କରବୀର ଶକ୍ତିପୀଠ, ମହାରାଷ୍ଟ୍ର
ଶରତ କୁମାର ରାଉତ
କରବୀର ଶକ୍ତିପୀଠ ମହାରାଷ୍ଟ୍ର ରାଜ୍ୟର କୋହ୍ଲାପୁରରେ ଅବସ୍ଥିତ । ଏଠାରେ ମାତା ସତୀଙ୍କ ‘ତି୍ରନେତ୍ର’ ପଡ଼ିଥିଲା । ଏଠାକାର ଶକ୍ତି ମହିଷାସୁର ମର୍ଦ୍ଦିନୀ ତଥା ଭୈରବ ‘କ୍ରୋଦ୍ଧଶିଶ’ଅଟନ୍ତି । ଏହି ସ୍ଥାନ ମହାଲକ୍ଷ୍ମୀଙ୍କର ବାସସ୍ଥାନ ଭାବେ ପରିଚିତ । ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ପୁରାଣ ବର୍ଣ୍ଣିତ ଏକ ଚମକପ୍ରଦ କାହାଣୀ ରହିଛି । ଭଗବାନ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ କଥା ଜାଣି ସତୀଙ୍କ ମର ଶରୀର ନିଜ ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ଏହାର ସମାଧାନ ପାଇଁ ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ମାତା ସତୀଙ୍କର ସେହି ଖଣ୍ଡ ବା ଅଂଶ ମାନଙ୍କ ମଧ୍ୟରୁ ମାତା ସତୀଙ୍କ ‘ତି୍ରନେତ୍ର’ଏହି ଶକ୍ତିପୀଠରେ ପଡ଼ିଥିଲା ।
ପାଞ୍ଚଟି ନଦୀର ସଂଗମ-ପଞ୍ଚଗଙ୍ଗା ନଦୀ କୂଳରେ କୋହ୍ଲାପୁର ନଗରୀ ଅବସ୍ଥିତ । ମହାଲକ୍ଷ୍ମୀ ମନ୍ଦିର ଏଠାକାର ସର୍ବାଧିକ ଧାର୍ମିର୍କ ମନ୍ଦିର, ଯେଉଁଠି ତି୍ରଶକ୍ତିଙ୍କର ମଧ୍ୟ ମୂର୍ତ୍ତି ରହିଛି । ମହାଲକ୍ଷ୍ମୀଙ୍କର ନିଜ ମନ୍ଦିର ଉପରେ ଶିବଲିଙ୍ଗ ରହିଛି । ଏଠାରେ ଭେଙ୍କଟେଶ, କାତ୍ୟାୟିନୀ ଓ ଗୌରୀଶଙ୍କର ମଧ୍ୟ ମନ୍ଦିର ରହିଛି । ମନ୍ଦିର ପରିସରରେ ଅନେକ ଦେବୀ ଦେବତାଙ୍କର ମନ୍ଦିର ରହିଛି । ମନ୍ଦିର ପ୍ରାଙ୍ଗଣରେ ମଣିକର୍ଣ୍ଣିକା କୁଣ୍ଡ ରହିଛି, ଯେଉଁଠି ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର ଅଛି । ଉଲ୍ଲେଖନୀୟ ଯେ, ବର୍ତ୍ତମାନ କୋହ୍ଲାପୁର ହିଁ ପୁରାଣ ପ୍ରସିଦ୍ଧ କରବୀର କ୍ଷେତ୍ର ଅଟେ । ଏହା ଦେବୀ ଗୀତାରେ ଉଲ୍ଲେଖ ରହିଛି ।
‘କରବୀର କ୍ଷେତ୍ର ମାହାତ୍ମ୍ୟ’ ତଥା ‘ଲକ୍ଷ୍ମୀ ବିଜୟ’ ଅନୁସାରେ କୋଲାସୁର ରାକ୍ଷସକୁ ବର ମିଳିଥିଲା ଯେ, ସେ କୌଣସି ସ୍ତ୍ରୀ ଦ୍ୱାରା ହିଁ ମରିବ! ଏଣୁ ଭଗବାନ ବିଷ୍ଣୁ ସ୍ୱୟଂ ମହାଲକ୍ଷ୍ମୀ ରୂପରେ ପ୍ରକଟ ହେଲେ ଓ କରବୀରକୁ ଯୁଦ୍ଧରେ ପରାସ୍ତ କରି ହତ୍ୟା କଲେ । ମୃତୁ୍ୟ ପୂର୍ବରୁ ସେ ଦେବୀଙ୍କ ଠାରୁ ବର ପାଇଥିଲା ଯେ, ଏହି ସ୍ଥାନକୁ ତା’ନାମରେ ନାମିତ କରାଯିବ । ତା’ର ମୃତୁ୍ୟ ପରେ ସେହି ସ୍ଥାନର ନାମ ‘କରବୀର’ କ୍ଷେତ୍ର ଭାବେ ପରିଚିତ ହେଲା, ଯାହା ପରବର୍ତ୍ତି କାଳରେ କୋହ୍ଲାପୁର ହୋଇଗଲା । ସେଦିନ ଠାରୁ ମାତାଙ୍କୁ କୋଲାସୁରା ମର୍ଦ୍ଦିନୀ କୁହାଗଲା । ପଦ୍ମ ପୁରାଣ ଅନୁସାରେ ଏହି କ୍ଷେତ୍ର ୧୦୮ କଳ୍ପ ପ୍ରାଚୀନ ଏବଂ ଏହାକୁ ମହା ମାତୃକା କୁହାଗଲା, କାରଣ ଏହା ଆଦ୍ୟାଶକ୍ତିଙ୍କର ମୁଖ୍ୟ ପୀଠସ୍ଥାନ ଅଟେ ।
କରବୀର ସ୍ଥିତ ମହାଲକ୍ଷ୍ମୀ ମନ୍ଦିର ଅତି ପ୍ରାଚୀନ ଅଟେ । ଏହା ପାଞ୍ଚ ଶିଖର, ତିନି ମଣ୍ଡପରେ ଶୋଭିତ । ତିନି ମଣ୍ଡପ ହେଲା, ଗର୍ଭଗୃହ ମଣ୍ଡପ, ମଧ୍ୟ ମଣ୍ଡପ ଓ ଗରୁଡ଼ ମଣ୍ଡପ । ପ୍ରମୁଖ ଏବଂ ବିଶାଳ ମଧ୍ୟ ମଣ୍ଡପରେ ବଡ଼-ବଡ଼ ଉଚ୍ଚତାର ସ୍ୱତନ୍ତ୍ର ୧୬/୧୨୮ ସ୍ତମ୍ଭ ରହିଛି । ଏଠାରେ ସକାଳେ ‘କାକାଡ଼ ଆରତୀ’ ରୁ ଆରମ୍ଭ କରି ମଧ୍ୟ ରାତି୍ରର ଶଯ୍ୟା ଆରତୀ ପର୍ଯ୍ୟନ୍ତ ଅଖଣ୍ଡ ରୂପରେ ପୂଜାର୍ଚ୍ଚନା, ଶାହନାଇ ବାଦନ, ଭଜନ କୀର୍ତ୍ତନ ଓ ମନ୍ତ୍ର ପାଠ ଚାଲିଥାଏ ।
କୋହ୍ଲାପୁରର ପୁରୁଣା ରାଜମହଲ ପାଖରେ ରାଜକୋଷ ପଛରେ ମହାଲକ୍ଷ୍ମୀ ଙ୍କର ବିଶାଳମନ୍ଦିର ରହିଛି, ଯାହାକୁ ‘ଅମ୍ବାଜୀ ମନ୍ଦିର’ ମଧ୍ୟ କୁହାଯାଏ । ବିଭିନ୍ନ ମନ୍ଦିର ମଧ୍ୟରେ ମହାଲକ୍ଷ୍ମୀ ଙ୍କର ନିଜ ମନ୍ଦିର ରହିଛି । ମନ୍ଦିରର ମୁଖ୍ୟ ଭାଗ ନୀଳ ପଥରରେ ନିର୍ମିତ ହୋଇଛି । ଏହା ପାଖରେ ପଦ୍ମ ପୋଖରୀ, କାଶୀ ତୀର୍ଥ, ମଣି କର୍ଣ୍ଣିକା-ତୀର୍ଥ, କାଶୀ ବିଶ୍ୱନାଥ ମନ୍ଦିର, ଜଗନ୍ନାଥଙ୍କ ମନ୍ଦିର, ଆଦି ରହିଛି । ଏଠାକାର ମହାଲକ୍ଷ୍ମୀ ମନ୍ଦିର ହିଁ ଶକ୍ତିପୀଠ ଅଟେ, ଯେଉଁଠି ତନ୍ତ୍ର ଚୂଡ଼ାମଣି ଅନୁସାରେ ମାତା ସତୀଙ୍କ ତିନି ଆଖି ପଡ଼ିଥିଲା ।
ମତ୍ସ୍ୟ ପୁରାଣ ଅନୁସାରେ କାରାଷ୍ଟ୍ର ଦେଶର ମଧ୍ୟ ଭାଗରେ ଶ୍ରୀ ଲକ୍ଷ୍ମୀ ନିର୍ମିତ୍ତ ପାଞ୍ଚ କୋଷ ଦୂରରେ କରବୀର କ୍ଷେତ୍ର ଅବସ୍ଥିତ, ଯାହାର ଦର୍ଶନରେ ସମସ୍ତ ପାପ ଧୋଇ ହୋଇଯାଏ ବୋଲି କୁହାଯାଏ ।
ଦେବୀଙ୍କ ଶ୍ରୀବିଗ୍ରହ ହୀରା ମିଶ୍ରିତ ରତ୍ନଶୀଳାରେ ନିର୍ମିତ । ହେଲେ ମାତାଙ୍କ ପ୍ରତିମା ଅତି ପ୍ରାଚୀନ ହୋଇ ଥିବାରୁ ୧୯୫୪ରେ କଳ୍ପୋକ୍ତ ବିଧି ଅନୁଯାୟୀ ମୂର୍ତ୍ତିରେ ବ୍ରଜଲେପ-ଅଷ୍ଟବନ୍ଧ ଆଦି ସଂସ୍କାର କରାଯିବାରୁ ବିଗ୍ରହ ସ୍ପଷ୍ଟ ଦେଖା ଯିବା ସମ୍ଭବ ହୋଇ ପାରିଛି । ଚତୁର୍ଭୁଜୀ ମା’ଙ୍କ ହାତରେ ମାତୁଲୁଙ୍ଗ, ଗଦା, ଢାଲ, ପାନପତ୍ର ତଥା ମସ୍ତକରେ ନାଗ, ଲିଙ୍ଗ, ଯୋନୀ ରହିଛି, ଯାହା ମାର୍କଣ୍ଡେୟ ପୁରାଣର ଦେବୀ ମହାତ୍ମ୍ୟରେ ଉଲ୍ଲେଖ ରହିଛି ।
ଏହି ଶକ୍ତିପୀଠକୁ କିପରି ଯିବେ: ମୁମ୍ବାଇରୁ କୋହ୍ଲାପୁର ସିଧା ରେଳପଥ ନାହିଁ । ମାତ୍ର ଏହା ମୁମ୍ବାଇ ଠାରୁ ୪୭୨ କିଲୋମିଟର ଦକ୍ଷିଣ-ପୂର୍ବରେ ନିରାଜ ଷ୍ଟେଷନ୍ରୁ ୪୮ କିଲୋମିଟର ଆଗକୁ ପଶ୍ଚିମ ଦିଗରେ ଅବସ୍ଥିତ । ଅନ୍ୟପକ୍ଷରେ ଏହା ପୁନେ ଠାରୁ ୨୮୦ କିଲୋମିଟର ଦୂର ।
ଶରତ କୁମାର ରାଉତ, ମୋ: ୯୩୩୭୩୬୯୪୪୮/୯୪୩୭୪୪୧୦୭୨