ରେଳଯାତ୍ରୀଙ୍କ ପାଇଁ ମଜଭୁତ ସୁରକ୍ଷା ବ୍ୟବସ୍ଥା!

ଶରତ କୁମାର ରାଉତ
ଚଳିତ ରେଳ ବଜେଟରେ(୨୦୨୨-୨୩ ଆର୍ଥିକ ବର୍ଷ) ଅନେକ କିଛି ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନି ବୈଷ୍ଣବ । ଷ୍ଟେସନ ଗୁଡ଼ିକର ନବୀକରଣ, ସେତୁର ସୁଦୃଢ଼ୀକରଣ, ସିଗ୍‌ନାଲ ପ୍ରଣାଳୀ ଓ ଦୂରସଂଚାର ପ୍ରଣାଳୀର ଆଧୁନିକୀକରଣ ତଥା ନୂଆ ଲାଇନ୍‌ର ସର୍ଭେ କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯିବାର ଆବଶ୍ୟକତା ରହିଛି । ମୁଖ୍ୟତଃ ଭାରତୀୟ ରେଲୱେକୁ ବ୍ୟବସାୟିକ ସଂସ୍ଥାରେ ପରିଣତ କରାନଯାଇ ସର୍ବସାଧାରଣ ସେବା ସଂସ୍ଥାରେ ପରିଣତ କରାଯିବାର ଅତ୍ୟନ୍ତ ଆବଶ୍ୟକତା ରହିଛି ।
ଏହି ବଜେଟ୍ ଓଡ଼ିଶାବାସୀଙ୍କ ପାଇଁ ବେଶ୍ ଖୁସି ଆଣି ଦେଇଛି । ଓଡ଼ିଶାରେ ଆବଶ୍ୟକ ରେଳ ଭିତ୍ତିଭୂମିର ବିକାଶ ଲାଗି ପଥ ପରିଷ୍କାର ହୋଇଥିବା ମନେ ହେଉଛି । ଓଡ଼ିଶାକୁ ଏଥର ମିଳିଛି ୯,୭୩୪ କୋଟି ଟଙ୍କା, ଯାହା ଓଡ଼ିଶାର ରେଳ ବଜେଟ୍ ଇତିହାସରେ ଓଡ଼ିଶା ପାଇଁ ସର୍ବାଧିକ ଓ ଐତିହାସିକ । ରାଜ୍ୟର ୭ଟି ଜିଲ୍ଲାରେ ରେଳ ଲାଇନ୍ ନାହିଁ । ଜାତୀୟ ସ୍ତର ତୁଳନାରେ ଆମ ରାଜ୍ୟରେ ରେଳ ଲାଇନ୍‌ର ପରିମାଣ ବହୁ କମ୍ ରହିଛି । ରେଳବାଇ କ୍ଷେତ୍ରରେ ପଛୁଆ ରାଜ୍ୟକୁ ଗୁରୁତ୍ୱ ଦିଆଯିବା ଲକ୍ଷ୍ୟ ନେଇ କେତେକ ନୂଆ ଲାଇନ୍ ସହ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ଖୁସି କରାଯିବାକୁ ଚେଷ୍ଟା କରାଯାଇଛି । ଦୀର୍ଘ ବର୍ଷ ତଳୁ ନିର୍ମାଣାଧୀନ ଲାଇନ୍‌ଗୁଡ଼ିକର ସମ୍ପୂର୍ଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ବେଳେ ଚଳିତ ବଜେଟ୍ ରାଜ୍ୟବାସୀଙ୍କ ମନରେ ରଙ୍ଗିନ୍ ସ୍ୱପ୍ନ ଭରି ଦେଇଛି । ଏହି ବଜେଟ୍‌ରେ ନୂଆ ଲାଇନ୍ ଓ ଚାଲୁଥିବା ପ୍ରକଳ୍ପ ପାଇଁ ୧୮୦୬.୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ରାଜ୍ୟରେ ଦ୍ୱିତୀୟ ଲାଇନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବାବଦରେ ୬,୫୧୨.୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି, ଯାହା ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିଛି ।
ତେବେ ଏହି ରେଳ ବଜେଟ୍ ଓଡ଼ିଶାର ବିକାଶ ପାଇଁ ସହାୟକ ହେବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । କେତେକ ରାଜନୀତିକ ନେତା ଓ ସାଧାରଣ ଲୋକେ ଏହାକୁ ପ୍ରଗତିଶୀଳ ଓ ଦୂରଦୃଷ୍ଟିପୂର୍ଣ୍ଣ ବୋଲି ଚର୍ଚ୍ଚା କରୁଛନ୍ତି । ଅନ୍ୟପକ୍ଷରେ ଏହି ବଜେଟ୍ ଓଡ଼ିଶା ଶିଳ୍ପାୟନରେ ସହାୟକ ହେବା ନିଶ୍ଚିତ ମନେ ହେଉଛି । ସଂପ୍ରତି ଓଡ଼ିଶାରେ ଶିଳ୍ପ ପ୍ରସାର ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ସେଥିପାଇଁ ବ୍ୟାପକ ରେଳପଥ ଭିତ୍ତିଭୂମିର ଆବଶ୍ୟକତା ରହିଛି । ଯାତ୍ରୀ ସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱର-ମୁମ୍ବାଇ ଓ ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଅଧିକ ସିଧାସଳଖ ଟ୍ରେନ୍‌ର ଆବଶ୍ୟକତା ଅଛି । ଅନ୍ୟପକ୍ଷରେ ପାରାଦୀପ ଓ ଧାମରା ବନ୍ଦର ମଧ୍ୟରେ ସିଧା ରେଳପଥ ନିର୍ମାଣର ଆବଶ୍ୟକତା ରହିଛି । ଏହା ସମ୍ଭବ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଅନୁନ୍ନତ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ । ଯେହେତୁ କେନ୍ଦ୍ରାପଡ଼ା ଜିଲ୍ଲାର ସୀମା ସଲଗ୍ନ ଉତ୍ତରରେ ଧାମରା ବନ୍ଦର ଅବସ୍ଥିତ ଥିବାବେଳେ ଦକ୍ଷିଣରେ ପାରାଦ୍ୱୀପ ବନ୍ଦର । ଏଣୁ ଏଥିପ୍ରତି ଦୃଷ୍ଟି ଦିଆ ଯିବା ଉଚିତ । ସେହିପରି ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକ ଶେଷ କରିବା ଦିଗରେ ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ଗୁରୁତ୍ୱ ଦେଇଛନ୍ତି । ସେହିପରି ଦେଶରେ ଯାତ୍ରୀଙ୍କ ସଂଖ୍ୟା ହୁ ହୁ ବୃଦ୍ଧି ପାଉଥିବା ବେଳେ ଆବଶ୍ୟକ ସଂଖ୍ୟାରେ ନୂଆ ଟ୍ରେନ୍ ର ବ୍ୟବସ୍ଥା ଆବଶ୍ୟକ । ଗଞ୍ଜାମରେ ପ୍ରସ୍ତାବିତ ରେଳ ଡ଼ବା କାରଖାନା, ରେଳ ୱାଗନ୍ କାରଖାନା, କେସିଙ୍ଗାରେ ୱାଗନ୍ ମରାମତି କାରଖାନା ଆଦି ଘୋଷିତ ପ୍ରକଳ୍ପ ପାଇଁ ଅଧିକ ବ୍ୟୟବରାଦ କରାଯିବା ସହିତ ଯଥାଶୀଘ୍ର ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବା ଆବଶ୍ୟକ ।
ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ଜଣେ ପୂର୍ବତନ ସଫଳ ଆଇଏଏସ୍ ଅଧିକାରୀ । ନିଜର ସଫଳ କାର୍ଯ୍ୟ ପାଇଁ ସେ ସମସ୍ତଙ୍କୁ ଚକିତ କରି ଦେଇ କିଛିମାସ ତଳେ ଭାରତର ରେଳ, ଆଇଟି, ସଂଚାର, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ମନ୍ତ୍ରୀ ହାଇଗଲେ । ଇତିମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବାବୁ ରେଳ ବିଭାଗରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଜୋରଦାର କାର୍ଯ୍ୟ ଚାଲୁ ରଖିଛନ୍ତି । ଆହୁରି ମଧ୍ୟ ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରେଳ ବିଭାଗରେ ଭ୍ରଷ୍ଟାଚାରୀ ମାନଙ୍କ ସହ କୌଣସି ବୁଝାମଣା କରାଯିବ ନାହିଁ । ରେଳମନ୍ତ୍ରୀ ଭାବରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିବାବେଳେ କଳାହାଣ୍ଡି ଏବଂ ଓଡ଼ିଶାର ଅନ୍ୟ ପଛୁଆ ଅଞ୍ଚଳରେ ରେଳ ଭିତ୍ତିଭୂମୀର ବିକାଶ କରାଇବା ତାଙ୍କର ପ୍ରମୁଖ କାର୍ଯ୍ୟ ହେବ ବୋଲି କହିଥିଲେ । ଆଉ ତାଙ୍କ ସମୟରେ ଓଡ଼ିଶାରେ ରେଳ ଭିତ୍ତିଭୂମୀ ମଜଭୁତ ହୋଇ ପାରିବ ବୋଲି ବିଭିନ୍ନ ମହଲରେ ଆଶା କରାଯାଇଥିଲା । ସତକୁ ସତ ରେଳମନ୍ତ୍ରୀ ଓଡ଼ିଶାର ଦାବି ଠାରୁ ଦୁଇ ହଜାର କୋଟି ଟଙ୍କା ଅଧିକ ଦେଲେ । ଯାହା ପୂର୍ବବର୍ଷ ତୁଳନାରେ ୭୬% ଅଧିକ ଅର୍ଥାତ୍ ୯୭୩୪ କୋଟି ଟଙ୍କା ।
ରାଜ୍ୟରେ ରେଳ ସେବାର ବିକାଶ ପାଇଁ ରାଜ୍ୟ ସରକାର ମଧ୍ୟ ନିଜ ଭୂମିକା ଠିକ୍ ରୂପେ ନିର୍ବାହ କରିବାର ଆବଶ୍ୟକତା ରହିଛି । ନୂଆ ରେଳପଥର ସର୍ଭେ ଓ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠାରେ ରାଜ୍ୟ ସରକାରଙ୍କର ପ୍ରମୁଖ ଭୂମିକା ରହିଛି । ଜମି ଅଧିଗ୍ରହଣ କାର୍ଯ୍ୟ ଠିକ୍ ସମୟରେ ହେବା ସହ ଅନ୍ୟାନ୍ୟ କାର୍ଯ୍ୟରେ ରାଜ୍ୟ ସରକାର ସହଯୋଗ ଦେବା ଆବଶ୍ୟକ । ରେଳସେବା କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ପଡ଼ିଥିଲେ ମଧ୍ୟ ରେଳ ବିଭାଗକୁ ରାଜସ୍ୱ ଦେବାରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଛି । ଅର୍ଥାତ୍ ରେଳ ବିଭାଗ ଓଡ଼ିଶାରୁ ଆୟ କରୁଥିବା ଅନୁରୂପ ସେବା ଓଡ଼ିଶାବାସୀଙ୍କୁ ଯୋଗାଇ ଦେବା ଉଚିତ । ରାଜ୍ୟରେ ଚାଲିଥିବା ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ରେଳପଥ ଭିତ୍ତିଭୂମିକୁ ଶକ୍ତିଶାଳୀ କରାଯିବାର ଆବଶ୍ୟକତା ରହିଛି । ନିର୍ମାଣାଧୀନ ରେଳପଥର କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ ହେବାର ବ୍ୟବସ୍ଥା କରାଯିବା ଉଚିତ । ଏହା ଉପରେ ରାଜ୍ୟର ଅର୍ଥନୀତିକ ଅବସ୍ଥା ନିର୍ଭର କରୁଛି । ଅତଏବ ରାଜ୍ୟରେ ରେଳସେବାର ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।
ତେବେ ଶ୍ରୀ ବୈଷ୍ଣବ ନିଜର ସଫଳ କାର୍ଯ୍ୟ ପାଇଁ ୨୦୦୩ ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ କାର୍ଯ୍ୟାଳୟରେ ଉପ-ସଚିବ ପଦରେ ନିଯୁକ୍ତି ପାଇଥିଲେ । ଏତିକିବେଳେ ଶ୍ରୀ ବୈଷ୍ଣବଙ୍କ ଜୀବନରେ ଏକ ନୂଆମୋଡ଼ ଆସିଲା । ଆଉ ବାଜପାୟୀଙ୍କ ହାତରୁ କ୍ଷମତା ଯିବା ପରେ ମଧ୍ୟ ସେ ତାଙ୍କ ନିଜସ୍ୱ ସଚିବ ହୋଇ ରହିଲେ । ଏହାର କିଛିଦିନ ପରେ ବାଜପାୟୀ ରାଜନୀତିରୁ ଦୂରେଇ ଯିବା ପରେ ଶ୍ରୀ ବୈଷ୍ଣବଙ୍କୁ ଗୋଆ ବନ୍ଦରର ଡ଼େପୁଟୀ ଚେୟାରମ୍ୟାନ ପଦରେ ନିଯୁକ୍ତି ଦିଆଗଲା । କିନ୍ତୁ ଏହାର କିଛିଦିନ ପରେ ଶ୍ରୀ ବୈଷ୍ଣବ ଚାକିରିରୁ ଇସ୍ତଫା ଦେଇଦେଲେ । ଏହାର କିଛିଦିନ ପରେ ନରେନ୍ଦ୍ର ମୋଦିଙ୍କ ସହିତ ଅଶ୍ୱିନୀ ବୈଷ୍ଣବଙ୍କର ସାକ୍ଷାତ ହୋଇଥିଲା । ମୋଦି ବୈଷ୍ଣବ ବାବୁଙ୍କ ବିଭିନ୍ନ ସଫଳ କାର୍ଯ୍ୟ ପାଇଁ ବେଶ୍ ପ୍ରଭାବିତ ହୋଇଥିଲେ । ଫଳସ୍ୱରୂପ ୨୦୧୯ ରେ ଓଡ଼ିଶାରୁ ବିଜେପି ବୈଷ୍ଣବ ବାବୁଙ୍କୁ ରାଜ୍ୟସଭାକୁ ପଠାଇଲା । ଆଉ ଏହାର କିଛିଦିନ ପରେ ସମସ୍ତଙ୍କୁ ଚକିତ କରି ଦେଇ ବୈଷ୍ଣବ ବାବୁ ଭାରତର ରେଳ, ଆଇଟି, ସଂଚାର, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ମନ୍ତ୍ରୀ ହାଇଗଲେ ।
ପରେ ପରେ ରେଳମନ୍ତ୍ରୀ ରେଳ ବିଭାଗରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଜୋରଦାର କାର୍ଯ୍ୟ ଆରମ୍ଭ କଲେ । ଆଗାମୀ ୩ ବର୍ଷ ମଧ୍ୟରେ ଭାରତୀୟ ରେଳରେ ଏପରି କିଛି ବ୍ୟବସ୍ଥା ହେବ, ଯଦ୍ୱାରା ସାଧାରଣ ଯାତ୍ରୀ ମଧ୍ୟ ବିଭିନ୍ନ ସୁବିଧା ପାଇ ପାରିବେ ବୋଲି ରେଳମନ୍ତ୍ରୀ ଘୋଷଣା କଲେ । ଯାତ୍ରୀଭଡ଼ା ଯୁକ୍ତି ସଂଗତ ହେବା ସହ ରେଳଯାତ୍ରୀ ମାନଙ୍କୁ ବ୍ୟାପକ ସୁରକ୍ଷା ଯୋଗାଇ ଦିଆଯିବାର କଥା କହିଲେ ରେଳମନ୍ତ୍ରୀ । ଆହୁରି ମଧ୍ୟ ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରେଳ ବିଭାଗରେ ଭ୍ରଷ୍ଟାଚାରୀ ମାନଙ୍କ ସହ କୌଣସି ବୁଝାମଣା କରାଯିବ ନାହିଁ । ଭ୍ରଷ୍ଟ ଅଧିକାରୀ ମାନଙ୍କୁ ସେ ନିଜେ ଜେଲ୍ ପଠାଇବେ । ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସେ ଏ ବାବଦରେ ସତର୍କ ରହିବାକୁ କହିଛନ୍ତି । ମାତ୍ର ସାଧୁ ଓ କର୍ମଠ ରେଳ କର୍ମଚାରୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ୧୫୦ ଟି ରେଳ ଷ୍ଟେସନକୁ ପୁନଃ-ଉନ୍ନତିକରଣ କରିବାର ଲକ୍ଷ୍ୟ ରଖିଛନ୍ତି ରେଳମନ୍ତ୍ରୀ ଅଶି୍ୱନୀ ବୈଷ୍ଣବ । ତେବେ ୪୦୦ରୁ ଅଧିକ ରେଳ ଷ୍ଟେସନକୁ ଏହି ଯୋଜନାରେ ସାମିଲ କରାଯାଇଛି । କିନ୍ତୁ ୫୦ଟି ରେଳ ଷ୍ଟେସନକୁ ଏବେ ମିସନ୍ ମୋଡ଼ରେ ବିକଶିତ କରିବାର ଯୋଜନା କରିଛନ୍ତି ରେଳମନ୍ତ୍ରୀ । ଏହି ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଆଧୁନିକ ସୁବିଧା କରାଯାଇଛି ।
ରେଳମନ୍ତ୍ରୀ ଭାବରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, କଳାହାଣ୍ଡି ଏବଂ ଓଡ଼ିଶାର ଅନ୍ୟ ପଛୁଆ ଅଞ୍ଚଳରେ ରେଳ ଭିତ୍ତିଭୂମୀର ବିକାଶ କରାଇବା ତାଙ୍କର ପ୍ରମୁଖ କାର୍ଯ୍ୟ ହେବ । ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭବାନିପାଟଣା ଠାରେ ଘୋଷଣା କରିଥିଲେ ଯେ, ଜୁନାଗଡ଼ରୁ ଅମ୍ବାଗୁଡ଼ା ମଧ୍ୟରେ ରେଳ ଲାଇନ୍ ନିର୍ମାଣର ପରିଯୋଜନା ଶୀଘ୍ର ଆରମ୍ଭ ହେବ । ଏଥିସହିତ ସେ କହିଥିଲେ, ଜୁନାଗଡ଼ରୁ ଧର୍ମଗଡ଼ ମଧ୍ୟରେ ରେଳ ଧାରଣା ବିଛାଇବା କାମକୁ ମଧ୍ୟ ଦ୍ରୁତ କରାଯିବ । ସେ ଆହୁରି ମଧ୍ୟ କହିଥିଲେ ଯେ, କଳାହାଣ୍ଡିର ଦୁର୍ଗମ ଅଞ୍ଚଳ ଓ ଅତି ଦୁର୍ଗମ ଅଞ୍ଚଳରେ ରେଳ ସଂପର୍କ ବଢାଇବା ଓ ଆଇଟି ସେବାର ବିକାଶ କରାଇବା ତାଙ୍କର ମୂଳ ଲକ୍ଷ୍ୟ । ଆହୁରି ମଧ୍ୟ ରେଳମନ୍ତ୍ରୀ କହିଥିଲେ ଯେ, ରେଳ ମନ୍ତ୍ରଣାଳୟ ଖୁବ ଶୀଘ୍ର କଳାହାଣ୍ଡି ଜିଲ୍ଲାର ନର୍ଲା ଅଞ୍ଚଳରେ ପ୍ରସ୍ତାବିତ ‘ଲୋକୋ ସାମୟିକ ମରାମତି କାର୍ଯ୍ୟ’ ସଂପାଦନ ପାଇଁ ବ୍ୟବସ୍ଥା ହୋଇଛି । ଏହି ପରିଯୋଜନାକୁ ୨୦୧୭-୧୮ରେ ମଂଜୁରୀ ଦିଆ ଯାଇଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍‌, ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

 

One thought on “

Leave a Reply

Your email address will not be published.