ଦୁର୍ଲଭ ପର୍ଯ୍ୟଟନ କେନ୍ଦ୍ର ବାଳକୁମାରୀ

ଶରତ କୁମାର ରାଉତ
ଦୁର୍ଲଭ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିଥିବା ବିଶ୍ୱର କୌଣସି ଐତିହାସିକ ସ୍ଥାନ ଠାରୁ ଯେ ଓଡ଼ିଶାର କେତେକ ଐତିହାସିକ ସ୍ଥାନ ଓ ପର୍ଯ୍ୟଟନ ସ୍ଥଳ ଅଧିକ ମନୋରମ, ଉନ୍ନତମାନର ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା, ତାହା ହୁଏତ ସମସ୍ତେ ଜାଣନ୍ତି ନାହିଁ । ରାଜ୍ୟର ଅନ୍ୟତମ ସୁପ୍ରସିଦ୍ଧ ଶକ୍ତିପୀଠ ତଥା ପର୍ଯ୍ୟଟନ ସ୍ଥଳ ବାଳକୁମାରୀ ମନ୍ଦିର ତଥା ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳ ମଧ୍ୟରେ ଥିବା ବିଭିନ୍ନ ପ୍ରାକୃତିକ ଅପରୂପ ଦୃଶ୍ୟରାଜି ପର୍ଯ୍ୟଟକ ମାନଙ୍କ ପାଇଁ ଦେଖିବା ଭଳି ହୋଇଛି ।
ମା’ବାଳକୁମାରୀ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ତଥା ପବିତ୍ର ସ୍ଥାନ ଭାବରେ ପରିଚିତ । ପ୍ରତିଦିନ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରୁ ମା’ବାଲକୁମାରୀଙ୍କ ପୂଜାର୍ଚ୍ଚନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ସୁଉଚ୍ଚ ପାହାଡ଼ ଉପରେ ମା’ ବାଳକୁମାରୀଙ୍କର ଭବ୍ୟ ମନ୍ଦିର ଶୋଭା ପାଉଛି ।
ଇତିହାସରୁ ଜଣାଯାଏ ଯେ, ପୁରୀ ଗଜପତି ରାଜବଂଶର ସାମନ୍ତ ଭ୍ରାତା କେଶବ ଚନ୍ଦ୍ର ରାଉତରାୟ ୮୮୨ ଖ୍ରୀଷ୍ଟାବ୍ଦରେ ବାଦାଗିରି ନିଘଞ୍ଚ ବନାଞ୍ଚଳରେ ଦେବୀଙ୍କୁ ବିଜେ କରାଇଥିଲେ । ସେ ଶ୍ରୀମନ୍ଦିରରୁ ମା’ ମଙ୍ଗଳାଙ୍କ ବାଳକୁମାରୀ ବେଶ ସଜ୍ଜିତ ଅବସ୍ଥାରେ ଆଜ୍ଞାମାଳ ଧରି ଦକ୍ଷିଣ ଓଡ଼ିଶା ଅଭିମୁଖେ ଯାତ୍ରା କରି ଏହି ବଣ ଭିତରେ ବିଗ୍ରହ ପ୍ରତିଷ୍ଠା କରିଥିଲେ । ପରେ ରାଜା କେଶବ ଚନ୍ଦ୍ର ରାଉତରାୟଙ୍କ ଚତୁର୍ଦ୍ଦଶ ପିଢିର ଦାୟାଦ ଲୋକନାଥ ରାଉତରାୟଙ୍କୁ କେରାଣ୍ଡିମାଳ ପାହାଡ଼ର ତ୍ରିକୁଟୀ ଗହ୍ୱରରେ ଦେବୀଙ୍କ ବିଗ୍ରହ ମିଳିଥିଲା । ସେ ହିଁ ଏଠାରେ ପୀଠ ସ୍ଥାପନ କରି ମାତାଙ୍କ ପୂଜା ଆରମ୍ଭ କରିଥିଲେ । ମା’ ବାଳକୁମାରୀ ଚିକିଟି ରାଜ ପରିବାରର ଇଷ୍ଟଦେବୀ ଭାବେ ପୂଜିତା । ମା’ ବାଳକୁମାରୀଙ୍କ ମନ୍ଦିର ଓ ମହାତ୍ମ୍ୟ ଏହି ଅଞ୍ଚଳରେ ବେସ୍ ପ୍ରସିଦ୍ଧ ।
ଭକ୍ତ ଓ ଶ୍ରଦ୍ଧାଳୁମାନେ ମାତାଙ୍କ ମନ୍ଦିର ପାଖରେ ପହଞ୍ଚିବାକୁ ଦୁଇଟି ରାସ୍ତା ରହିଛି । ପ୍ରଥମତଃ ସଡ଼କ ପଥରେ ଦୁଇ ଚକିଆ ବା ଚାରିଚକିଆ ଯାନରେ ଯାଇ ମାତାଙ୍କ ମନ୍ଦିର ପାଖରେ ପହଞ୍ଚି ହେବ । ପାହାଡ଼ ତଳୁ ସୁଦୀର୍ଘ ପକ୍କା ରାସ୍ତା ଅଙ୍କା-ବଙ୍କା ହୋଇ ଲମ୍ବିଛି ଉପରକୁ ଉପରକୁ । ପାହାଡ଼ ମାନଙ୍କ ଭିତରେ ପ୍ରକୃତି ନିଜର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟ ପରିପ୍ରକାଶ କରିଥାଏ । ଏହାର ଚାରି ପାଖରେ ଉଚ୍ଚ ଉଚ୍ଚ ପାହାଡ଼ୀ ଜଙ୍ଗଲ ଗୁଡ଼ିକ ଛନ୍ଦାଛନ୍ଦି ହୋଇ ନିଜ ନିଜର ଶୋଭା ପ୍ରଦର୍ଶନ କରୁଛନ୍ତି । ଆହୁରି ମଧ୍ୟ ପାହାଡ଼ୀ ଘାଟୀର କମନୀୟ ଦୃଶ୍ୟ ବିଭୋର କରି ଦେଇଥା ଏ ପର୍ଯ୍ୟଟକ ମାନଙ୍କୁ । ଚତୁର୍ଦିଗରେ ଥିବା ସୁଉଚ୍ଚ ଗଛ ଲତା ଆଉରି ମନ ମୋହି ନେଇଥାଏ ପର୍ଯ୍ୟଟକ ମାନଙ୍କର । ସୂର୍ଯ୍ୟଙ୍କର ରକ୍ତିମ କିରଣ ଏମାନଙ୍କ ଉପରେ ପଡ଼ି ଅପୂର୍ବ ସୌନ୍ଦର୍ଯ୍ୟ ସୃଷ୍ଟି କରିଥାଏ । ଆଉ ପାହାଡ଼ର ଉପରି ଭାଗରେ ପହଞ୍ଚିବା ପରେ ପ୍ରକୃତିର ସେହି ସୁନ୍ଦର ଶୋଭାକୁ ଦେଖି ଆନନ୍ଦରେ ନାଚି ଉଠେ ମନ ଓ ହୃଦୟ । ଏହି ସ୍ଥାନର ସୌନ୍ଦର୍ଯ୍ୟତା, ସୁନ୍ଦୁରିଆ ଫୁଲ ମାନଙ୍କର ମନମୋହକ ବାସ୍ନା ଓ ପକ୍ଷୀମାନଙ୍କର ସୁମଧୁର କଳରବ ଏହି ଅଞ୍ଚଳକୁ ବେଶ୍ କମନୀୟ କରିଥାଏ । ଦ୍ୱିତୀୟତଃ ତୀର୍ଥଯାତ୍ରୀ ମାନେ ପାହାଡ଼ ଉପରକୁ ୧,୨୪୦ ପାହାଚ ଚାଲିବା ପରେ ମା’ ବାଳକୁମାରୀଙ୍କ ମନ୍ଦିରର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଥାନ୍ତି । ବାସ୍ତବରେ ୧,୨୪୦ ପାହାଚ ଅତିକ୍ରମ କରିବା ବହୁ କଷ୍ଟକର । ତଥାପି ଏଥିରେ ଏକ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି । ଆମ ହିନ୍ଦୁ ସମାଜରେ ତପସ୍ୟା ଏବଂ ପୂଜାର ମହତ୍ତ୍ୱ ଅତି ପ୍ରାଚୀନ କାଳରୁ ପରଷ୍ପର ଯୋଡ଼ି ହୋଇ ରହିଛି । ଭାରତର ଅଧିକାଂଶ ଦେବୀ ଦେବତାଙ୍କ ମନ୍ଦିର ପ୍ରାୟତଃ ସୁଉଚ୍ଚ ପାହାଡ଼ ଉପରେ ଅବସ୍ଥିତ କିମ୍ବା ଅତି କଷ୍ଟକର ସ୍ଥାନରେ ଅବସ୍ଥିତ । ଏଣୁ ସେହି ମନ୍ଦିର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ପହଞ୍ଚିବା ଅତ୍ୟନ୍ତ କଠିନ ଓ ପୀଡ଼ାଦାୟକ ହୋଇଥାଏ । ମାତ୍ର ଆଧ୍ୟାତ୍ମିକ ଜୀବନର ରାସ୍ତା ବହୁ କଠିନ ଓ ଅପେକ୍ଷା ଦାୟକ ହୋଇଥାଏ । ଏଣୁ କଷ୍ଟ-ଯନ୍ତ୍ରଣାକୁ ଚିନ୍ତା ନକରି ମାତା ବାଳକୁମାରୀଙ୍କ ଅପର୍ଯ୍ୟାପ୍ତ ଶକ୍ତିର ଦୃଢ ବିଶ୍ୱାସୀ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ପ୍ରତିଦିନ ଏହି ସ୍ଥାନକୁ ପୂଜାର୍ଚ୍ଚନା କରିବାକୁ ଛୁଟି ଆସିଥାନ୍ତି ।
ମା’ ବାଳକୁମାରୀ “ଜାଗ୍ରତ”ଦେବୀ ରୂପରେ ଏଠାରେ ପୂଜା ପାଆନ୍ତି, ଯିଏ ସମସ୍ତ ଦୃଷ୍ଟ ଶକ୍ତିକୁ ଧ୍ୱଂସ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମା’ ବାଳକୁମାରୀଙ୍କୁ ପୂଜା କରିବାକୁ ଆସିଥାନ୍ତି । ବର୍ଷର ସବୁ ସମୟରେ ମା’ ବାଳକୁମାରୀଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ମା’ ବାଳକୁମାରୀଙ୍କ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ମା’ବାଳକୁମାରୀଙ୍କ ମନ୍ଦିରରେ ସମସ୍ତ ପର୍ବପର୍ବାଣୀ ପାଳନ ହେଇଥାଏ । ସେଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସଂକ୍ରାନ୍ତି ଉତ୍ସବ ଗୁରୁତ୍ତ୍ୱପୂର୍ଣ୍ଣ । ମାସର ପ୍ରତି ସଂକ୍ରାନ୍ତିରେ ମା’ ବାଳକୁମାରୀଙ୍କ ସଂକ୍ରାନ୍ତି ଉତ୍ସବ ଧୂମଧାମ୍ରେ ପାଳନ କରାଯାଇଥାଏ । ଏହା ସହିତ ପ୍ରତି ମଙ୍ଗଳବାର ଦିନ ମଧ୍ୟ “ମଙ୍ଗଳବାର ପର୍ବ” ମହା ସମାରୋହରେ ପାଳିତ ହୋଇଥାଏ । ସଂକ୍ରାନ୍ତି ଓ ମଙ୍ଗଳବାର ଦିନ ମା’ ବାଳକୁମାରୀଙ୍କ ଦର୍ଶନ କରିବା ପାଇଁ ଏକ ଧାର୍ମିକ ମହତ୍ତ୍ୱପୂର୍ଣ୍ଣ ଦିନ ବୋଲି କୁହା ଯାଇଥାଏ । ସେହିପରି ପବିତ୍ର ଦୁର୍ଗା(ଦଶହରା) ପୂଜା ତଥା ନବରାତ୍ର ଉତ୍ସବ ଏଠାରେ ଖୁବ୍ ଧୂମଧାମ୍ରେ ପାଳନ କରା ଯାଇଥାଏ । ଏହି ଅବସରରେ ଏଠାରେ ସ୍ୱତନ୍ତ୍ର ପୂଜାର ଆୟୋଜନ ହୋଇଥାଏ । ଏହି ଦିନ ସଂପୂର୍ଣ୍ଣ ମନ୍ଦିରକୁ ଫୁଲ ଓ ଆଲୋକ ମାଳାରେ ସୁସଜ୍ଜିତ କରାଯାଏ । ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ମନ ଓ ହୃଦୟକୁ ଅପାର ଶାନ୍ତି ପ୍ରଦାନ କରିଥାଏ ।
ଏହି ସ୍ଥାନରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ରହିଛି । ବିଶ୍ୱର ଅନେକ ବିକଶିତ ଦେଶ ନିଜର ପର୍ଯ୍ୟଟନ ଶିଳ୍ପର ବିକାଶ ଯୋଗୁ ଆଗକୁ ବଢିଥିବା ନଜିର ରହିଛି । ମାତ୍ର ଆମ ଦେଶରେ ଏଇ ଧାରଣ, ଧାରଣାରେ ହିଁ ରହିଯାଇଛି । ଏ କ୍ଷେତ୍ରରେ ରାଜ୍ୟ ପର୍ଯ୍ୟଟନ ବିଭାଗର ସକି୍ରୟ ଭୂମିକା ଆବଶ୍ୟକ । ଓଡ଼ିଶାର ଅନେକ ଅପରୂପ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ଆବଶ୍ୟକ ହୋଇ ପଡ଼ିଛି । ଏହି ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରକୁ “ବିଜୁ ପର୍ଯ୍ୟଟନ କ୍ଷେତ୍ର”ନାମରେ ନାମିତ କରାଯାଇ ପାରେ । ଦେଶ-ବିଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଭ୍ରମଣ କରିଥିବା କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ମତରେ, ବିଶ୍ୱର ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ର ଠାରୁ ଆମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଓ ଐତିହାସିକ ସ୍ଥାନ ବହୁ ଗୁଣରେ ଉନ୍ନତ, କମନୀୟ ଓ ଦର୍ଶନୀୟ । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଆଦି ଶକ୍ତିପୀଠ ‘ମା’ ତାରାତାରିଣୀ’, ମା’ ‘ବାଳକୁମାରୀ’,ଭୈରବୀ ମନ୍ଦିର, ସିଦ୍ଧ ବିନାୟକ ମନ୍ଦିର, ନାରାୟଣୀ ଦେବୀ ମନ୍ଦିର, ପଞ୍ଚୁ ମହାଦେବ ମନ୍ଦିର, ଗୋପାଳପୁରର ମନୋରମ ସମୁଦ୍ର ବେଳାଭୂମି, ଋଷିକୂଲ୍ୟା ମୁହାଣର ବିରଳ ଅଲିଭ୍ରିଡ୍ÿଲେ, ଆର୍ଯ୍ୟପାଲି, ତପ୍ତପାଣି ଭଳି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଐତିହାସିକ ସ୍ଥାନ ଗୁଡ଼ିକ ରହିଛି । ଏଥି ସହିତ ସମୁନ୍ଦ୍ର ଉପକୂଳରୁ ଆରମ୍ଭ କରି ଅପରୂପ ପ୍ରାକୃତିକ ଦୃଶ୍ୟ ଆଦିକୁ ନେଇ ଏକ ବିଶାଳ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବା ଆବଶ୍ୟକ । ଏଥିପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ନିଷ୍ଠା ଓ ଆନ୍ତରିକତାର ଆବଶ୍ୟକତା ରହିଛି । ତେବେ ଗଞ୍ଜାମ ଜିଲ୍ଲାରେ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଜିଲ୍ଲାର ସାଂସଦ ଓ ବିଧାୟକ ମାନେ ନିଷ୍ଠାର ସହ ଉଦ୍ୟମ କରିବେ ବୋଲି ଜିଲ୍ଲାବାସୀ ଗଭୀର ଆଶା ରଖିଛନ୍ତି ।
କେମିତି ଯିବେ: ଆପଣ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସଡ଼କ ପଥରେ କିମ୍ବା ରେଳ ପଥରେ ୨୦୮ କିଲୋମିଟର ଦୂର ଅତିକ୍ରମ କରି ମା’ବାଳକୁମାରୀଙ୍କ ମନ୍ଦିରରେ ପହଞ୍ଚି ପାରିବେ । ଏଠାରୁ ନିକଟସ୍ଥ ରେଳ ଷ୍ଟେସନ୍ ବ୍ରହ୍ମପୁର ମାତ୍ର ୩୦ କିଲୋମିଟର ଦୂର । ସେହିପରି ମା’ବାଳକୁମାରୀଙ୍କ ମନ୍ଦିର ଚିକିଟି ସହରରୁ ମାତ୍ର ୩ କିଲୋମିଟର ଦୂର । ଏହାର ଠିକ୍ ଡ଼ାହାଣକୁ ବ୍ରହ୍ମପୁର-ଚିକିଟି ରାଜ୍ୟ ରାଜପଥ ଲମ୍ବିଛି । ଯାତ୍ରୀ ମାନଙ୍କର ସୁବିଧାରେ ରହଣୀ ପାଇଁ ସବୁଠୁ ନିକଟତମ ସ୍ଥାନ ହେଉଛି ÿଗିରିଷୋଳା ନାମକ ଏକ ମନୋରମ ସ୍ଥାନ । ଏହା ଏଠାରୁ ମାତ୍ର ୧୬ କିଲୋମିଟର ଦୂର । ଏହି ରାସ୍ତାରେ ଥିବା ବାବା ଧବଳେଶ୍ୱର ମନ୍ଦିର ପାଖରୁ ଷୋରଳ ପର୍ଯ୍ୟନ୍ତ ଝାଉଁବଣରେ ଆଚ୍ଛାଦିତ, ଯାହା ପର୍ଯ୍ୟଟକ ମାନଙ୍କ ପାଇଁ ଅପରୂପ ପ୍ରାକୃତିକ ବିଭବରେ ଭରପୁର ।
ପର୍ଯ୍ୟଟକ ମାନଙ୍କ ପାଇଁ ଏଠାକୁ ଭ୍ରମଣରେ ଆସିବାର ପ୍ରକୃଷ୍ଟ ସମୟ ହେଉଛି ଅକ୍ଟୋବର ମାସରୁ ଜୁନ୍ ମାସ ।
ଭୁବନେଶ୍ୱର/ମୋ: ୯୩୩୭୩୬୯୪୪୮

 

Leave a Reply

Your email address will not be published.