ଚଟ୍ଟଲ ଶକ୍ତିପୀଠ, ବଙ୍ଗଳାଦେଶ
ଶରତ କୁମାର ରାଉତ
ସମୁଦ୍ର ପତ୍ତନରୁ ୩୫୦ ମିଟର ଉଚ୍ଚରେ ଭଗବାନ ଚନ୍ଦ୍ରଶେଖର ଶିବଙ୍କର ମନ୍ଦିର ଅବସ୍ଥିତ । ଏଠାରେ ମାତା ସତୀଙ୍କ ଡ଼ାହାଣ ହାତଖଣ୍ଡ ପଡ଼ିଥିଲା । ଏଠାକାର ଶକ୍ତି ଭବାନୀ ତଥା ଶିବ ଚନ୍ଦ୍ରଶେଖର ରୂପେ ପୂଜା ପାଉଛନ୍ତି । ଏହା ନିକଟରେ ହିଁ ସୀତାକୁଣ୍ଡ, ବ୍ୟାସକୁଣ୍ଡ, ସୂର୍ଯ୍ୟକୁଣ୍ଡ, ବ୍ରହ୍ମକୁଣ୍ଡ, ବାଡ଼ବକୁଣ୍ଡ, ଲବଣାକ୍ଷ ତୀର୍ଥ, ସହସ୍ରଧାରାର ଜନକୋଟି ଶିବ ମଧ୍ୟ ଅଛନ୍ତି ।
ଆଦିଶକ୍ତିପୀଠ ଚାରିଟି ବୋଲି କୁହାଯାଉଛି । କାଳିକା ପୁରାଣରେ ଶକ୍ତିପୀଠ ଗୁଡ଼ିକର ସଂଖ୍ୟା ଛବିଶ କୁହାଯାଉଛି । ଶିବ ଚରିତ ଅନୁସାରେ ଶକ୍ତିପୀଠ ଗୁଡ଼ିକର ସଂଖ୍ୟା ଏକାବନ । ଭାଗବତରେ ଶକ୍ତିପୀଠ ଗୁଡ଼ିକର ସଂଖ୍ୟା ୧୦୮ ବୋଲି କୁହା ଯାଉଛି । ମାତ୍ର ତନ୍ତ୍ର ଚୂଡ଼ାମଣି, ମାର୍କଣ୍ଡେୟ ପୁରାଣ ଅନୁସାରେ ଶକ୍ତିପୀଠ ଗୁଡ଼ିକର ସଂଖ୍ୟା ବାଉନ । ତେବେ ଶକ୍ତିପୀଠ ଗୁଡ଼ିକୁ ନେଇ ବିଭିନ୍ନ ଗ୍ରନ୍ଥରେ ଭିନ୍ନ ଭିନ୍ନ କଥା କୁହା ଯାଇଛି । ଦେବୀ ପୁରାଣରେ ଏକାବନଟି ଶକ୍ତିପୀଠ ସଂପର୍କରେ ବର୍ଣ୍ଣନା କରା ଯାଇଛି । ଦେବୀଙ୍କର ଏହି ଶକ୍ତିପୀଠ ବଙ୍ଗଳା ଦେଶର ଚଟଗାଁ ଠାରୁ ୩୮ କିଲୋମିଟର ଦୂର ସୀତାକୁଣ୍ଡ ଷ୍ଟେସନ ପାଖ ଚନ୍ଦ୍ରଶେଖର ପର୍ବତ ଉପରେ ଅବସ୍ଥିତ ।
ଭାରତ ଏକ ପୂଣ୍ୟଭୂମି, ଖାସ ଏହାର ଦେବୀ ଦେବତାଙ୍କୁ ନେଇ । ସୃଷ୍ଟି ଆରମ୍ଭରୁ ପ୍ରତ୍ୟେକ ସ୍ଥାନର ନିଜସ୍ୱ ସ୍ୱତନ୍ତ୍ରତା ଅଛି, ଯାହା ଅଜଣା, କେବଳ ଇତିହାସର ରୂପାନ୍ତର । ଶକ୍ତିପୀଠ, ଯାହା ଏକ ରହସ୍ୟପୂର୍ଣ୍ଣ ଗାଥା, ପ୍ରାୟତଃ ଜନମାନସରେ ଅଗୋଚର ହୋଇ ରହିଛି । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଣ୍ଡ ସରଂଚନା ପାଇଁ ଭଗବାନ ବ୍ରହ୍ମା, ଭଗବାନ ମହାଦେବ ଓ ଭଗବାନ ବିଷ୍ଣୁ ତାଙ୍କର ତଥାକଥିତ ମାତା ଆଦିଶକ୍ତିଙ୍କୁ ସନ୍ତୁଷ୍ଟି ପାଇଁ ଏକ ଯଜ୍ଞର ଆୟୋଜନ କଲେ । ମା’ଶକ୍ତି ମଧ୍ୟ ଏଥିରେ ବ୍ରହ୍ମାଙ୍କୁ ସହଯୋଗ ଦେଲେ । ତେବେ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ପିତାଙ୍କ ନିଦେ୍ର୍ଦଶରେ ମା’ ଶକ୍ତିଙ୍କୁ ନିଜର ଝିଅ ରୂପରେ ପାଇବାକୁ ବିଭିନ୍ନ ଯଜ୍ଞ ଆଦି ଉପାସନା କଲେ । ଶେଷରେ ମା’ଶକ୍ତି ମାନବ ରୂପରେ ଜନ୍ମ ନେଲେ । ଏହା ପଛରେ ବ୍ରହ୍ମାଙ୍କର ଉଦେ୍ଦଶ୍ୟ ଥିଲା ଯେ, ଭଗବାନ ଶିବଙ୍କ ସହ ଶକ୍ତିଙ୍କର ମିଶ୍ରଣ କରାଇ ସୃଷ୍ଟି ସଂରଚନା କରିବା ପାଇଁ । ସେଥିପାଇଁ ସେ ତାଙ୍କର ନାମକରଣ କରିଥିଲେ ସତୀ । ମାତ୍ର କୌଣସି ପ୍ରକାର ମାତା ସତୀଙ୍କୁ ଶିବ ବିବାହ କରି କୈଳାଶ ପର୍ବତ ନେଇଗଲେ । ଏହା ଜାଣିପାରି ଦକ୍ଷଙ୍କ ରାଗ ଚରମ ସୀମାରେ ପହଂଚିଗଲା । ଶିବଙ୍କୁ ସବୁ ଦେବୀ ଦେବତାଙ୍କ ସାମ୍ନାରେ ଅପମାନିତ କରିବା ପାଇଁ ଦକ୍ଷ ମୁନିମଣ୍ଡଳ (ଆନ୍ଧ୍ର ପ୍ରଦେଶର ମୁରାମଲ୍ଲା) ଠାରେ ଏକ ଯଜ୍ଞର ଆୟୋଜନ କଲେ । ଝିଅ ସତୀ ଓ ଜ୍ୱାଇଁ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଏଥିରେ ନିଜକୁ ଅପମାନିତ ବୋଧ କରି ସତୀ ସ୍ୱଂୟ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚି ଯାହା ଦେଖିଲେ ଆଖିକୁ ବିଶ୍ୱାସ କଲେ ନାହିଁ । ବାପା ଦକ୍ଷ କିଛି ଆଦର ଗଉର ନକରି ଝିଅ ଜ୍ୱାଇଁଙ୍କୁ ଅପମାନ ସୂଚକ ଶବ୍ଦ ସବୁ ଶୁଣାଇଲେ । ସେହିକ୍ଷଣି ବାପାଙ୍କ ଅପମାନକୁ ସହ୍ୟ କରି ନପାରି ମାତା ସତୀ ଅଗ୍ନି କୁଣ୍ଡରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସେଠାରେ ପହଞ୍ଚିଲେ ଓ ଗଭୀର ଦୁଃଖରେ ସତୀଙ୍କ ମର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ଏହାଦ୍ୱାରା ସାରା ବ୍ରହ୍ମାଣ୍ଡ ପ୍ରକମ୍ପିତ ହୋଇ ଉଠିଲା । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଦେବ ଦେବୀ ମାନେ ଏହାର ସମାଧାନ ବା ଭଗବାନ ଶିବଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ଉପାୟ ବାହାର କରିବାକୁ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଧ୍ୱଂସଲୀଳା ବନ୍ଦ କରି ବ୍ରହ୍ମାଣ୍ଡରେ ଶାନ୍ତି ସ୍ଥାପନ ପାଇଁ ଭଗବାନ ବ୍ରହ୍ମା ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ବିଷ୍ଣୁ ଅନୁଭବ କଲେ ଯେ, ଯେପର୍ଯ୍ୟନ୍ତ ଭଗବାନ ଶିବଙ୍କ ହସ୍ତରୁ ମାତା ସତୀଙ୍କ ମର ଶରୀର ଅଲଗା ହୋଇନାହିଁ, ସେପର୍ଯ୍ୟନ୍ତ ଭଗବାନ ଶିବ ଶାନ୍ତ ହେବେ ନାହିଁ କି ବ୍ରହ୍ମାଣ୍ଡ ଧ୍ୱଂସାଭିମୁଖିରୁ ବର୍ତ୍ତିବ ନାହିଁ । ଏଣୁ ବ୍ରହ୍ମାଣ୍ଡ ରକ୍ଷା ପାଇଁ ସଙ୍ଗେସଙ୍ଗେ ଭଗବାନ ଶିବ ଧରିଥିବା ମାତା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ ।
କିଛିକ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ମା’ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଞ୍ଚିହୋଇ ପଡ଼ିଲା । ଦୁଃଖରେ ମି୍ରୟମାଣ ଭଗବାନ ଶିବ ସତୀଙ୍କ ବିଖଣ୍ଡିତ ଅଙ୍ଗ ଖୋଜିବା ଆରମ୍ଭ କଲେ । ଏଥିରେ ସହାୟତା କଲେ ଭଗବାନ ଭୈରବ । ସର୍ବ ଶେଷରେ ମାତା ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସମେତ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ ।
ଚଟ୍ଟଲ ଶକ୍ତିପୀଠରେ ମାତା ସତୀଙ୍କର ଡ଼ାହାଣ ହାତ ପଡ଼ିଥିଲା । ଏଠାରେ ମାତା ସତୀଙ୍କୁ ‘ଭବାନୀ’ ଏବଂ ଭଗବାନ ଶିବଙ୍କୁ ‘ଚନ୍ଦ୍ରଶେଖର’ ଭାବରେ ପୂଜା କରାଯାଏ । ବର୍ଷର ସବୁ ସମୟରେ ମାତା ‘ଭବନୀ’ଙ୍କର ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ମାତା ‘ଭବାନୀ’ ଦେବୀଙ୍କର ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ବାଡ଼ବ କୁଣ୍ଡରୁ ନିରନ୍ତର ଅଗ୍ନି ବାହାରୁ ଥାଏ । ଶିବରାତ୍ରୀ ଉତ୍ସବ ବେଳେ ଏଠାରେ ବଡ଼ ଧରଣର ମେଳା ବସିଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମା’‘ଭବାନୀ’ ଦେବୀଙ୍କୁ ପୂଜା କରିବାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮/୯୪୩୭୪୪୧୦୭୨

2 thoughts on “

Leave a Reply

Your email address will not be published.