ବଦଳୁଛି ଓଡ଼ିଶାର ଛବି!
ଶରତ କୁମାର ରାଉତ
ଓଡ଼ିଶାରେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫ମ ଥର ପାଇଁ ଓଡ଼ିଶା ସିଂହାସନ ଅକ୍ତିଆର କରିବା ସ୍ୱାଭାବିକ ଥିଲା । ଏହି ନିର୍ବାଚନରେ ବିଜେଡ଼ି ୧୧୨ ଟି ଆସନ ଅକ୍ତିଆର କରିଥିବାବେଳେ ବିଜେପି ୨୩, କଂଗ୍ରେସ ୯ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ହାସଲ କରିଥିଲା । ସେହିପରି ବିଜେଡ଼ି ୧୨ ଟି ଲୋକସଭା ଆସନ ଦଖଲ କରିଥିବା ବେଳେ ବିଜେପି ୮ ଓ କଂଗ୍ରେସ ୧ଟି ଆସନ ପାଇଥିଲା । ଏହି ନିର୍ବାଚନର ଫଳାଫଳକୁ ଦେଖିଲେ, ବାସ୍ତବିକ ଆଶ୍ଚର୍ଯ୍ୟ ଲାଗେ । କାରଣ ୨୦୧୪ ସାଧାରଣ ନିର୍ବାଚନ ଭଳି ଅଭୁତପୂର୍ବ ଭାବେ ସାରା ଦେଶରେ ମୋଦି ସୁନାମୀରେ ଧରାଶାୟୀ ହୋଇ ମାଟି କାମୁଡ଼ି ଥିଲା ଦେଶର ସର୍ବ ପୁରାତନ ଦଳ କଂଗ୍ରେସ । ସେହିପରି ଓଡ଼ିଶାରେ ଅପ୍ରତ୍ୟାଶିତ ଭାବେ ନବିନ ପଟ୍ଟନାୟକଙ୍କ ପ୍ରବଳ ଲୋକପି୍ରୟତାକୁ ସାମ୍ନା କରିପାରି ନଥିଲେ କଂଗ୍ରେସ ଓ ଭାଜପା । ବାସ୍ତବରେ ଏଭଳି ଫଳାଫଳ ରାଜନୀତିକ ପଣ୍ଡିତଙ୍କ କଳ୍ପନାର ବାହାରେ ଥିଲା । ଏଥିରୁ ଲାଗୁଛି ଯେ, ଲୋକେ କ୍ରମେ ସଚେତନ ହେଉଛନ୍ତି । ଭଲ ଭାବରେ ଚିନ୍ତା କରି ଦଳ ଓ ପ୍ରାର୍ଥୀଙ୍କୁ ବାଛୁଛନ୍ତି । ହୁଏତ ରାଜ୍ୟର ବିକାଶ ଧାରା ଓଡ଼ିଶାବାସୀଙ୍କୁ ସନ୍ତୁଷ୍ଟ କରୁଛି । ଯେଉଁଥିପାଇଁ ନବିନଙ୍କ ନେତୃତ୍ୱ ସପକ୍ଷରେ ମିଳି ଚାଲିଛି ଐତିହାସିକ ଜନାଦେଶ । ଏପରିକି ଆମ ରାଜ୍ୟରେ ମୋଦିଙ୍କ ପ୍ରଭାବ ଲୋକଙ୍କ ଉପରେ ଟିକେ ବି ପଡ଼ିନଥିଲା । ହୁଏତ ଏଭଳି ଐତିହାସିକ ଫଳାଫଳ ଏଇଥିପାଇଁ ଯେ, ସ୍ୱାଧୀନତା ପରଠାରୁ ଓଡ଼ିଶା ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ଥିଲା । ନବିନ ବାବୁ ଓଡ଼ିଶା ଶାସନ ଡ଼ୋରି ଧରିବା ପରଠାରୁ ଓଡ଼ିଶାରେ ବିକାଶ ଧାରା ଆରମ୍ଭ ହୋଇ ଏବେ ଚରମ ସୀମାରେ ପହଂଚିଛି ।
ପ୍ରାକୃତିକ ଦୃଶ୍ୟରାଜିରେ ଭରା ଓଡ଼ିଶା ଦେଶ ବିଦେଶରେ ଏକ ମନୋରମ ରାଜ୍ୟ ଭାବେ ପରିଚିତ । ରାଜ୍ୟରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସାରା ବିଶ୍ୱରେ ଖ୍ୟାତ । ଓଡ଼ିଶା ମନ୍ଦିର ମାଳିନି ରାଜ୍ୟ ଭାବେ ସର୍ବ ବିଦିତ । ଓଡ଼ିଶାର ମାଟି ତଳେ ପ୍ରଚୁର ଖଣିଜ ସଂପଦ ଭରି ରହିଛି । ଭାରତରେ ଗଚ୍ଛିତ ବହୁମୂଲ୍ୟ ଖଣିଜ ସଂପଦର ପ୍ରାୟ ୨୫ ଭାଗ କେବଳ ଆମ ରାଜ୍ୟରେ ରହିଛି । ଏଠାରେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, ମାଙ୍ଗାନିଜ୍, କୋଇଲା, ନିକେଲ ଆଦି ଏତେ ପରିମାଣର ଗଚ୍ଛିତ ଅଛି ଯେ ଆମ ଦେଶ ଓ ବିଦେଶ ଆମ ରାଜ୍ୟ ଉପରେ ନିର୍ଭର କରନ୍ତି ।
ରାଜ୍ୟରେ ଜଳସେଚନର ଅବସ୍ଥା ବହୁ ଖରାପ । ଗତ ୧୦ବର୍ଷ ମଧ୍ୟରେ ଜଳସେଚନ ବ୍ୟବସ୍ଥାରେ ଆଶା ଜନକ ବୃଦ୍ଧି ହୋଇନାହିଁ । ରାଜ୍ୟରେ ଫସଲ ହେଉଥିବା ମୋଟ ୮୭.୪୬ ଲକ୍ଷ ହେକ୍ଟର ଜମିରୁ ମାତ୍ର ୧୮.୭୯ ଲକ୍ଷ ହେକ୍ଟର ଜଳ ସେଚିତ ହୋଇ ପାରିଛି । ଅନ୍ୟ ପକ୍ଷରେ ଚାଷ ଉପଯୋଗୀ ୬୧.୮୦ ଲକ୍ଷ ହେକ୍ଟର ଜମି ମଧ୍ୟରୁ ୨୯.୧୪ ଲକ୍ଷ ହେକ୍ଟର ଉଚ୍ଚ ଜମି, ୧୭.୫୫ ଲକ୍ଷ ହେକ୍ଟର ମଧ୍ୟମ ଜମି ଓ ୧୫.୧୧ ଲକ୍ଷ ହେକ୍ଟର ନୀଚ ଜମି ରହିଛି । ପ୍ରାୟତଃ ଏହି ଜମିରେ ଆଶା ଜନକ ଫସଲ ସମ୍ଭବ ନୁହେଁ । ତଥାପି ଏହି ଜମିରେ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ ହେବା ଆବଶ୍ୟକ । ସେହିପରି ଆମ ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍ÿଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ରାଜ୍ୟରେ ୭୦ କୋଟି ଘନମିଟର ଭୂତଳ ଜଳ ଗଚ୍ଛିତ ରହିଛି, ଯାହା ଦେଶର ମୋଟ ଜଳ ସଂପଦର ୧୧ ଶତକଡ଼ା । ହେଲେ ଦୁଃଖର କଥା, ଓଡ଼ିଶାରେ ସବୁକିଛି ଥିବା ସତ୍ୱେ ଓଡ଼ିଶା ଦରିଦ୍ର ବୋଲି କୁହାଯାଉଥିଲା । ଏପରିକି ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଓଡ଼ିଶାରେ ଦାରିଦ୍ର୍ୟର ଉତ୍ପାତ ସବୁଠୁ ବେଶୀ । ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ବଂଚୁଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ । ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର । ଓଡ଼ିଶାରେ ଶିଶୁ ଓ ମାତୃ ମୃତୁ୍ୟହାର ସର୍ବାଧିକ…..ଇତ୍ୟାଦି । ମାତ୍ର ରାଜ୍ୟରେ ଏହି ଅବସ୍ଥା ପ୍ରାୟ ୨୦୦୦ ମସିହା ପର୍ଯ୍ୟନ୍ତ ବଳବତର ଥିଲା । ହେଲେ ଧୀରେ ଧୀରେ ପ୍ରଗତିର ଶିଢୀ ଚଢୁଛି ଓଡ଼ିଶା ।
ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବା ରାଜ୍ୟ ନେତୃତ୍ୱର ଅପାରଗତା ଯୋଗୁ ରାଜ୍ୟରେ ଗଚ୍ଛିତ ବିଭିନ୍ନ ଖଣିଜ ସଂପଦର ଉପଯୁକ୍ତ ଉପଯୋଗ ହୋଇ ପାରୁନଥିଲା । ମଣିଷର ଅର୍ଥନୈତିକ ପ୍ରଗତି ଓ ସାମାଜିକ ଅବସ୍ଥାର ପରିବର୍ତନ ପାଇଁ ସମସ୍ତ ପ୍ରାକୃତିକ ସଂପଦର ଉପଯୁକ୍ତ ଉପଯୋଗ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଚାଷ ବା କୃଷି ଉତ୍ପାଦନ ବୃଦ୍ଧି ଓ ରାଜନୈତିକ ଇଚ୍ଛାଶକ୍ତି ଏବଂ ଶିଳ୍ପ ପ୍ରସାରର ଆବଶ୍ୟକତା ରହିଥାଏ । ସ୍ୱାଧୀନତା ପରଠାରୁ ଓଡ଼ିଶା ବହୁ ଘାତ ପ୍ରତିଘାତ ଦେଇ ଗତି କରି ଆସିଛି । ମାତ୍ର କିଛି ବର୍ଷ ତଳୁ ରାଜ୍ୟବାସୀ ଯାହା ପ୍ରଗତିର ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଓଡ଼ିଶା ବିକାଶଶୀଳ ରାଜ୍ୟରେ ପରିଣତ ହୋଇଥିବା ସମସ୍ତେ ସ୍ୱୀକାର କରୁଛନ୍ତି । ଉଦାହରଣ ସ୍ୱରୂପ, ଆମ ରାଜ୍ୟରେ ଆମ ଖଣିଜ ସଂପଦର ଉପଯୁକ୍ତ ବିନିଯୋଗ ହୋଇ ପାରୁନଥିବାରୁ ଖୁବ୍ କମ୍ ମୂଲ୍ୟରେ ଆମ ଖଣିଜ ସଂପଦ ବାହାରକୁ ରପ୍ତାନୀ ହୋଇ ସେଠାରେ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ବ୍ୟାପକ ନିଯୁନ୍ତି ସୁଯୋଗ ସୃଷ୍ଟି ହେଉଥିଲା । ମାତ୍ର ୨୦୦୦ ମସିହା ପରଠାରୁ ଓଡ଼ିଶାର ଭାଗ୍ୟରେଖା ଖୋଲିବା ପରେ କେତେକ ବୃହତ୍ କମ୍ପାନୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସିଥିଲେ ଓ ଆସୁଛନ୍ତି । ରାଜ୍ୟର ଉପକୂଳରେ ଅନେକ ବନ୍ଦର ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ, କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା, ରାସ୍ତାଘାଟର ନବୀକରଣ-ନିର୍ମାଣ, ଟଙ୍କିକିଆ ଚାଉଳ ଯୋଗାଣ ଭଳି ବହୁ ଦାରିଦ୍ର୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ, ଗମନାଗମନର ଅଭୂତପୂର୍ବ ବିକାଶ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ବିଭିନ୍ନ ପ୍ରଭାବୀ ପଦକ୍ଷେପ ଓଡ଼ିଶାକୁ ସଶକ୍ତ କରିଛି । ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ରାଜ୍ୟ । ପ୍ରତିବର୍ଷ ଏକାଧିକ ଛୋଟ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଆମ ରାଜ୍ୟ । ୨୦୧୯ର ପ୍ରଳୟଙ୍କରୀ ‘ଫୋନି’ ମହାବାତ୍ୟା ହେଉ କି ଏବେକାର“ଅମ୍ଫନ” ମହାବାତ୍ୟା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନେତୃତ୍ୱ ଯେପରି ସଫଳତାର ସହ ମୁକାବିଲା କରି ଆସୁଛନ୍ତି, ତାହା ଆମ ଦେଶରେ ଅନ୍ୟ କେଉଁଠି ଦେଖାଯାଏ ନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବରିଷ୍ଠ ନେତାମାନେ ନବୀନ ବାବୁଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ଭୂୟସୀ ପ୍ରଂଶସା କରି ଆସୁଛନ୍ତି । ଏପରିକି ଅନେକ ରାଜ୍ୟ ନିଜ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶାର ବ୍ୟବସ୍ଥାକୁ ଆପଣଉଛନ୍ତି । ସେହିପରି ଆମ ଦେଶରେ ମହାମାରୀ କରୋନା ସଂକ୍ରମିତ ଓ ମୃତୁ୍ୟ ସଂଖ୍ୟା ବଢିଚାଲିଛି । ମାତ୍ର ଓଡ଼ିଶାରେ ଏହି ବିପର୍ଯ୍ୟୟକୁ ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନେତୃତ୍ୱ ସଫଳ ହୋଇ ଚାଲିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ଅନୁରୂପ ସଂକ୍ରମିତ ସୁସ୍ଥ ହୋଇ ଚାଲିଛନ୍ତି, ଯାହା ରାଜ୍ୟରେ ନିୟନ୍ତ୍ରଣାଧୀନ ରହିଛି । ରାଜ୍ୟରେ ଆଇନକାନୁନ୍ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ପାଇଁ ଅଭିନବ ଯୋଜନା ଓଡ଼ିଶା ବିକାଶର ପଥ ପରିଷ୍କାର କରି ଦେଇଛି । ଏହା ସମ୍ଭବ ହୋଇଛି ପ୍ରବଳ ରାଜନୈତିକ ଇଚ୍ଛାଶକ୍ତି ଓ ରାଜ୍ୟ ନେତୃତ୍ୱର ନିଷ୍ଠାପର ଉଦ୍ୟମ ଯୋଗୁ । ଯେଉଁଥିପାଇଁ ଲଗାତାର ସମସ୍ତ ନିର୍ବାଚନରେ ସାରା ଓଡ଼ିଶାକୁ ଶଙ୍ଖ ଧ୍ୱନିରେ ମୁଖରିତ କରି ଇତିହାସ ରଚି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବହେଳିତ ଓଡ଼ିଶାର ଶାସନ ଡ଼ୋରୀ ଧରିଥିବା ନବୀନ ବାବୁ ଇତିମଧ୍ୟରେ ନିଜର ପ୍ରବଳ ଇଚ୍ଛା ଶକ୍ତି ଓ ନିଷ୍ଠାପର ଶାସନ ଯୋଗୁ ଓଡ଼ିଶାକୁ ବିକାଶଶୀଳ ରାଜ୍ୟରେ ପରିଣତ କରିଛନ୍ତି । ସବୁଠୁ ସୁଖର କଥା ହେଲା, ରାଜ୍ୟରେ ଦ୍ରୁତ ହ୍ରାସ ପାଇ ଚାଲିଛି ଦାରିଦ୍ର୍ୟର ହାର । ଏନ୍ତୁଡ଼ିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଯଥେଷ୍ଟ ସହାୟତା ସାଧାରଣ ଲୋକଙ୍କୁ ମୁଗ୍ଧ କରିଛି । ଏପରିକି ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ନବିନ ବାବୁଙ୍କ ଦୃଢ ମାନସିକତା ରାଜ୍ୟବାସୀଙ୍କୁ ଖୁବ୍ ଭଲ ଲାଗୁଛି । ଆଶ୍ଚର୍ଯ୍ୟର କଥା ଯେ, ବିରୋଧୀ ଦଳ ମାନଙ୍କର ଅସୁମାରୀ ଅଭିଯୋଗ ମଧ୍ୟ ଛୁଇଁ ପାରିନି ନବିନ ବାବୁଙ୍କ ଲୋକପି୍ରୟତାକୁ । ତେବେ ଆଗାମୀ ଦିନରେ ଓଡ଼ିଶାର ପ୍ରଗତି ଆହୁରି ଦ୍ରୁତ ହେବ ଓ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବ ବୋଲି ସାଧାରଣରେ ଆଶା କରାଯାଉଛି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮