକୁ ଥିବା ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖନ୍ତୁ ।
ଉପଜିଲ୍ଲାପାଳ ଶ୍ରୀ ଆଚାର୍ଯ୍ୟଙ୍କର ଏହି ସକାରାତ୍ମକ ପଦକ୍ଷେପ ଏବଂ ଲିଖିତ ପ୍ରତିଶୃତିକୁ ସମ୍ମାନ ଜଣାଇ ସମିତି ୮ ଜୁଲାଇରେ କରିବାକୁ ଥିବା ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲା ଏବଂ ଏବେ ୨୨ ଜୁଲାଇରୁ ଦାବିପୂରଣ ଯାଏ ୨୦ ହଜାର ଲୋକ ଜିଲ୍ଲାପାଳଙ୍କ ଅଫିସ୍ ଘେରିବେ ବୋଲି ଇଂ. ହୋତା ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଇଂ. ହୋତାଙ୍କ ନେତୃତ୍ୱରେ ୧୦ ହଜାର ଶବର ଏବଂ ଭୂମିହୀନ ସମର୍ଥକ ମହିମାଟୁଙ୍ଗିଠାରୁ ଏକ ବିରାଟ ର୍ୟାଲିରେ ବାହାରି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅଫିସ୍କୁ ଗତ ୭ ମଇ ୨୦୧୯ ରେ ଘେରାଉ କରିଥିଲେ । ସେହିଭଳି ଆଉ ୧୦ ହଜାର ସମର୍ଥକ ଦକ୍ଷିଣକାଳୀ ଅଫିସ୍ଠାରୁ ଏକ ବିରାଟ ର୍ୟାଲିରେ ବାହାରି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍କୁ ଗତ ୨୧ ମଇ ୨୦୧୯ ରେ ଘେରାଉ କରିଥିଲେ । ତକ୍ରାଳୀନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସମସ୍ତ ଦାବିକୁ ୨ ମାସ ମଧ୍ୟରେ ନିଶ୍ଚିତ ପୂରଣ କରିବେ ବୋଲି ଇଂ. ହୋତାଙ୍କ ସହିତ ଆଲୋଚନା କରିବା ପରେ ଘେରାଉ କାର୍ଯ୍ୟକ୍ରମକୁ ୨ ମାସ ପାଇଁ ସ୍ଥଗିତ ରଖାଯାଇଥିଲା । ଏବେ ନୂତନ ଜିଲ୍ଲାପାଳ ଭାବେ ଭୂମେଶ ଚନ୍ଦ୍ର ବେହେରା ଯୋଗଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଆମେ ଆମ ଜିଲ୍ଲାକୁ ସ୍ୱାଗତ କରୁଛୁ ।
କିନ୍ତୁ ଓଡିଶା ରାଜ୍ୟ ସରକାରଙ୍କ ଏସ୍.ଟି. ଏବଂ ଏସ୍.ସି. ଉନ୍ନୟନ ବିଭାଗର ଚିଠି ସଂଖ୍ୟା ୨୨୧୦୬ /ଏସ୍ଏସ୍ଡି/ଭୂବନେଶ୍ୱର/ ତା ୧୨-୬-୨୦୦୯ ଅନୁଯାୟୀ ଜମିପଟ୍ଟାମାନଙ୍କରେ ସରକାରୀ କର୍ମଚାରୀମାନଙ୍କର ଭୁଲ୍ଯୋଗୁଁ ଜାତି ସ୍ଥାନରେ ଲେଖାଯାଇଥିବା ସଅରକୁ ସଂଶୋଧନ କରାଯାଇ ଶବର ଲେଖାଯିବା, ଢେଙ୍କାନାଳ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୧୦୩୯ / ତା ୩-୮-୨୦୦୭ ଏବଂ ଭୁବନ ତହସିଲ୍ଦାର୍ଙ୍କ ଚିଠି ସଂଖ୍ୟା ୬୨୮ / ତା ୨୪-୪-୨୦୦୭ ଅନୁଯାୟୀ ଜମିପଟ୍ଟାମାନଙ୍କରେ ସରକାରୀ କର୍ମଚାରୀମାନଙ୍କର ଭୁଲ୍ଯୋଗୁଁ ଜାତି ସ୍ଥାନରେ ଲେଖାଯାଇଥିବା କପଡିଆକୁ ସଂଶୋଧନ କରାଯାଇ କାପୁଡିଆ ଲେଖାଯିବା, ରେଭିନୁ୍ୟ ଓ ଡିଜାଷ୍ଟର ମ୍ୟାନେଜମେଣ୍ଟ୍୍ ବିଭାଗର ଚିଠି ସଂଖ୍ୟା ୧୭୯୫୯ /ଆର୍ ଆଣ୍ଡ୍ ଡିଏମ୍ / ତା ୧୯-୬-୨୦୧୫ ଅନୁଯାୟୀ ସମସ୍ତ ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯିବା, ଏଫ୍ଆର୍ଏ – ୨୦୦୫ ଅନୁଯାୟୀ ସମସ୍ତ ଏସ୍.ସି. ଏବଂ ଏସ୍.ଟି. ଗରିବ ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରାଯିବା, ନିଜର ବନ୍ଧୁ ତତ୍କାଳୀନ ଢେଙ୍କାନାଳ ଅତିରିକ୍ତ ତହସିଲ୍ଦାର୍ ସରୋଜ ପଣ୍ଡାଙ୍କ ସହାୟତାରେ ଗୋଟିଏ ବେଆଇନ୍ କନଷ୍ଟ୍ରକ୍ସନ୍ କଂପାନୀ ମାଧ୍ୟମରେ ଇ-ଟେକ୍ ରେସିଡେନ୍ସିଆଲ୍ କଲେଜ୍ ତଥା ବିଦ୍ୟାନିକେତନ ଚ୍ୟାରିଟେବୁଲ୍ ଟ୍ରଷ୍ଟ୍ର ସଂପାଦିକା ସାଗରବାଳା ହୋତା ମୋଟାରି, ମଙ୍ଗଳପୁର ଏବଂ ଆହୁରି ଅନେକ ମୌଜାରେ କିଣିଥିବା କୋଟି କୋଟି ଟଙ୍କାର ଜମିକୁ ଅନୈତିକ ଉପାୟରେ ରେଗୁଲାରାଇଜ୍ କରିଥିବାରୁ ସେହି ସମସ୍ତ ଦସ୍ତାବିଜକୁ ବାତିଲ୍ କରାଯାଇ କ୍ରାଇମ୍ ବ୍ରାଂଚକୁ ତଦନ୍ତ ଭାର ପ୍ରଦାନ କରାଯିବା, ସୋଗରପଶି ପଂଚାୟତର ଏସ୍.ସି. ବହୁଳ ପାରିଖେଦା ଗାଁରେ ବେଆଇନ୍ ଭାବେ କୁକୁଡା ଅଣ୍ଡା ଓ ଚିଆଁ ପ୍ରଡକ୍ସନ୍ ପାଇଁ ବିରାଟ କଂପାନୀ କରିଥିବା ହାଇଟେକ୍ ହ୍ୟାଚ୍ ଫ୍ରେଶ୍ ପ୍ରା.ଲି. ରେ ୪୦ ଜଣ କର୍ମଚାରୀରୁ ମାତ୍ର ୨ ଜଣ ପାରିଖେଦା ଗାଁର ଏବଂ ବାକି ସମସ୍ତେ ସୁଦୂର ପଶ୍ଚିମବଙ୍ଗର ହୋଇଥିବାରୁ ସମସ୍ତ ୪୦ ଜଣ କର୍ମଚାରୀ ପାରିଖେଦା ଗାଁରୁ ରଖାଯିବା , କାମାକ୍ଷାନଗର ବ୍ଲକ୍ ଓ ଏନ୍.ଏ.ସି., ଜିରାଳ ଅଂଚଳ, କଙ୍କଡାହାଡ ବ୍ଲକ୍ ଏବଂ ପରଜଙ୍ଗ ବ୍ଲକ୍ର ଲକ୍ଷାଧିକ ବାସିନ୍ଦାଙ୍କ ସୁବିଧା ପାଇଁ ଗେଙ୍ଗୁଟିଆ ପଂଚାୟତର ରଣପଶି ଲେବଲ୍ କ୍ରସିଂକୁ ପାସେଂଜର ହଲ୍ଟ୍ରେ ରୁପାନ୍ତରିତ କରାଯିବା ତଥା ଅସୁରବନ୍ଧ ମାଇନ୍ସ୍ ମାଲିକ ରିଅଲ୍ ଇଣ୍ଡିଆ କନ୍ସଲ୍ଟାନ୍ସିର ଡାଇରେକ୍ଟର୍ ଅଭିଶେକ ରଥ ନିଜର ଅର୍ଥ ଏବଂ କ୍ଷମତା ବଳରେ ପୋଲିସ୍ ପ୍ରଶାସନକୁ ପ୍ରଭାବିତ କରି ଗରିବ ଚାଷୀ କୃପାସିନ୍ଧୁ ମାଝିଙ୍କ ନାମରେ ଭୁବନ ଥାନାରେ କେସ୍ ନମ୍ବର ୧୭୭/୨୦୧୬ ମିଛରେ ଦାୟାର କରିଥିବା କାମାକ୍ଷାନଗର କୋର୍ଟ୍ର ମାନ୍ୟବର ଆସିଷ୍ଟାଣ୍ଟ୍ ସେସନ୍ସ୍ ଜଜ୍ ନିଜର ଜଜ୍ମେଣ୍ଟ୍ରେ ସନେ୍ଦହ ବ୍ୟକ୍ତ କରିଥିବାରୁ ଗରିବ ଚାଷୀ କୃପାସିନ୍ଧୁଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ସହିତ ମିଛ କେସ୍ ଦେଇ ଗରିବ ଚାଷୀମାନଙ୍କୁ ହଇରାଣ କରୁଥିବା ମାଇନ୍ସ୍ ମାଲିକ ଅଭିଶେକ ରଥଙ୍କୁ ଗିରଫ କରାଯିବା ଆଦି ୮ ଗୋଟି ନ୍ୟାାଯ୍ୟ ଦାବିକୁ ତୁରନ୍ତ ପୂରଣ କରାନଗଲେ ୨୦ ହଜାର ଲୋକ ୨୨ ଜୁଲାଇରୁ ଦାବିପୂରଣ ଯାଏ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ଇତ୍ୟବସରରେ ଇଂ. ହୋତା ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.